ଭୁବନେଶ୍ୱର: ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାନ୍ତି । ଆଜି ସଂଧ୍ୟାରେ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ତାଙ୍କର ପରଲୋକରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି ।
ଗତ ୧୨ ତାରିଖରେ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ । ହଠାତ ଅସୁସ୍ଥ ଅନୁଭବ କରି ଚେତା ହରାଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାରୁ ତାଙ୍କର ମସ୍ତିଷ୍କଘାତ ହୋଇଥିବା ଜଣାପଡ଼ିଥିଲା । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଡାକ୍ତରମାନଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ ଆଜି ସଂଧ୍ୟାରେ ସେ ଆଖି ବୁଜି ଦେଇଥିଲେ ।
ଗୀତା ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କଠାରୁ ଆରମ୍ଭ କରି ସଙ୍ଗୀତ ଜଗତର ବରିଷ୍ଠ ବ୍ୟକ୍ତିତ୍ୱମାନେ ଶୋକ ପ୍ରକାଶ କରିଛନ୍ତି । ଆସନ୍ତାକାଲି ତାଙ୍କର ଅନ୍ତେଷ୍ଟିକ୍ରୟା ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।
Continue Reading






