ଭୁବନେଶ୍ୱର: ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟରେ ଏକ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ ହେବ । ଉକ୍ତ ଷ୍ଟ୍ରାଇକିଂ ଫାୟର ଫୋର୍ସରେ ୧୪୪ ବିଶିଷ୍ଟ ହେବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ନିଷ୍ପତ୍ତି ଅନୁଯାୟୀ, କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍ ରେ ଏହି ଷ୍ଟ୍ରାଇକିଂ ଫୋର୍ସର ୩ ଟି ରେଞ୍ଜ ହେଡକ୍ୱାର୍ଟର ରହିବ । ପ୍ରତ୍ୟେକ ରେଞ୍ଜ ହେଡକ୍ୱାର୍ଟରରେ ୪୮ ପଦବୀ ସହ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ । ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟରମ୍ୟାନ ଡ୍ରାଇଭର ଓ ଫାୟରମ୍ୟାନ ଭଳି ପଦବୀ ରହିବ ।
ଏହି ବାହିନୀକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସଂପନ୍ନ ଷ୍ଟ୍ରାଇକିଂ ଫୋର୍ସ ଭାବରେ ବିକଶିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ଉକ୍ତ ବୈଠକକୁ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ସଂଚଳନା କରିଥିଲେ । ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ ଉପାଧ୍ୟୟ ପ୍ରସ୍ତାବ ସମ୍ପର୍କ ରେ ଉପସ୍ଥାପନା କରିଥିଲେ ।
ଆଲୋଚନା ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା ଓ ଅତିରିକ୍ତ ଡିଜି ଶ୍ରୀମତୀ ସୌମ୍ୟା ମିଶ୍ର ପ୍ରମୁଖ ଭାଗ ନେଇଥିଲେ ।