ଭୁବନେଶ୍ୱର: ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନସ୍ ଦ୍ୱାରା ଧରାପଡ଼ିଥିବା ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍ ଅଫିସର ଧୀମାନ ଚକମା ଆଜି ଗିରଫ ହୋଇଛନ୍ତି । କୋର୍ଟରେ ତାଙ୍କ ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ ସେ ଜେଲ୍ ଯାଇଛନ୍ତି । ଚାକିରି ଜୀବନ ଆରମ୍ଭ କରୁଥିବା ଏହି ଯୁବ ଆଇଏଏସ୍ ଅଫିସରଙ୍କ କାରନାମା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
ଉପଜିଲ୍ଲାପାଳ ଧୀମାନ ଚକମା ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଗତକାଲି(ରବିବାର) ସଂଧ୍ୟାରେ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ନେବା ବେଳେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନସ୍ ଟିମ୍ ମାଡ଼ି ବସିଥିଲା । ଏହା ପରେ ତାଙ୍କ ଘର ଯାଞ୍ଚ ବେଳେ ନଗଦ ୪୭ ଲକ୍ଷ ୪୭ ହଜାର ୬୦୦ ଟଙ୍କା ମିଳିଥିଲା । ଏତେ ଟଙ୍କା ସେ କେଉଁଠୁ ଆଣିଲେ ତାହାର ଉତ୍ତର ଦେଇପାରି ନ ଥିଲେ ।
ଭିଜିଲାନସ୍ ପକ୍ଷରୁ ତାଙ୍କ ବିରୋଧରେ ୭ ପିସି ଆଇନ, ୧୯୮୮ ପିସି(ସଂଶୋଧନ) ଆଇନ, ୨୦୧୮ ରେ ମାମଲା ରୁଜୁ ହୋଇ ଆଜି ଭବାନୀପାଟଣା କୋର୍ଟ ଚାଲାଣ କରାଯାଇଥିଲା ।
୨୦୨୧ ବ୍ୟାଚ୍ ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ହେଉଛନ୍ତି ଧୀମାନ ଚକମା(୩୬) । ତାଙ୍କ ଘର ତ୍ରିପୁରାରେ । ସେଠାକାର ଦୁର୍ଗମ ଅଞ୍ଚଳ କାଚନପୁରର ସେ ବାସିନ୍ଦା । ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ । ଅଗରତାଲା ଏନଆଇଟିରୁ କମ୍ପୁ୍ୟଟର ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି । ଆଇଏଏସ୍ ପାଇବା ପୂର୍ବରୁ ସେ ଆଇଏଫଏସ୍(ଭାରତୀୟ ଜଙ୍ଗଲ ସେବା) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା କ୍ୟାଡରରେ ନିଯୁକ୍ତି ପାଇଥିଲେ । ୨୦୨୧ରେ ଆଇଏଏସ୍ ପାଇଲା ପରେ ଶିକ୍ଷାର ବିକାଶ କ୍ଷେତ୍ରରେ କାମ କରିବେ ବୋଲି କହିଥିଲେ ।
ଏହି ଯୁବ ଆଇଏଏସ୍ ଅଫିସରଙ୍କ କାରନାମା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ୧୦ ଲକ୍ଷ ଲାଞ୍ଚ ଛଡ଼ା ଘରୁ ମିଳିଥିବା ନଗଦ ୪୭ ଲକ୍ଷ ଟଙ୍କାର ହିସାବ ଦେଇ ପାରି ନ ଥିବାରୁ ଏହି ଟଙ୍କା ଦୁର୍ନୀତି ଉପାୟରେ ସେ ଠୁଳ କରିଥିବା ସ୍ପଷ୍ଟ ଜଣାପଡୁଛି । ଓଡ଼ିଶାରେ ଦୁର୍ନୀତି କେଉଁଭଳି ଭୟଙ୍କର ଅବସ୍ଥାକୁ ଯାଇଛି ଏହି ଘଟଣା ତାହାର ଏକ ନଗ୍ନ ଉଦାହରଣ ବୋଲି କୁହାଯାଉଛି । ଦୁର୍ନୀତିର ଚେର ସଚିବାଳୟ ପର୍ଯ୍ୟନ୍ତ ଲମ୍ବିଛି ବୋଲି ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମରେ ବୟାନ ଦେଇଛନ୍ତି ।