ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅଶ୍ୱଥି ଏସ୍ ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ପାଢ଼ୀଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗକୁ ବଦଳି କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗର ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସଞ୍ଜୟ ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ସହ ବିଡିଏ ଉପାଧ୍ୟକ୍ଷ ଏବଂ ସ୍ମାର୍ଟସିଟି ଏମଡି ଭାବେ ପୂର୍ବଭଳି ଅତିରିକ୍ତ ଦାୟିତ୍ୱରେ ରହିବେ ।