ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ୬ ଦିନିଆ ଗସ୍ତ କାଳରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଆଜି(ବୁଧବାର) ସଂଧ୍ୟାରେ ଆୟୋଜିତ ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ୧୬ ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ପୁଞ୍ଜିନିବେଶକଙ୍କ ସହ ସେ ସିଧାସଳଖ କଥା ହେବେ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ପରିବେଶ ଉପରେ ମୁଖ୍ୟମନ୍ତ୍ରୀ ବୁଝାଇବେ । ନଭେମ୍ବର ୩୦ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ପୂର୍ବରୁ ଆୟୋଜିତ ଏହି ଇନଭେଷ୍ଟର୍ସ ମିଟ୍ କୁ ଅଧିକ ଗୁରୁତ୍ୱ ଦିଆଯାଉଛି ।
୪ ତାରିଖ ପୂର୍ବାହ୍ନରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ । ନବୀନଙ୍କ ଦକ୍ଷ ଓ ସଫଳ ନେତୃତ୍ୱ ପାଇଁ ନୂଆଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି’ ପକ୍ଷରୁ ଏହି ସମ୍ମାନ ଦିଆଯିବ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍ ଭି ରମଣା ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ପ୍ରଦାନ କରିବେ । ଜଷ୍ଟିସ୍ ଏ.କେ.ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତକାଳରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି । ୬ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବେ ।