ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଉ ମାତ୍ର ୭/ ୮ ମାସ । ଏହି ସମୟରେ ବିଜେପିର ସର୍ବୋଚ୍ଚ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଅଚାନକ ଓଡ଼ିଶା ଗସ୍ତରେ ଆସି ବିଜେଡି ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ମଞ୍ଚରେ ବସି ତାଙ୍କୁ ପ୍ରଶଂସା କରିବା ଏବଂ ଗୋପନ ଆଲୋଚନା କରିବା ଘଟଣା ଓଡ଼ିଶା ରାଜନୀତିକୁ ଭିନ୍ନ ମୋଡ଼ ଦେଇଛି । ବିଜେପି ଏବେ କେଉଁ ମୁହଁରେ ଲୋକଙ୍କ ପାଖକୁ ଯିବ ଏବଂ ନେତା ଓ କର୍ମୀଙ୍କ ମନୋବଳ ଫେରାଇବ ତାହା ରାଜ୍ୟ ବିଜେପି ନେତୃତ୍ୱ ପାଇଁ ବଡ଼ ସମସ୍ୟା ହୋଇଛି ।
ଓଡ଼ିଶାରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦୀ ହେଉଛି ବିଜେଡି । ୨୦୦୯ ରେ ଦୁହିଁଙ୍କ ମେଣ୍ଟ ଭାଙ୍ଗିବା ପରଠୁ ଏମାନେ ପରଷ୍ପର ବିରୋଧରେ ଲଢ଼େଇ କରୁଛନ୍ତି । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସଠାରୁ ଅଧିକ ଆସନ ପାଇ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଛି ବିଜେପି । ଗତଥର ଭଳି ଏଥର ମଧ୍ୟ ରାଜ୍ୟରେ କ୍ଷମତା ଦଖଲର ସ୍ୱପ୍ନ ଦେଖିଛି । ସୁନିଲ ବଂଶଲଙ୍କ କୌଶଳ ଏବଂ ମନମୋହନ ସାମଲଙ୍କ ନେତୃତ୍ୱରେ ନିର୍ବାଚନ ଫଳାଫଳ ପୂରା ଓଲଟେଇ ଦିଆଯିବ ବୋଲି ସାଧାରଣ ନେତା ଓ କର୍ମୀଙ୍କ ମନରେ ଏକ ଧାରଣା ପୂରାଯାଇଥିଲା ।
ସଂଗଠନକୁ କ୍ରିୟାଶୀଳ କରି ମୋଦୀ ସରକାରଙ୍କ ସଫଳତା ଏବଂ ନବୀନ ସରକାରଙ୍କ ବିଫଳତାକୁ ନିର୍ବାଚନ ଅସ୍ତ୍ର କରିବାକୁ ନିକଟରେ ଯୋଜନା ହୋଇଥିଲା । ମୋଦୀ ସରକାରଙ୍କ ୯ ବର୍ଷ ଶାସନର ପୂର୍ତ୍ତି ଅବସରରୁ ଏହାକୁ ଜୋରଦାର କରାଯାଇ ରାଜ୍ୟ ସରକାରଙ୍କ ବିରୋଧରେ ଏକ ମାହୋଲ ସୃଷ୍ଟି କରିବାକୁ ଉଦ୍ୟମ ହୋଇଥିଲା । ମାତ୍ର ଦୁଇ ମାସ ନ ହେଉଣୁ ତାହା ପାଣି ଫଟକା ଭଳି ମିଳେଇ ଯାଇଛି ।
ମଣିପୁର ଘଟଣାକୁ ନେଇ ଏନଡିଏ ସରକାର ବିରୋଧରେ ସଂସଦରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଏବଂ ଦିଲ୍ଲୀ ସେବା ବିଲ୍ ଓଡିଶାରେ ବିଜେଡି-ବିଜେପି ଅଙ୍କକୁ ଏପଟସେପଟ କରିଦେଲା ଦେଲା ବୋଲି କୁହାଯାଉଛି । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏନଡିଏ ବା ବିଜେପିକୁ ବିଜେଡିର ଖୋଲାଖୋଲି ସମର୍ଥନ ପରେ ସ୍ଥିତି ବଦଳି ଯାଇଛି । ସମଦୂରତ୍ୱ କଥା କହୁଥିବା ବିଜେଡି ଏନଡିଏର ବିପଦର ବନ୍ଧୁ ହୋଇଥିବା ବେଳେ ବିଜେଡିର ସମର୍ଥନ ବିନା କେନ୍ଦ୍ରରେ ବିଜେପି ସରକାର ତିଷ୍ଠିବା ସମ୍ଭବ ନୁହେଁ ବୋଲି ସାଧାରଣ ଜନତାଙ୍କ ପାଖକୁ ବାର୍ତ୍ତା ଯାଇଛି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ଆଗାମୀ ନିର୍ବାଚନ ଦୃଶ୍ୟପଟରେ ଏଥିରେ ବିଜେଡିର କ୍ଷତି ହେବାର ନାହିଁ । କ୍ଷତି ହେବ ବିଜେପିର । ପ୍ରଥମ କାରଣ ହେଉଛି, ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କ ବିରୋଧରେ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବାର ନୈତିକତା ବିଜେପି ପାଖରେ ରହିବ ନାହିଁ । ତୁମର ସର୍ବୋଚ୍ଚ ନେତା ନବୀନଙ୍କୁ ପ୍ରଶଂସା କରୁଥିବା ବେଳେ ତୁମେ ତାଙ୍କ ବିରୋଧରେ କହିବାକୁ କିଏ ବୋଲି ଲୋକ ଲୋକେ ପ୍ରଶ୍ନ କରିବେ । ବିଜେଡି ବିରୋଧରେ ତମକୁ ଭୋଟ ଦେଲେ ଫରକ କ’ଣ ବୋଲି ପ୍ରଶ୍ନ ଆସିପାରେ । ବିଜେଡି-ବିଜେପି ମଧ୍ୟରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ କୁ ନେଇ ଲୋକଙ୍କର ସନେ୍ଦହ ବି ରହିବ ।
ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ କ୍ଷମତାକୁ ନେଇ ରାଜ୍ୟରେ ବିଜେପି ନେତାମାନେ ତୁମ୍ବିତୋଫାନ କରୁଥିଲେ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଥିଲେ । ମାତ୍ର ଭୁବନେଶ୍ୱରରେ ଅମିତ ଶାହ ଏହି ସଚିବଙ୍କୁ ଡାକି ଏକାନ୍ତରେ ଆଲୋଚନା କରିବା ପରେ କାହାର କେତେ ଔକାତ୍ ଜଣାପଡ଼ିଯାଇଛି । ତୁମ୍ବିତୋଫାନ କରୁଥିବା ବିଜେପି ନେତାଙ୍କୁ ଏହି ପ୍ରଶ୍ନର ସାମନା କରିବାକୁ ବି ପଡ଼ିପାରେ ।
ଆଉ ଲୋକଙ୍କର ଏହିସବୁ ପ୍ରଶ୍ନ ଓ ସନ୍ଦେହ ବିଜେପି ପାଇଁ ଘାଟା ହେବ ବୋଲି ଦଳର କିଛି ବରିଷ୍ଠ ନେତା ଆଶଙ୍କାବ୍ୟକ୍ତ କରିଛନ୍ତି । ବିଜେଡି-ବିଜେପି ସମ୍ପର୍କକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭାବନା ରାଜ୍ୟ ବିଜେପି ପାଇଁ ମଙ୍ଗଳଦାୟକ ନୁହେଁ ବୋଲି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଗଣମାଧ୍ୟମରେ ମାନିଛନ୍ତି । କେନ୍ଦ୍ରରେ ମୋଦୀ ସରକାର ଏବଂ ଓଡ଼ିଶାରେ ନବୀନ ସରକାର ବିଶ୍ୱାସ ଦ୍ୱାରା ଓଡ଼ିଶାରେ ବିଜେପି କ୍ଷମତା ଆଶାଠାରୁ ଯଥେଷ୍ଟ ଦୂରରେ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ, ଏହି ପ୍ରଚାର ଓଡ଼ିଶାରେ ବିଜେପି ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗୁଥିବା ସେ ଖୋଲା ମନରେ ସ୍ୱୀକାର କରିଛନ୍ତି ।
ଅତଏବ ଓଡ଼ିଶା ବିଜେପି ପାଇଁ ଏବେ ବଡ଼ ଚାଲେଂଜ ହେଉଛି ନେତା ଓ କର୍ମୀଙ୍କ ମନୋବଳ ଫେରାଇବା । ସେମାନଙ୍କ ମନୋବଳ ନ ଫେରାଇଲେ ଆଗକୁ ନିର୍ବାଚନ ଲଢ଼ିବା କଷ୍ଟକର ବୋଲି ରାଜ୍ୟ ନେତୃତ୍ୱ ବୁଝିଲେଣି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରର କିଛି ନେତାଙ୍କ ସହଯୋଗ ଲୋଡାଯାଇଥିବା ଦଳୀୟ ମହଲରୁ ଜଣାପଡ଼ିଛି । ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭ ଦେଖାଇବାକୁ ଅନୁରୋଧ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାଗସ୍ତରେ ଆସିଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ଅଗ୍ରାହ୍ୟ କରି ବିଜେପି ଏକାକୀ ସରକାର ଗଢ଼ିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଗଣମାଧ୍ୟମକୁ ସମାନ କଥା କହିଛନ୍ତି । ବିଜେପି ୧୪୭ ଟି ବିଧାନସଭା ଆସନ ଏବଂ ୨୧ ଟି ଲୋକସଭା ଆସନରେ ଲଢ଼ିବ ଏବଂ ରାଜ୍ୟରେ ନିଶ୍ଚିତ ସରକାର ଗଢ଼ିବ ବୋଲି ଦମ୍ଭ ଦେଖାଇଛନ୍ତି ।