ଭୁବନେଶ୍ୱର: ପ୍ରଶାସନର ଉଦ୍ୟମ ଶେଷରେ ସଫଳ ହୋଇଛି । ପାଖାପାଖି ତିନି ମାସ ବନ୍ଦ ରହିବା ପରେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର । ପାଠ ପଢ଼ିବାକୁ ଆସିବେ ପିଲା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଘଡ଼ିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ର ସୋମବାର ଦିନଠୁ ଯଥାରୀତି ଚାଲିବ । ପ୍ରଶାସନର ବୁଝାସୁଝା ପରେ ଗ୍ରାମବାସୀମାନେ ସହଯୋଗ ପାଇଁ ରାଜି ହୋଇଛନ୍ତି । ଜାତିଭେଦ ଦୂର ପାଇଁ ଗ୍ରାମବାସୀ ସମୂହ ଶପଥ ନେଇଛନ୍ତି ।
କୁତ୍ସିତ ଜାତିଆଣ ମନୋଭାବର ଏହି କାହାଣୀ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ଅନୁସୂଚିତ ଜାତିର ଯୁବତୀ ସହାୟିକା ଭାବେ ନିଯୁକ୍ତି ପାଇବାରୁ ଗ୍ରାମବାସୀ ଉତକ୍ଷିପ୍ତ ଥିଲେ । ଆଜି ଯାଏ ସେହି କେନ୍ଦ୍ରକୁ ପିଲାଙ୍କୁ ପାଠ ପଢ଼ିବାକୁ ଛାଡୁ ନ ଥିଲେ କି ଗର୍ଭବତୀ, ପ୍ରସୂତୀମାନେ ନବନିଯୁକ୍ତ ସହାୟିକାଙ୍କଠାରୁ ଖାଦ୍ୟ ଗ୍ରହଣ କରୁ ନ ଥିଲେ । ୮୬ ଦିନ ହେଲା ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲୁଛି । ୪ ଦିନ ତଳେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ନାୟକ ଗ୍ରାମବାସୀଙ୍କୁ ଡାକି ଆଲୋଚନା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ତାହା ବିଫଳ ହୋଇଥିଲା । ଆଲୋଚନା ପାଇଁ ଜଣେ ବି ଗ୍ରାମବାସୀ ଆସି ନ ଥିଲେ ।
ଆଜି ଉପଜିଲ୍ଲାପାଳ ଶ୍ରୀ ନାୟକ, ତହସିଲଦାର, ମହିଳା କମିସନ ସଦସ୍ୟା ଶ୍ରୀମତୀ କଳ୍ପନା ମଲ୍ଲିକ ଏବଂ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ଶ୍ରୀମତୀ ସୁଜାତା ନାୟକ ଘର ଘର ବୁଲି ଲୋକଙ୍କୁ ସଚେତନ କରାଇଥିଲେ । ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କର ଆପତ୍ତି ଶୁଣିଥିଲେ । ଏହାପରେ ଗ୍ରାମବାସୀମାନେ ପିଲାଙ୍କୁ ସୋମବାରଠାରୁ ଅଙ୍ଗନବାଡି ପଠାଇବାକୁ ରାଜି ହୋଇଥିଲେ ।
ସୂଚନାଥାଉକି, ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ବହୁଦିନ ଧରି ସହାୟିକା ପଦ ଖାଲି ପଡ଼ିବା ପରେ ୨୦୨୪ ମସିହାରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ଏହି ପଦବୀ ପାଇଁ କେହି ଆବେଦନ କରିନଥିଲେ । ୩ ମାସ ତଳେ ୨୦୨୫ ନଭେମ୍ବରରେ ପୁଣି ବିଜ୍ଞପ୍ତି ପ୍ରକାଶ ପାଇବାରୁ ଗାଁର ଶର୍ମିଷ୍ଠା ସେଠୀ ଏକମାତ୍ର ପ୍ରାର୍ଥୀ ଭାବେ ଆବେଦନ କରିଥିଲେ । ମାତ୍ର ତାଙ୍କୁ ନିଯୁକ୍ତି ନ ଦେବାକୁ ଗ୍ରାମବାସୀ ସିଡିପିଓଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ନିୟମ ଭିତରେ ଶର୍ମିଷ୍ଠାଙ୍କୁ ଗତ ନଭେମ୍ବର ୨୦ରେ ନିଯୁକ୍ତି ମିଳିଥିଲା ।
ତା’ ପରଠାରୁ ସେହି ଅଙ୍ଗନବାଡି କେନ୍ଦ୍ରକୁ ଆଉ କେହି ଯାଉନାହାନ୍ତି । ଅନୁସୂଚିତ ଜାତିର ହୋଇଥିବାରୁ ସହାୟିକାଙ୍କ ହାତରୁ ଖାଦ୍ୟ ଗ୍ରହଣ ନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ଗ୍ରାମବାସୀଙ୍କୁ ବୁଝାଇବା ପାଇଁ ସିଡିପିଓ ଉଦ୍ୟମ କରି ଆସୁଥିଲେ ମଧ୍ୟ ବିଫଳ ହୋଇଥିଲେ । ସେ ଝିଅ ଅଙ୍ଗନବାଡିରେ ଚାକିରି କରୁ, ମାତ୍ର ଆମ ପିଲା ଅଙ୍ଗନବାଡି ଯିବେ ନାହିଁ ବୋଲି ଗ୍ରାମବାସୀ ଜଣାଇ ଦେଇଥିଲେ ।
Continue Reading






