ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଯାତ୍ରା କରିଛନ୍ତି । ସେ ସର୍ଭିକାଲ ଆଥ୍ରାଇଟିସ୍ ରେ ପୀଡ଼ିତ ଥିବାରୁ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେବେ । ୨୨ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହେବ । ଖ୍ୟାତିସମ୍ପନ୍ନ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଅସ୍ତ୍ରୋପଚାର ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।
ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କରି ତାଙ୍କୁ ବିଦାୟ ଦେଇଛନ୍ତି ଦଳର ଅଗଣିତ ନେତା, କର୍ମୀ ଏବଂ ଶୁଭେଚ୍ଛୁ । ନବୀନଙ୍କ ପ୍ରତି ଲୋକଙ୍କର ଭଲ ପାଇବା ଅତୁଟ ଥିଲେ ମଧ୍ୟ ଏହି ଅବସରରୁ ରାଜନୈତିକ ଫାଇଦା ନେବା ପାଇଁ ବିଜେଡି ଉଦ୍ୟମ କରିଛି । ନବୀନ ନିବାସରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଲୋକ ଜମାଇ ନବୀନଙ୍କ ଲୋକପ୍ରିୟତା ଦେଖାଇ ହେବାକୁ ଚେଷ୍ଟା କରାଯାଇଥିଲା ।
ପୂର୍ବ ଯୋଜନା ଅନୁଯାୟୀ, ନବୀନ ବାବୁ ନବୀନ ନିବାସରୁ ଏୟାରପୋର୍ଟ ଅଭିମୁଖେ ବାହାରିବା ବେଳେ ମହିଳା କର୍ମୀମାନେ କଳସ ଉପରେ ପଇଡ଼ ଥୋଇ ତାଙ୍କୁ ବନ୍ଦାପନା କରିବା ସହ ହୁଳହୁଳି ପକାଇ ଶୁଭମନାସୀ ଥିଲେ । ତାଙ୍କର ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରୁ ବିମାନ ବନ୍ଦର ପର୍ଯ୍ୟନ୍ତ ବିଜେଡି ନେତା ଓ କର୍ମୀଙ୍କର ପ୍ରବଳ ଗହଳି ହୋଇଥିଲା । ଭୁବନେଶ୍ୱର ଓ ଆଖପାଖରୁ ବହୁ ଶୁଭେଚ୍ଛୁ ମଧ୍ୟ ଆସିଥିଲେ । ସମସ୍ତେ ପ୍ରିୟ ନେତାଙ୍କ ଆରୋଗ୍ୟ କାମନା କରି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ନବୀନ ଗାଡ଼ି ଭିତରୁ ହାତ ହଲାଇ ଶୁଭେଚ୍ଛା ଗ୍ରହଣ କରିଥିଲେ । ସମସ୍ତଙ୍କର ଏଭଳି ଭଲ ପାଇବା ନବୀନଙ୍କୁ ଭାବବିହ୍ୱଳ କରିଥିଲା ।
ତଥାକଥିତ ଏକ ଛୋଟ ଅପରେସନ୍ ପାଇଁ ମୁମ୍ବାଇ ଯାଉଥିବା ନବୀନଙ୍କୁ ବିମାନବନ୍ଦରରେ ଛାଡ଼ିବା ପାଇଁ ବିଜେଡିର ଏହି ବଡ଼ ଆୟୋଜନ ଓ ପ୍ରଚାରକୁ ଅନେକ କିନ୍ତୁ ନାପସନ୍ଦ କରିଛନ୍ତି । ନବୀନ ବାବୁ ସର୍ଭିକାଲ ଆଥ୍ରାଇଟିସ୍ ରେ ପୀଡ଼ିତ ବୋଲି ନିଜେ ତାଙ୍କ ଏକ୍ସ ହାଣ୍ଡଲରେ ସୂଚନା ଦେଇଛନ୍ତି ଏବଂ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅପରେସନ୍ ହେବ ବୋଲି କହିଛନ୍ତି । ତାଙ୍କର ଅନ୍ୟ କୌଣସି ସମସ୍ୟା ନାହିଁ ।
ସମାଲୋଚକଙ୍କ ମତରେ ଏହା ଯଦି ସତ, ତେବେ ସର୍ଭିକାଲ ଆଥ୍ରାଇଟିସ୍ ଛାନିଆଁ କଲା ଭଳି ରୋଗ ନୁହେଁ ଏବଂ ଏହାର ଅପରେସନ୍ ସାଧାରଣ ପର୍ଯ୍ୟାୟର ବୋଲି କୁହାଯାଇପାରିବ । ଏଥିପାଇଁ କାନ୍ଦବୋବାଳିର ଆବଶ୍ୟକତା ନାହିଁ । ବରଂ ନବୀନଙ୍କୁ ନେଇ ଜନମାନସରେ ଏହା ବିଭ୍ରାନ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି ।
ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଭଲ ପାଆନ୍ତି ଏବଂ ତାଙ୍କର ସୁସ୍ଥତା ସମସ୍ତଙ୍କର କାମ୍ୟ । ମାତ୍ର ଏକ ଛୋଟ ଅପରେସନ୍ ପାଇଁ ମୁମ୍ବାଇ ଯାଉଥିବା ନବୀନଙ୍କୁ ବିଦାୟ ଜଣାଇବା ପାଇଁ ଯେଭଳି ଆୟୋଜନ କରାଗଲା ତାହା ଓଲଟି ଚିନ୍ତାର ବିଷୟ । କାରଣ ପୂର୍ବରୁ ବିରୋଧୀ ଯାହା କରୁଥିଲେ ଏବେ ବିଜେଡିର ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସେହି କାମ କରୁଛନ୍ତି । ମାତ୍ର ଏହା ବିଜେଡିକୁ ଏହା ଫାଇଦା ଦେବ ନାହିଁ ବୋଲି ସମାଲୋଚକମାନେ କହିଛନ୍ତି ।