ଭୁବନେଶ୍ୱର: ସାଂସଦ କି ବିଧାୟକଙ୍କ କ୍ଷେତ୍ରରେ ସ୍ଥାନୀୟ ପ୍ରତିନିଧି ନିଯୁକ୍ତି ପାଇଁ ସେଭଳି କୌଣସି ନିୟମ ନାହିଁ । ମାତ୍ର ଅଧିକାଂଶ ବିଧାନସଭା କ୍ଷେତ୍ରରେ ସାଂସଦଙ୍କ ଦ୍ୱାରା ଅଧିକୃତ ପ୍ରତିନିଧିମାନଙ୍କୁ ଦେଖିବାକୁ ମିଳେ । ସ୍ଥାନୀୟ ଅଞ୍ଚଳର ସମସ୍ୟା ସାଂସଦଙ୍କୁ ଜଣାଇବା ଏବଂ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା ଏହାର ମୂଳ ଉଦ୍ଦେଶ୍ୟ । ଯଦିଓ ଆଇନରେ ସେଭଳି ବ୍ୟବସ୍ଥା ନାହିଁ କି ଏହାର ଆଇନଗତ ବୈଧତା ନାହିଁ । ମାତ୍ର ଖଣି କାରବାର କରୁଥିବା ସଂସ୍ଥାରେ ସାଂସଦଙ୍କ ଦ୍ୱାରା ଅଧିକୃତ ପ୍ରତିନିଧି ରହିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହାର ପ୍ରମାଣ ଆମର ହସ୍ତଗତ ହୋଇଛି ।
ସୁନ୍ଦରଗଡ଼ ଜିଲ୍ଲାର କୋଇଡାରେ ଥିବା ଓଏମସିର ଖଣ୍ଡାଧାର କୁରମିତ୍ର ମାଇନସ୍ ରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିନିଧି ଭାବେ ନିଯୁକ୍ତି ପାଇଛନ୍ତି ବାଗୁନ୍ ଗଗ୍ରାଇ ନାମକ ଜଣେ ବ୍ୟକ୍ତି । ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ଗ୍ରାମରେ ଏହି ବ୍ୟକ୍ତିଙ୍କ ଘର । ଅଗଷ୍ଟ ୨୫ ତାରିଖରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ୍ ଙ୍କ ସରକାରୀ ପ୍ୟାଡ୍ ରେ ଏବଂ ତାଙ୍କ ଦସ୍ତଖତରେ କୋଇଡାସ୍ଥିତ ଓଏମସିର ରିଜିଓନାଲ୍ ମ୍ୟାନେଜର ପି.କେ ନାୟକଙ୍କୁ ଏହାର ଚିଠି ହୋଇଛି ।
ଜୁଏଲ୍ ଙ୍କ ଦସ୍ତଖତରେ ହୋଇଥିବା ଚିଠିରେ ଶ୍ରୀ ବାଗୁନ୍ ଗଗ୍ରାଇଙ୍କୁ ଖଣ୍ଡାଧାର କୁରମିତ୍ର ମାଇନସ୍ ରେ ସାଂସଦଙ୍କ ପ୍ରତିନିଧି ଭାବେ ଅଧିକୃତ କରାଯାଇଛି । ସାଂସଦଙ୍କ ପକ୍ଷରୁ ସେ ବିଭିନ୍ନ କଥା ବୁଝାବୁଝି କରିବେ । ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅଫିସରମାନଙ୍କ ସହ କଥା ହେବେ । ସବୁ ବୈଠକରେ ଯୋଗଦେଇ ସାଂସଦଙ୍କ ପକ୍ଷରୁ ଅନୁମୋଦନ ଏବଂ ପରାମର୍ଶ ରଖିବେ ବୋଲି ଉଲ୍ଲେଖ କରାଯାଇଛି ।
ଖଣି ବିଭାଗର ଜନୈକ ଅଧିକାରୀଙ୍କଠାରୁ ଏହି ଚିଠିଟି ଆମର ହସ୍ତଗତ ହୋଇଛି । ତେବେ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିକ୍ରିୟା ଜାଣିବାକୁ ଆମେ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ହୁଏତ ଜୁଏଲ୍ ଙ୍କୁ ବଦନାମ କରିବା ପାଇଁ କିଏ ଚକ୍ରାନ୍ତ କରିଥାଇପାରନ୍ତି । ସେଭଳି ହୋଇଥିଲେ ଆମେ ନିଶ୍ଚିତ ଆପଣଙ୍କୁ ଜଣାଇବୁ । ମାତ୍ର ଯଦି ଚିଠିଟି ସତ ହୋଇଥାଏ, ତେବେ ସାଂଘାତିକ ।








