ଭୁୁବନେଶ୍ୱର: ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଦେବେ । ୯ ଏକର ୬୮୫ ଡିସିମିଲି ସରକାରୀ ଜମି ଦେବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ବିନା ପ୍ରମିୟମ୍, କ୍ୟାପିଟାଲାଇଜଡ ଭାଲ୍ୟୁ ଏବଂ ଇନସିଡେଣ୍ଟାଲ୍ ଚାର୍ଜରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟକୁ ଏହା ଦେବା ପାଇଁ ନିଷ୍ପତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୧୭ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ରାଜ୍ୟ ସରକାରଙ୍କ ଆଇଟି ପଲିସି-୨୦୨୨ କୁ ଏଥିରେ ଅନୁମୋଦନ ମିଳିଛି । ଆଇଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ଘୋଷଣା କରାଯାଇଛି । ସେହିଭଳି ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ଧର୍ମଶାଳା ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ୧୩୫ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଧର୍ମଶାଳା ନିର୍ମାଣ ହେବ ।
‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’ ଯୋଜନାରେ ଋଷିକୂଲ୍ୟା ନଦୀରେ ଗଞ୍ଜାମ ଜିଲ୍ଲାର ବରଦା ଗ୍ରାମ ନିକଟରେ ଏକ ଆନିକଟ ସେତୁ ନିର୍ମାଣ ହେବ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୪୯ କୋଟି ୬୦ ଲକ୍ଷ ଟଙ୍କା ଏବଂ ରକ୍ଷଣାବେକ୍ଷଣ ପାଇଁ ଦୁଇକୋଟି ୫୦ ଲକ୍ଷ ଟଙ୍କା ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ୩ ବର୍ଷ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି ।
ରାଜ୍ୟର ୪ଟି ଜିଲ୍ଲା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଅନ୍ତର୍ଗତ ୨୦ଟି ଦାଦନ ପ୍ରବଣ ବ୍ଲକ୍ ଗୁଡ଼ିକରେ ଦାଦନ ରୋକିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଏକ ନୂତନ ରାଜ୍ୟ କ୍ଷେତ୍ର ଯୋଜନା ” ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତା’ କୁ ଅନୁମୋଦନ କରିଛନ୍ତି ।
ନରେଗା ଅଧୀନରେ ସୁନିଶ୍ଚିତ କରାଯାଇଥିବା ୧୦୦ ଦିନର କାର୍ଯ୍ୟ ବାଦ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଯୋଗାଇଦେବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ପିଛା ଦୈନିକ ହିସାବରେ ହେଉଥିବା ମଜୁରି ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅଣକୁଶଳୀ ମଜୁରି ହାରରେ ନୂତନ ରାଜ୍ୟ କ୍ଷେତ୍ର ଯୋଜନା ଅଧୀନରେ ବହନ କରାଯିବ ।