ଭୁବନେଶ୍ୱର: ୨୦୨୯ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଧାନସଭା ଆସନର ପୁନଃନିର୍ଦ୍ଧାରଣ ହେବାକୁ ଯାଉଛି । ପୁନଃନିର୍ଦ୍ଧାରଣ ପରେ ବିଧାନସଭା ଆସନରେ ଯୋଡି ହୋଇପାରେ ଆଉ ୫୦ଟି ଆସନ । ଏହାଦ୍ୱାରା ବର୍ତ୍ତମାନର ୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ଆସନ ସଂଖ୍ୟା ୨୦୦କୁ ବୃଦ୍ଧି ପାଇବାର ସମ୍ଭାବନା ଅଛି । ନୂଆ ଲୋକସଭା ଭବନ ଏବଂ ବିଧାନସଭା ସୌଧର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆଜି ଏହି ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରସ୍ତାବିତ ନୂଆ ବିଧାନସଭା ସୌଧରେ ୩୦୦ ସଦସ୍ୟ ବସିବାର ବ୍ୟବସ୍ଥା ରହିଛି । ଅର୍ଥାତ୍ ବର୍ତ୍ତମାନ ବିଧାନସଭା କ୍ଷମତାଠାରୁ ଏହା ଦୁଇଗୁଣା ଅଧିକ । ଆଗାମୀ ୫୦ କି ୧୦୦ ବର୍ଷକୁ ଆଖିରେ ରଖି ଏହି ବ୍ୟବସ୍ଥାର ପରିକଳ୍ପନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଧାନସଭା ପୁନଃନିର୍ଦ୍ଧାରଣରେ ପାଖାପାଖି ୫୦ ଆସନ ବଢ଼ିପାରେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ବାହାରିଲା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ବିଧାୟକ ଆଶାୟୀମାନଙ୍କ ମନରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି । ଆସନ ପୁନଃନିର୍ଦ୍ଧାରଣରେ ନିର୍ଦ୍ଦିଷ୍ଟ ମାପକାଠି ଏବଂ ରାଜନୈତିକ ଗୋଟିଚାଳନା ଉପରକୁ ସମସ୍ତଙ୍କ ନଜର ଯାଇଛି । ଅଧାରୁ ଅଧିକ ଆସନ ବଢିବାର ସଙ୍କେତ ଆଗାମୀ ଦିନରେ ନୂଆ ରାଜନୈତିକ ସମୀକରଣର ସମ୍ଭାବନା ସୃଷ୍ଟି କରିଛି ।
ଆଜି ମୁଖ୍ୟମନ୍ତ୍ରୀ ସେଣ୍ଟ୍ରାଲ୍ ଭିଷ୍ଟା ଢ଼ାଞ୍ଚାରେ ନୂଆ ଅତ୍ୟାଧୁନିକ ଲୋକସଭା ଭବନ ଏବଂ ରାଜ୍ୟ ବିଧାନସଭା ସୌଧର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୭୧.୧୩ ଏକର ଜାଗାରେ ଗୋଟିଏ କ୍ୟାମ୍ପସ୍ ଭିତରେ ଏହା ନିର୍ମାଣ ହେବ । ଏଥିପାଇଁ ୩,୬୨୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।