ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଲାଗି ରହିଥିବା ଉତ୍କଣ୍ଠାର ଅବସାନ ଘଟିଛି । ଡୋନାଲ୍ଡ ଟ୍ରମ୍ପ୍ ଙ୍କୁ ହରାଇ ଦେଇଛନ୍ତି ୭୭ ବର୍ଷ ବୟସ୍କ ଜୋ ବାଇଡେନ୍ । ମ୍ୟାଜିକ୍ ନମ୍ବର ୨୭୦ ଇଲେକ୍ଟୋରାଲ ଭୋଟ୍ କୁ ପାର୍ କରିଛନ୍ତି ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ବାଇଡେନ୍ । ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଟ୍ରମ୍ପ୍ ୨୧୪ ଇଲେକ୍ଟୋରାଲ ଭୋଟ ପାଇଥିଲା ବେଳେ ବାଇଡେନ୍ ପାଇଛନ୍ତି ୨୭୩ ଭୋଟ । ୫ଟି ରାଜ୍ୟରେ ଭୋଟ ଗଣତି ଏବେ ବି ଜାରି ରହିଛି ।
ଟ୍ରମ୍ପ୍ ପେନସିଲଭାନିଆରେ ଭଲ ପ୍ରଦର୍ଶନ କରିଥିବା ଦାବି କରିଥିଲେ ମଧ୍ୟ ସେହି ପେନସିଲଭାନିଆ ହିଁ ବାଇଡେନ୍ ଙ୍କ ସ୍ଥିତିକୁ ସୁଦୃଢ଼ କରିଛି । ନେଭାଦା, ଜର୍ଜିଆ ଆଦି ରାଜ୍ୟରେ ମଧ୍ୟ ବାଇଡେନ୍ ଙ୍କ ସ୍ଥିତି ମଜବୁତ ରହିଛି ।
୭୭ ବର୍ଷ ବୟସ୍କ ବାଇଡେନ୍ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି । ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବେ ହ୍ୱାଇଟ୍ ହାଉସ୍ ଯିବେ । ଫଳାଫଳ ଆସିବା ପରେ ଆମେରିକାବାସୀ ଶାନ୍ତ ରହିବାକୁ ବାଇଡେନ୍ ଅପିଲ୍ କରିଛନ୍ତି । ଡେମୋକ୍ରାଟିକ୍ ପାର୍ଟି ସପକ୍ଷରେ ଜନମତ ଯାଇଥିବା ସେ କହିଛନ୍ତି ।








