ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । ୧୯୯୦ ବ୍ୟାଚ୍ ଅଧିକାରୀ ତଥା ନିକଟରେ ପୁଲିସ କମିଶନର ପଦରୁ ହଟି ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ କର୍ପୋରେସନ ସିଏମଡି ନିଯୁକ୍ତି ପାଇଥିବା ସୁଧାଶୁଂ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ ୧୯୯୪ ବ୍ୟାଚ୍ ଅଧିକାରୀ ଯଶୱନ୍ତ କୁମାର ଜେଠୱାଙ୍କୁ ଭିଜିଲାନସ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡ଼ିଥିଲା ।
୧୯୯୫ ବ୍ୟାଚ୍ ଅଧିକାରୀ ଆର.କେ. ଶର୍ମାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ହଟାଯାଇ ଆଇନଶୃଙ୍ଖଳା ଏଡିଜି ଭାବେ ଶ୍ରୀ ଜେଠୱାଙ୍କ ଜାଗାରେ ଅବସ୍ଥାପିତ କରାଯାଇଛି । ୧୯୯୨ ବ୍ୟାଚ୍ ର ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି ।
ପରିବହନ କମିଶନର ସଞ୍ଜୀବ ପଣ୍ଡା(୧୯୯୪ ବ୍ୟାଚ୍)ଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ରାଜ୍ୟ ପୁଲିସ ହାଉସିଂ କର୍ପୋରେସନ୍ ର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଓଏସଆରଟିସି ଏବଂ କ୍ରୁଟ୍ ର ସିଇଓ ଅରୁଣ ବୋଥ୍ରା(୧୯୯୬ ବ୍ୟାଚ୍) ଙ୍କୁ ବଦଳି କରାଯାଇ ପରିବହନ କମିଶନର ପଦରେ ଅବସ୍ଥାପିତ କରାଯାଇଛି ।
୧୯୯୭ ବ୍ୟାଚ୍ ଅଧିକାରୀ ଅସିତ୍ କୁମାର ପାଣିଗ୍ରାହୀଙ୍କୁ ଭିଜିଲାନସ୍ ଆଇଜି ଭାବେ ବଦଳି କରାଯାଇଛି । ହୋମଗାର୍ଡ ଏବଂ ଅଗ୍ନିଶମ ବିଭାଗର ଆଇଜି ଭାବେ ସେ କାର୍ଯ୍ୟ କରୁଥିଲେ ।







