ଭୁବନେଶ୍ୱର: ଡିହାଇଡ୍ରେସନ୍ ରେ ପୀଡ଼ିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ଅପରାହ୍ନରେ ତାଙ୍କୁ ଆଇସିୟୁ ଅବଜରଭେସନ୍ ରୁମ୍ ରୁ କ୍ୟାବିନ୍ କୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ସତେଜ ଅନୁଭବ କରୁଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି ବୋଲି ସମ୍ମମ ଅଲ୍ଟିମେଟ୍ ପକ୍ଷରୁ ମେଡିକାଲ୍ ବୁଲେଟିନ୍ ରେ କୁହାଯାଇଛି ।
ଅନ୍ୟପକ୍ଷରେ ମେଡିକାଲ୍ ବେଡ୍ ରୁ ନବୀନଙ୍କର ଏକ ଭିଡିଓ ବାର୍ତ୍ତା ଆସିଛି । ସେ କହିଛନ୍ତି, ମୁଁ ସମ୍ମମ୍ ହସ୍ପିଟାଲ୍ ରେ ଅଛି । ଏଠିକା ଷ୍ଟାଫ୍ ଏବଂ ଡାକ୍ତରମାନେ ମୋର ଚମକ୍ରାର ଯତ୍ନ ନେଉଛନ୍ତି । ଆପଣମାନଙ୍କ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଆପଣମାନେ ଯଦି ମୋତେ ଦେଖିବାକୁ ଚାହୁଁଛନ୍ତି ତେବେ ନବୀନ ନିବାସ ଆସିପାରିବେ । ସମସ୍ତଙ୍କୁ ସ୍ୱାଗତ କରିବି ।
ସୂଚନାଥାଉକି, ମୁମ୍ବାଇରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ର ସଫଳ ଅସ୍ତ୍ରୋପଚାର ପରେ ନବୀନ ସୁସ୍ଥ ହୋଇ ଫେରିଥିଲେ । ସମ୍ଭବତଃ ବିଶ୍ରାମ ନେଉଥିବାରୁ ବେଶୀ କାହାରିକୁ ଭେଟୁ ନ ଥିଲେ । ତେବେ ଶୁକ୍ରବାର ଦିନ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ଭୀଷଣ ଅସୁସ୍ଥ ଅନୁଭବ କରିବାରୁ ଏକ ଡାକ୍ତରୀ ଟିମ୍ ନବୀନ ନିବାସ ଆସି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ହସ୍ପିଟାଲ୍ ରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଖବର ପ୍ରଘଟ ହୋଇଯିବା ଆଶଙ୍କାରେ ହସ୍ପିଟାଲ୍ ନ ନେବା ସକାଶେ ନବୀନ ନିବାସରୁ ନିଷ୍ପତ୍ତି ହୋଇଥିଲା ।
ତେବେ ତାଙ୍କ ଅବସ୍ଥାରେ ଅବନତି ଘଟିବାରୁ ଗତକାଲି(ରବିବାର) ଅପରାହ୍ନ ୫ଟା ୧୫ ମିନିଟ୍ ରେ ସମ୍ମମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଡିହାଇଡ୍ରେସନ୍ ହୋଇଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଥିଲା ।
ଏହି ଖବର ଜଣାପଡ଼ିବା ପରେ ତାଙ୍କୁ ଦେଖିବା ପାଇଁ ବିଳମ୍ବିତ ରାତି ଯାଏଁ ହସ୍ପିଟାଲରେ ପ୍ରବଳ ଗହଳି ହୋଇଥିଲା । ବିଜେଡିର ବରିଷ୍ଠ ନେତାମାନଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ପହଞ୍ଚଥିଲେ । ମାତ୍ର ଚିକିତ୍ସାରେ ବାଧା ଆଶଙ୍କାରେ ନବୀନ ଚିକିତ୍ସିତ ହେଉଥିବା ତୃତୀୟ ମହଲାର ଆଇସିୟୁ ଅବଜରଭେସନ୍ ରୁମ୍ କୁ କାହାରିକୁ ଛଡ଼ା ଯାଇ ନ ଥିଲା । ଦ୍ୱିତୀୟ ମହଲାର ୱେଟିଂ ରୁମ୍ ରେ ସେମାନଙ୍କୁ ବସାଯାଇଥିଲା । ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଦଳ ଦଳ ନେତାଙ୍କୁ ଡାକ୍ତରମାନେ ଅବଗତ କରାଇଥିଲେ । ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆଜି ମଧ୍ୟ ହସ୍ପିଟାଲରେ ଦଳୀୟ ନେତାଙ୍କର ଭିଡ଼ ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ନବୀନଙ୍କ ସବୁଠାରୁ ବିଶ୍ୱସ୍ତ ଭି.କେ ପାଣ୍ଡିଆନ୍ ଏବଂ ତାଙ୍କ ପତ୍ନୀ ସୁଜାତାଙ୍କୁ ହସ୍ପିଟାଲ୍ ରେ ନବୀନଙ୍କ ସମସ୍ତ ଦାୟିତ୍ୱ ବୁଝୁଥିବା ଦେଖିବାକୁ ମିଳିଛି ।







