ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ଚାଲିଥିବା ମହାନଦୀ ଜଳ ବିବାଦର ଆଜି ଶୁଣାଣି ହୋଇଥିଲା । ମାତ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ ଜେନେରାଲଙ୍କ ଅନୁପସ୍ଥିତି ବିବାଦ ସୃଷ୍ଟି କରିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି ନିଜ ଏକ୍ସ ହାଣ୍ଡଲରେ ପ୍ରଶ୍ନବାଣ ଛାଡ଼ିଛନ୍ତି । ନବୀନ ପଚାରିଛନ୍ତି, ମହାନଦୀର ସୁରକ୍ଷାଠାରୁ ଏମିତି କ’ଣ ଗୁରୁତ୍ୱପୂର୍ଣ୍ଣ କାମ ରହିଲା ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ଆଡଭୋକେଟ ଜେନେରାଲ ଉପସ୍ଥିତ ରହିଲେ ନାହିଁ? ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ଓଡ଼ିଶାବାସୀଙ୍କୁ ମିଳିଲା କ’ଣ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ତଥା ପ୍ରତିବଦ୍ଧତା ନାହିଁ । ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି । ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
ନବୀନ ଆହୁରି ଲେଖିଛନ୍ତି ଯେ ମହାନଦୀ ଆମ ମା’, ଓଡ଼ିଶାର ଜୀବନରେଖା । ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ । ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ । ମହାନଦୀକୁ ବଞ୍ଚାଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର ହେବ ବୋଲି ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି ।
ଅପରପକ୍ଷରେ ନବୀନଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ । ସେ କହିଛନ୍ତି ଯେ ନବୀନ ବାବୁ ମୁହଁ ଖୋଲିବା ପୂର୍ବରୁ ଆତ୍ମସମୀକ୍ଷା କରିବା ଉଚିତ ଥିଲା । ୭ ବର୍ଷ ଧରି ତାଙ୍କ ଲିଗାଲ ଟିମ୍ ରାଜକୋଷରୁ କୋଟି କୋଟି ଟଙ୍କା ଶ୍ରାଦ୍ଧ କରିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସକରାତ୍ମକ ଚିନ୍ତାଧାରା ମହାନଦୀ ଜଳ ବିବାଦ ସମାଧାନର ବାଟ ଦେଖାଇଛି । କେନ୍ଦ୍ରର ହସ୍ତକ୍ଷେପ ଯୋଗୁଁ ଉଭୟ ରାଜ୍ୟ ଆପୋଷ ସମାଧାନର ଦ୍ୱାରଦେଶରେ ପହଞ୍ଚିଛନ୍ତି ।
ଆଜିର ଟ୍ରିବ୍ୟୁନାଲ ଶୁଣାଣିରେ ତାଙ୍କ ଅନୁପସ୍ଥିତି ନେଇ ତାଙ୍କର ପ୍ରତିକ୍ରିୟା ହେଉଛି, ଏଜି ଦାୟିତ୍ୱ ପରେ ସମସ୍ତ ଶୁଣାଣିରେ ମୋ ଉପସ୍ଥିତି ରାଜ୍ୟବାସୀଙ୍କୁ ଜଣା । ଆଜିର ଶୁଣାଣି କେବଳ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା । ଆଜି ମୋ ଉପସ୍ଥିତିର ଆଦୌ ଆବଶ୍ୟକ ନ ଥିଲା । ନବୀନ ବାବୁଙ୍କ ଭକ୍ତି ନୈରାଶ୍ୟଜନକ, ହଠାତ ନିଦରୁ ଉଠି ପ୍ରଳାପ ଭଳି ।