ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ହୋଇଗଲାଣି । ଓଡ଼ିଶାରେ କଂଗ୍ରେସର ସମର୍ଥନ ଲୋଡ଼ିବା ପାଇଁ ଆସନ୍ତା ୮ ତାରିଖ ଦିନ ସେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଅଛି । ମାତ୍ର ଏହାପୂର୍ବରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଗ୍ରେସର ସମର୍ଥନ ଯୋଗାଡ଼ ଉଦ୍ୟମକୁ ଜୋରଦାର କରିଛନ୍ତି । ରାଜ୍ୟ ବିଜେପି ନେତୃତ୍ୱ ନିଜର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଚୁପ୍ ବସିଥିବା ବେଳେ ନବୀନଙ୍କ ଏହି ଉଦ୍ୟମ ଚର୍ଚ୍ଚାର ବିଷୟ ହୋଇଛି ।
ଏଥର ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୋଟ ନିର୍ଣ୍ଣାୟକ ହୋଇଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ନବୀନ କେବଳ ସ୍ୱାଗତ କି ସମର୍ଥନ କରି ନାହାନ୍ତି ବରଂ ଓଡ଼ିଶାର ଝିଅକୁ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସମର୍ଥନ କରିବାକୁ ପ୍ରଥମରୁ ଅପିଲ୍ କରିଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଆଲୋଚନା କରିଥିଲେ ଏବଂ ତାହା ତାଙ୍କୁ ଖୁସି ଦେଇଥିଲା ବୋଲି ମଧ୍ୟ ନବୀନ ଟୁଇଟ୍ କରି ଜଣାଇଥିଲେ ।
ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ କରିବା ପାଇଁ ନବୀନଙ୍କ ଅପିଲ୍ କଂଗ୍ରେସକୁ ଧର୍ମ ସଙ୍କଟରେ ପକାଇଥିଲେ ମଧ୍ୟ ଆଗ ପାର୍ଟି ଏବଂ ତା’ପରେ ମାଟି ବୋଲି କଂଗ୍ରେସ ନିଷ୍ପତ୍ତି ଘୋଷଣା କରିଛି । ଅର୍ଥାତ୍ ବିରୋଧୀ ଦଳଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ହିଁ ଭୋଟ ଦେବ । ଏହି ପରିପ୍ରେକ୍ଷୀରେ ଦ୍ରୌପଦୀଙ୍କ ସପକ୍ଷରେ କଂଗ୍ରେସ ଭୋଟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦ୍ୱିତୀୟ ବାର ଉଦ୍ୟମ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ କଥା ହେବା ପାଇଁ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଆଜି ପଠାଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ ନିଜେ ମଧ୍ୟ ଫୋନ୍ ରେ କଥା ହୋଇ ଦ୍ରୌପଦୀଙ୍କ ପାଇଁ ସମର୍ଥନ ମାଗିଥିଲେ ।
ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଯୋଗାଡ଼ ପାଇଁ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କର ସବୁ ମନ୍ତ୍ରୀ ଏବଂ ଦଳର ବରିଷ୍ଠ ଉପ ସଭାପତିମାନଙ୍କୁ ଦାୟିତ୍ୱ ଦେଇଛନ୍ତି । କଂଗ୍ରେସର ୯ ଜଣ ଯାକ ବିଧାୟକ, ଏକମାତ୍ର ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ପିସିସି ସଭାପତିଙ୍କୁ ଭେଟି ସେମାନେ ସମର୍ଥନ ମାଗିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ସଂକ୍ରାନ୍ତରେ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।








