ଭୁବନେଶ୍ୱର: ଚୌଦ୍ୱାରସ୍ଥିତ ପଣ୍ଡା ମାଲିକାନାର ଇମ୍ଫା କମ୍ପାନୀରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଜିତେନ୍ଦ୍ରିୟ ସାହୁଙ୍କର ପତ୍ତା ମିଳୁନି । ଗତ ୧୩ ତାରିଖରେ ବିଶାଖାପାଟଣାକୁ ଏସକର୍ଟ ଡ୍ୟୁଟିରେ ଯାଇ ସେଠାରୁ ଫେରିନାହାନ୍ତି । ତାଙ୍କର ପୋଷାକ ଏବଂ ପରିଚୟପତ୍ର ଆଖପାଖରୁ ମିଳିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି । ଇମ୍ଫା କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଚୌଦ୍ୱାର ଥାନାରେ ପରିବାର ଲୋକଙ୍କ ଏତଲା ପରେ ଲୋକଲୋଚନକୁ ଆସିଛି । ଦୁଇ ଛୁଆଙ୍କୁ ସାଙ୍ଗରେ ଧରି ଜିତେନ୍ଦ୍ରିୟଙ୍କ ପତ୍ନୀ ସ୍ୱାମୀଙ୍କ ସନ୍ଧାନରେ ଆଖିରୁ ଲୁହ ଗଡ଼ାଉଥିବା ବେଳେ ଏକ ନମ୍ବର ଚାନେଲ ବାଲାଙ୍କର ଦେଖାନାହିଁ । ଅଚ୍ୟୁତ ସାମନ୍ତଙ୍କୁ ବରବାଦ କରିବା ଅଭିଯାନରେ ମାତିଥିବା ଏକ ନମ୍ବର ବାଲାଙ୍କ ମୁଣ୍ଡରେ ଇମ୍ଫା କର୍ମଚାରୀ ନିଖୋଜ ଖବର ଚଡ଼କ ପକେଇ ଦେଇଛି । ଏଥିପାଇଁ ଯେ କାଳେ ଅଚ୍ୟୁତଙ୍କ ପାଇଁ ଖୋଳୁଥିବା ଗାତରେ ତାଙ୍କ ସାର୍ ପଡ଼ିଯିବେ ।
ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ଯୁବକ ଜିତେନ୍ଦ୍ରିୟ ସାହୁ ଦୁଇବର୍ଷ ତଳୁ କେୟାର୍ ସିକ୍ୟୁରିଟି ନାମକ ସଂସ୍ଥା ଜରିଆରେ ଚୌଦ୍ୱାରସ୍ଥିତ ଇମ୍ଫା କମ୍ପାନୀର ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଗତ ୧୩ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ କମ୍ପାନୀର ଦୁଇଟି ମାଲ୍ ଗାଡି ସହ ଏସକର୍ଟ ଟିମ୍ ରେ ତାଙ୍କୁ ପଠାଯାଇଥିଲା । ସେଠାରେ କାମ ସାରି ୧୫ ତାରିଖରେ ଫେରି ଆସିବାର ଥିଲା । ମାତ୍ର କୌଣସି ଅସୁବିଧା ଯୋଗୁଁ ସେ ଫେରି ନ ଥିଲେ । ତା’ ପରଦିନ ୧୬ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଘର ଲୋକଙ୍କ ସହ ଫୋନ୍ ରେ କଥା ହୋଇଥିଲେ । ମାତ୍ର ତା’ ପରଠୁ ତାଙ୍କର ଫୋନ୍ ସୁଇଚ୍ ଅଫ୍ । ତାଙ୍କର ଖୋଜଖବର ମିଳୁନି ।
ଜିତେନ୍ଦ୍ରିୟଙ୍କ ନିଖୋଜ ସମ୍ପର୍କରେ ତାଙ୍କର ନିଯୁକ୍ତିଦାତା କେୟାର୍ ସିକ୍ୟୁରିଟି ସଂସ୍ଥା ପକ୍ଷରୁ ଚୌଦ୍ୱାର ଥାନାରେ ଲିଖିତ ଭାବେ ଜଣାଯାଇଛି । ଇତିମଧ୍ୟରେ ତାଙ୍କର ୟୁନିଫର୍ମ ଏବଂ ପରିଚୟପତ୍ର ବିଶାଖାପାଟଣାରୁ ଠାବ ହୋଇଛି । ଯେଉଁ ଜାଗାରେ ମାଲ୍ ଖଲାସି ହେଉଥିଲା ସେହି ପାଖରୁ ଠାବ ହୋଇଥିଲା । ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସନେ୍ଦହ କରାଯାଉଛି । ତେବେ ଏ ଦିଗରେ ଇମ୍ଫା କର୍ତ୍ତୃପକ୍ଷ କିମ୍ବା ପୁଲିସ କାହାର ତତ୍ପରତା ଦେଖିବାକୁ ମିଳିନାହିଁ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଗଣମାଧ୍ୟମକୁ ତାଙ୍କ ପତ୍ନୀ କହିଛନ୍ତି, ୧୬ ତାରିଖ ରାତି ପାଖାପାଖି ୯ଟା ବେଳକୁ ଫୋନ୍ ରେ ସ୍ୱାମୀଙ୍କ ସହ କଥା ହୋଇଥିଲେ । ସେଦିନ କଥା ହେଲା ବେଳେ ଡରିଲା ଭଳି ଲାଗୁଥିଲେ । ମାତ୍ର ସେମିତି କିଛି କହି ନ ଥିଲେ । ରାତିରେ ଆଉ ଫୋନ୍ ଲାଗିଲା ନାହିଁ । ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା । ମୋ ସ୍ୱାମୀଙ୍କୁ ମୋତେ ଫେରାଇ ଦିଅ । ନହେଲେ ମୋ ସଂସାର ଭାସିଯିବ ବୋଲି ସେ ଆକୁଳ ନିବେଦନ କରିଛନ୍ତି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଇମ୍ଫାର କର୍ମଚାରୀମାରଣ ନୀତି ଯୋଗୁଁ ଆଜି ଏହି ଅଘଟଣ ଘଟିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଜଣେ ସୁରକ୍ଷା କର୍ମୀ ୧୬ ତାରିଖରୁ ନିଖୋଜ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଜିତେନ୍ଦ୍ରିୟଙ୍କର କିଛି ଅଘଟଣ ଘଟିଲେ ଇମ୍ଫା କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସତର୍କ କରାଇଛନ୍ତି ।
ସୂଚନାଯୋଗ୍ୟ, ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ୍ କରି କିଟ୍ ଓ କିସ୍ ଅନୁଷ୍ଠାନ ପଛରେ ପଡ଼ିଛି ପଣ୍ଡା କମ୍ପାନୀର ତଥାକଥିତ ଏକ ନମ୍ବର ଚାନେଲ୍ ଓଟିଭି । ଦୁଇଟି ଯାକ ଅନୁଷ୍ଠାନକୁ ବନ୍ଦ କରି ଦେବାକୁ ମାଲିକଙ୍କ ଷଡ଼ଯନ୍ତ୍ର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । କିଟ୍, କିସ୍ କୁ ବଦନାମ କରି ଅଚ୍ୟୁତଙ୍କୁ ଧୂଳିସାତ୍ କରିବା ପାଇଁ ଓଟିଭିରେ ସ୍ୱତନ୍ତ୍ର ଡେସ୍କ ଖୋଲିଛି । ଅଚ୍ୟୁତଙ୍କ ଅନୁଷ୍ଠାନ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । ଆନ୍ଦୋଳନ ପାଇଁ ଭଡ଼ାଟିଆ ଗୁଣ୍ଡା ଏବଂ ମହିଳାଙ୍କୁ ଅଣାଯାଉଥିବା ଅଭିଯୋଗ ହୋଇଛି । ଗତକାଲି ପଣ୍ଡା ମିଡିଆ ସଂସ୍ଥାର ଦୁଇଜଣ କର୍ମଚାରୀ କିଛି ମହିଳାଙ୍କୁ ସାଙ୍ଗରେ ଧରି କିସ୍ ମୁଖ୍ୟ ଫାଟକରେ ଜଗିଥିବା ସୁରକ୍ଷା କର୍ମୀଙ୍କୁ ପେଲି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ବୋଲି ସଂପୃକ୍ତ ସୁରକ୍ଷା କର୍ମୀ ବୟାନ ଦେଇଛନ୍ତି ।
ସ୍ଥାନୀୟ ଅଞ୍ଚଳର କିଛି ଦୋକାନୀ ମଧ୍ୟ ଓଟିଭିର ଦବଙ୍ଗଗିରି ବିରୋଧରେ ସ୍ୱର ଉଠାଇଛନ୍ତି । ସଂସ୍ଥାର ସାମ୍ବାଦିକମାନେ କିଟ୍ ଓ କିସ୍ ବିରୋଧରେ ବାଇଟ୍ ଦେବାକୁ ଆମକୁ ବାଧ୍ୟ କରୁଛନ୍ତି । ବୁମ୍ ଓ କ୍ୟାମେରା ଧରି ସେମାନେ ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ‘ଏହି ଦୋକାନରୁ ଆମର ପରିବାର ଚଳେ । ଆଗକୁ କିଛି ଅସୁବିଧା ହେଲେ କେହି ପିଠିରେ ପଡ଼ିବେନି’ ବୋଲି କିଛି ଦୋକାନୀ ଚେତାବନୀ ଦେଇଛନ୍ତି ।