ଭୁୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭଳି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ମନ୍ଦିରଗୁଡ଼ିକର ବିକାଶ ଓ ସୌନ୍ଦର୍ଯ୍ୟକରଣ ହେବ । ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ୍ ରେ ରହିଛି ବରଗଡ଼ ଜିଲ୍ଲାର ନୃସିଂହନାଥ ମନ୍ଦିର ଏବଂ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ମନ୍ଦିର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ କମିଟି ଆଜି ଦୁଇଟି ଯାକ ମନ୍ଦିର ଓ ପାରିପାଶ୍ୱିର୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଏହି ଉଚ୍ଚସ୍ତରୀୟ କମିଟିରେ ଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲ୍ କ୍ରିଷ୍ଣା ।

ପଶ୍ଚିମ ଓଡ଼ିଶାର ନୃସିଂହନାଥ ଓ ହରିଶଙ୍କର ମନ୍ଦିର କେବଳ ଯେ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତାହା ନୁହେଁ, ଏହି ଐତିହାସିକ ଜାଗା ସହ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଜୀବନ ଜଡ଼ିତ । ପର୍ବପର୍ବାଣୀରେ ଏଠାକୁ ବହୁତ ପର୍ଯ୍ୟଟକ ଆସିଥାଆନ୍ତି । ଏହାକୁ ଆଖିରେ ରଖି ଏହି ଦୁଇ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉଚ୍ଚସ୍ତରୀୟ କମିଟି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଏହାର ରୂପରେଖ ପ୍ରସ୍ତୁତ କରିଛନ୍ତି ।

ଶ୍ରୀକ୍ଷେତ୍ର ଏବଂ ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟକରଣ ଢ଼ାଞ୍ଚାରେ ଏହି ନବକଳେବର ହେବ । ଯେଉଁଥିରେ ରହିବ ଅଞ୍ଚଳର ସାମଗ୍ରିକ ବିକାଶ, ସୌନ୍ଦର୍ଯ୍ୟକରଣ, ସଂଲଗ୍ନ ରାସ୍ତା, ତୀର୍ଥଯାତ୍ରୀଙ୍କ ପାଇଁ ସବୁ ସୁବିଧା ସୁଯୋଗ, ରୋପୱେ, ବିବାହ ଉତ୍ସବ ପାଇଁ ହଲ୍ ର ସୁବିଧା ଏବଂ ଜଳ ସଂରକ୍ଷଣର ସୁବିଧା ପ୍ରଭୃତି । ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଶେଷଜ୍ଞମାନଙ୍କୁ ନେଇ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମନ୍ଦିର ଜାଗା ଅନୁଧ୍ୟାନ ପରେ ଉକ୍ତ କମିଟି ବଲାଙ୍ଗୀର ମଗୁରବେଡା ଠାରେ ଲୋୟର୍ ସୁକତେଲ୍ ପ୍ରକଳ୍ପ ବୁଲି ଦେଖିଥିଲେ । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭାଗର ଅନ୍ୟ ଅଧିକାରୀମାନେ ସେଥିରେ ସାମିଲ ହୋଇଥିଲେ । ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ, ବିସ୍ଥାପିତଙ୍କ ପୁନଃର୍ବାସ ଓ ଥଇଥାନ ଆଦି ସମସ୍ୟା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ସହ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କମିଟି ନିଦେ୍ର୍ଦଶ ଦେଇଥିଲେ ।







