*ଲାଗୁ ହେବ ୦.୫% ଡି ଆଡିକ୍ସନ୍ ସେସ୍
*’ହୋମ୍ ଡେଲିଭରି’ ବ୍ୟବସ୍ଥା ବନ୍ଦ
*ଏମଜିକ୍ୟୁ ବଦଳରେ ଏମଜିଇଆର ବ୍ୟବସ୍ଥା
*ବଡ଼ଦାଣ୍ଡରେ ମଦ ବିକ୍ରି ବନ୍ଦ
ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୍): ରାଜ୍ୟର ବିଜେପି ସରକାର ତାଙ୍କର ପ୍ରଥମ ଅବକାରୀ ନୀତି ପ୍ରଣୟନ କରିଛନ୍ତି । ଆସନ୍ତା ୩ ବର୍ଷ ପାଇଁ ନୂଆ ଅବକାରୀ ନୀତି ଘୋଷଣା ହୋଇଛି । ଏପ୍ରିଲ୍ ୧ରୁ ଏହା କାର୍ଯ୍ୟକ୍ଷମ ହୋଇ ୨୦୨୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଜି ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନୂଆ ଅବକାରୀ ନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । ନୂଆ ନୀତିରେ ରାଜ୍ୟରେ କୌଣସି ନୂଆ “ଅଫ ସପ୍’, ଦେଶୀ ମଦ କିମ୍ବା ଆଉଟ-ଷ୍ଟିଲ୍ ଦୋକାନ ଖୋଲିବାକୁ ଅନୁମତି ମିଳିବନି । ଗ୍ରାମାଞ୍ଚଳରେ ମଧ୍ୟ ନୂଆ ‘ଅନ ସପ୍’ ଦୋକାନ ଖୋଲିବ ନାହିଁ । ଫଳରେ ତିନିବର୍ଷ ଯାଏଁ ନୂଆ ମଦ ଦୋକାନ ଖୋଲିବ ନାହିଁ । କେବଳ ଶିଳ୍ପାଞ୍ଚଳରେ ଥିବା ଥ୍ରି ଷ୍ଟାର ବା ତଦୁର୍ଦ୍ଧ ଷ୍ଟାର୍ ହୋଟେଲ ଓ କ୍ଲବଗୁଡ଼ିକରେ ଛାଡ଼ ରହିବ ।
ପ୍ରଥମ ଥର ଲାଗି ଅବକାରୀ ଶୁକ୍ଳ ଉପରେ ୦.୫% ଡି ଆଡିକ୍ସନ୍ ସେସ୍ ବା ନିଶା ନିବାରଣ କର ଲାଗୁ କରାଯିବ । ଏହା ମାଧ୍ୟମରେ ରାଜ୍ୟ ସରକାର ମଦକୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରିଛନ୍ତି । ଏହି ଅତିରିକ୍ତ ସେସ୍ ରୁ ଆଦାୟ ଅର୍ଥକୁ ମଡେଲ ନିଶାମୁକ୍ତି କେନ୍ଦ୍ର ସ୍ଥାପନ ଓ ପରିଚାଳନା ପାଇଁ ଖର୍ଚ୍ଚ କରାଯିବ । ନୂଆନୀତି ଅନୁସାରେ, ପ୍ରତିବର୍ଷ ଲାଇସେନ୍ସ ଶୁକ୍ଳରେ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ହେବ । ଏଥିସହ ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁକ୍ଳ ୧୦% ବୃଦ୍ଧି କରାଯାଇଛି । ବିଦେଶୀ ମଦ(ଆଇଏମଏଫଏଲ) ଓ ଦେଶୀ ମଦ ଉପରେ ଅବକାରୀ ଶୁକ୍ଳ ବୃଦ୍ଧି କାରଣରୁ ବଜାରରେ ମଦର ଦର ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।
ନୂଆ ଅବକାରୀ ନୀତିରେ ମଦ ବ୍ୟବସାୟୀଙ୍କ ପାଇଁ ପ୍ରଚଳିତ ଏମଜିକ୍ୟୁ ବା ସର୍ବନିମ୍ନ ନିଶ୍ଚିତ ପରିମାଣକୁ ହଟାଇ ସର୍ବନିମ୍ନ ନିଶ୍ଚିତ ଅବକାରୀ ରାଜସ୍ୱ(ଏମଜିଇଆର) ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏହାଦ୍ୱାରା ବ୍ୟବସାୟୀଙ୍କ ଉପରେ ବିକ୍ରି ପରିମାଣରେ ବୃଦ୍ଧିସ ପାଇଁ ରହୁଥିବା ଚାପ ହ୍ରାସ ପାଇବ ଓ ଅବୈଧ ‘କୁଚିଆ’ ବିକ୍ରୟ ପ୍ରଥା ଉପରେ ମଧ୍ୟ କଟକଣା ଲାଗିବ ।
ସମଗ୍ର ରାଜ୍ୟରେ ମଦର ‘ହୋମ୍ ଡେଲିଭରି’ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।
ପୂର୍ବରୁ ପ୍ରଚଳିତ ବାର୍ଷିକ ଅବକାରୀ ନୀତି ବଦଳରେ ଏହି ତୈବାର୍ଷିକ ନୀତି ମାଧ୍ୟମରେ ସରକାର ମଦ କାରବାରକୁ ଅଧିକ ନିୟନ୍ତ୍ରିତ କରିବା ସହ ରାଜ୍ୟରେ ମଡେଲ ନିଶା ନିବାରଣ କେନ୍ଦ୍ର ସ୍ଥାପନ ଓ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି । ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଜଣାଇ ପୁରୀର ବଡ଼ଦାଣ୍ଡରେ ମଦ ଦୋକାନ ରହିବା ଉପରେ କଟକଣା ଜାରି କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୋ÷ଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ ।
ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକରେ ‘ଏଫଏସଏସଏଆଇ’ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରାଯାଇଛି । ମଦର ଚୋରା କାରବାର ରୋକିବା ପାଇଁ ସରକାର ‘ଟ୍ରାକ୍ ଆଣ୍ଡ ଟ୍ରେସ’ ପ୍ରଣାଳୀ ଓ ସିସିଟିଭି ବ୍ୟବସ୍ଥା ଲାଗୁ କରାଯିବ । ସମସ୍ତ ମଦ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନଗୁଡ଼ିକୁ ସିସିଟିଭି ନିରୀକ୍ଷଣ ଅଧୀନକୁ ଅଣାଯିବ । ଯଦ୍ୱାରା ଅବକାରୀ କମିସନରଙ୍କ କାର୍ଯ୍ୟାଳୟରୁ ତଦାରଖ ହୋଇପାରିବ ।
ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାରଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନତି କରିବାକୁ ଯୋଜନା ହୋଇଛି ।