ଭୁବନେଶ୍ୱର: ବିଜେଡି ସରକାରର ପଞ୍ଚମ ପାଳିରେ ଅତ୍ୟନ୍ତ କ୍ଷମତାଶାଳୀ ଥିଲେ ଡି.ଏସ୍.କୁଟ୍ଟେ ଏବଂ ଆଶିଷ ସିଂ । ଭି.କେ.ପାଣ୍ଡିଆନଙ୍କ ପରେ ଏହି ଦୁଇ ଅଧିକାରୀଙ୍କୁ ନେଇ ବେଶୀ ଚର୍ଚ୍ଚା ହେଉଥିଲା । ରାଜ୍ୟ ବିଜେପି ନେତାମାନେ ଏହି ଅଧିକାରୀଙ୍କ ପଛରେ ବେଶୀ ପଡ଼ିଥିଲେ । ନିର୍ବାଚନ ପ୍ରଚାର ବେଳେ ଏମାନଙ୍କୁ ଲକ୍ଷ୍ୟ କରି ଖୋଦ୍ ପ୍ରଧାନମନ୍ତ୍ରୀ କଡ଼ା ମନ୍ତବ୍ୟ ଦେଇଥିଲେ । ବୋଲକରା ଅଧିକାରୀମାନଙ୍କର ଅଣ୍ଟା ଭାଙ୍ଗି ଦିଆଯିବ ବୋଲି ଧମକ ଦେଇଥିଲେ । ନିର୍ବାଚନ ବେଳେ ଏହି ଦୁଇ ଅଧିକାରୀଙ୍କୁ ବିଜେଡି ଏଜେଣ୍ଟ ଦର୍ଶାଇ ବିଜେପି ପକ୍ଷରୁ ନିର୍ବାଚନ କମିସନଙ୍କ ପାଖରେ ମାଳ ମାଳ ଅଭିଯୋଗ ହୋଇଥିଲା । ନିର୍ବାଚନ କମିସନ ଏହାର ତଥ୍ୟ ପ୍ରମାଣ ପାଇବା ପରେ ଛାଟ ମାରିଥିଲେ । କୁଟ୍ଟେଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ନେଇଥିବା ଆଶିଷ ସିଂଙ୍କୁ ମେଡିକାଲ୍ ବୋର୍ଡର ସାମନା କରିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କୁ ଗୃହ ବିଭାଗର ଓଏସଡି ପଦରେ ବସାଇ ରାଜ୍ୟ ସରକାର ବିଭାଗୀୟ ପ୍ରୋସିଡିଂ ଆରମ୍ଭ କଲେ ।
୬ ମାସ ଧରି ଓଡ଼ିଶାରେ ଏଭଳି ଦହଗଞ୍ଜ ହୋଇଥିବା ଉଭୟ ଅଧିକାରୀଙ୍କୁ କେନ୍ଦ୍ରର ବିଜେପି ସରକାର କ୍ଲିନଚିଟ୍ ଦେଇଛନ୍ତି କହିଲେ ଭୁଲ ହେବ ନାହିଁ । ସେମାନଙ୍କ କେନ୍ଦ୍ରୀୟ ଡେପୁଟେସନ ଆବେଦନକୁ ଗ୍ରହଣ କରି ଭଲ ଜାଗାରେ ୫ ବର୍ଷିଆ ପୋଷ୍ଟିଂ ଦେଇଛନ୍ତି । ତୁରନ୍ତ ଏହି ଦୁହିଁଙ୍କୁ ରିଲିଭ୍ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ।
ଏହି ଦୁଇ ବିବାଦୀୟ ଅଧିକାରୀଙ୍କ କେନ୍ଦ୍ରୀୟ ଡେପୁଟେସନକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । କେନ୍ଦ୍ର ସରକାର ସେମାନଙ୍କୁ ପ୍ରମୋସନ ସହ ଭଲ ଜାଗାରେ ପୋଷ୍ଟିଂ ଦେଇଥିବାରୁ ସେମାନଙ୍କ ବିରୋଧରେ ଆସିଥିବା ପୂର୍ବ ଅଭିଯୋଗ ମିଥ୍ୟା ନୁହେଁ କି ବୋଲି ରାଜନୈତିକ ସମୀକ୍ଷକମାନେ ପ୍ରଶ୍ନ କରିଛନ୍ତି । ଯଦି ସତ ଥିଲା, କେନ୍ଦ୍ର ସରକାର ଉଭୟଙ୍କୁ ପୁରସ୍କୃତ କରିବା ପଛର ରହସ୍ୟ ସେମାନେ ଜାଣିବାକୁ ଚାହିଁଛନ୍ତି ।
ଏହି ପ୍ରସଙ୍ଗକୁ ନେଇ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ପ୍ରମୋସନ ପାଉଥିବା ଏହି ଅଫିସରଙ୍କ ସହ ବିଜେପିର ଭଲ ସମ୍ପର୍କ ଥିଲା, ଯାହା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ସେ ସାମ୍ବାଦିକଙ୍କ ପ୍ରଶ୍ନରେ କହିଛନ୍ତି । ବିଜେପିଠାରୁ ସେ ଏହାର ଜବାବ ମଧ୍ୟ ମାଗିଛନ୍ତି ।
ଅନ୍ୟପକ୍ଷରେ ବିଜେପିର କିଛି ବିଧାୟକ ତାଙ୍କୁ କାଉଣ୍ଟର କରିବାକୁ ଯାଇ ସିଭିଲ୍ ସର୍ଭିସ୍ କଣ୍ଡକ୍ଟ ରୁଲ୍ ର ପାଠ ପଢ଼ାଇଛନ୍ତି । ଏହି ଅଫିସରମାନେ କାହା ଲିଙ୍କରେ ଥିଲେ ଏବଂ କାହା କାମ ପାଇଁ କାମ କରୁଥିଲେ ତାହା ସମସ୍ତେ ଜାଣିଛନ୍ତି । ସେଥିପାଇଁ ତାଙ୍କୁ ଦିଲ୍ଲୀ ପଠାଯାଇଛି ବୋଲି ନିର୍ଲ୍ଲଜ ଯୁକ୍ତି କରିଛନ୍ତି ।
ତେବେ ରାଜନୀତିର ଏହି ଆରୋପ ପ୍ରତ୍ୟାରୋପ ବାହାରେ ଉଭୟ ବିଜେଡି ଏବଂ ବିଜେପିର ନେତାମାନେ କୁଟ୍ଟେ ଓ ଆଶିଷ ସିଂଙ୍କ କେନ୍ଦ୍ରୀୟ ଡେପୁଟେସନ ଏବଂ ପ୍ରମୋସନ ପୋଷ୍ଟିଂକୁ ନେଇ କାବା ହୋଇଛନ୍ତି । ଉପର ଖେଳ ସେମାନେ ବୁଝି ନ ପାରି ପରଷ୍ପରକୁ ପଚାରୁଛନ୍ତି । ବିଜେପିର ଜଣେ ବିଧାୟକ ଏହି ଘଟଣାରେ ଲଜ୍ଜା ଅନୁଭବ କରି ଆମେ ଲୋକଙ୍କୁ କେମିତି ମୁହଁ ଦେଖାଇବୁ ବୋଲି ସାମ୍ବାଦିକଙ୍କୁ ନିଜ ମନର କଥା ଅଫ ଦି କ୍ୟାମେରା କହିଛନ୍ତି ।
ସେହିଭଳି ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟକୁ ବିଜେଡିର ଅଧିକାଂଶ ନେତା ବିଶ୍ୱାସ କରୁଛନ୍ତି । ପାଣ୍ଡିଆନ୍ ଏଥିରେ ଫସିଯାଇନାହାନ୍ତି ତ ବୋଲି ସେମାନେ ପରଷ୍ପରକୁ ପ୍ରଶ୍ନ କରୁଛନ୍ତି । ଏହାର ଖୋଳତାଡ଼ ପାଇଁ ଆମେ ନବୀନ ବାବୁଙ୍କ ପାଖରେ ଦାବି କରିବୁ ବୋଲି ଦଳର ଜଣେ ବରିଷ୍ଠ ବିଧାୟକ କହିଛନ୍ତି ।