ଭୁୁବନେଶ୍ୱର: କହିଥିଲେ ଦୁଇ ବର୍ଷରେ ଦେବେ ୫୦ ହଜାର । ମାତ୍ର ତାକୁ କଲେ ପାଞ୍ଚ ବର୍ଷରେ ୫୦ ହଜାର । ବର୍ଷକୁ ଦେବେ ୧୦ ହଜାର । ଅର୍ଥାତ୍ ମାସକୁ ୮୩୩ ଟଙ୍କା । ଦିନକୁ ପଡ଼ିଲା ୨୭ ଟଙ୍କା । ସୁଭଦ୍ରା ଯୋଜନାରେ ଦୈନିକ ୨୭ ଟଙ୍କା ଦେଇ ମହିଳାଙ୍କୁ ସଶକ୍ତ କରିବେ ମୋହନ ସରକାର ।
ଏହି ଯୋଜନାରେ ୨୧ରୁ ୬୦ ବର୍ଷ ବୟସର କୋଟିଏରୁ ଅଧିକ ମହିଳା ଉପକୃତ ହେବେ ବୋଲି କୁହାଯାଇଛି । ମାତ୍ର ପରିସଂଖ୍ୟାନକୁ ଦେଖିଲେ ରାଜ୍ୟରେ ସାଢ଼େ ୪ କୋଟି ଲୋକଙ୍କ ମଧ୍ୟରୁ ୨୧ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ହେଉଛି ୧ କୋଟି ୧୫ ଲକ୍ଷ । କିନ୍ତୁ ସୁଭଦ୍ରା ଯୋଜନାର ଏସଓପି କହୁଛି, (୧)ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।(୨) କୌଣସି ସରକାରୀ ଯୋଜନାରେ ମାସିକ ୧୫୦୦ଟଙ୍କା କିମ୍ବା ତା’ଠାରୁ ଅଧିକ ଅଥବା ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ସହାୟତା ରାଶି ପାଉଥିବା ମହିଳାମାନେ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।
ସୁଭଦ୍ରା ଯୋଜନାର ହିତାଧିକାରୀ ହେବା ପାଇଁ ଯୋଗ୍ୟତା ରଖୁ ନ ଥିବା ଉପରୋକ୍ତ ବର୍ଗର ମହିଳାଙ୍କ ସଂଖ୍ୟା ପାଖାପାଖି ୫୦ ଲକ୍ଷ ହେବ ବୋଲି ବେସରକାରୀସ୍ତରରେ ଆକଳନ କରାଯାଉଛି । ଏହି ହିସାବରେ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୬୫ ଲକ୍ଷ କି ଅତି ବେଶୀରେ ୭୦ ଲକ୍ଷ ହେବ ବୋଲି କୁହାଯାଇପାରେ । ମାତ୍ର ସରକାରଙ୍କ ଆକଳନରେ କୋଟିଏରୁ ଅଧିକ ମହିଳା କେମିତି ଉପକୃତ ହେବେ ତାହା ଦ୍ୱନ୍ଦ ସୃଷ୍ଟି କରୁଛି ।
ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାସକୁ ୮୩୩ ଟଙ୍କା ଏବଂ ଦିନକୁ ୨୭ ଟଙ୍କାରେ ଜଣେ ମହିଳା ନିଜକୁ କିଭଳି ସଶକ୍ତ କରିବେ ତାହା ମଧ୍ୟ ବୁଝାପଡୁନାହିଁ । ଯଦି ଏହା ହାତଖର୍ଚ୍ଚ ପାଇଁ ଦିଆଯିବ ତେବେ ଭଲ କଥା । ମାତ୍ର ଏଥିରେ ଜଣେ ମହିଳା ସଶକ୍ତ ହେବା ସମ୍ଭବ ନୁହେଁ । ସେହିଭଳି ଜଣେ ଆଶା କର୍ମୀ କି ପାଚିକା ଭଳି ସ୍ୱଳ୍ପ ସରକାରୀ ଅନୁଦାନରେ ଚଳୁଥିବା ମହିଳା ଏହି ଯୋଜନାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହୋଇଛି । ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ “ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ବିଜେପିର ସଂକଳ୍ପ ଏହାଦ୍ୱାରା କିଭଳି ସାଧିତ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଉଭୟ ବିଜେଡି ଓ କଂଗ୍ରେସ ଏହିଭଳି ଯୋଜନାକୁ ସମାଲୋଚନା କରିଛନ୍ତି । ସୁଭଦ୍ରା ଯୋଜନା ବହୁ ଆଡ଼ମ୍ବରରେ ଲଘୁକ୍ରିୟା ବୋଲି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ । ସେ କହିଛନ୍ତି ବିଜେପିର ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଚଞ୍ଚକତା କରିଛନ୍ତି । ଠିକ୍ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କ୍ଷେତ୍ରରେ ମଧ୍ୟ ବିଜେପି ଏଭଳି ନିଜର ପ୍ରତିଶ୍ରୁତି ପାଳନ କରିନାହିଁ । ଦିନରେ ତାରା ଦେଖାଇବା ବନ୍ଦ କର ବୋଲି ସେ ବିଜେପିକୁ କଟାକ୍ଷ କରିଛନ୍ତି । ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ କଂଗ୍ରେସ ବିଧାୟିକା ଶ୍ରୀମତୀ ସୋଫିଆ ଫିଦେ୍ର୍ଦାଷ ମଧ୍ୟ ଏହାର କଟୁ ସମାଲୋଚନା କରିଛନ୍ତି ।