ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି । ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି । ଏହାକୁ ସ୍ମରଣୀୟ କରିବା ପାଇଁ ସରକାରୀ ଓ ବେସରକାରୀସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏହି ଅବସରରେ ଓଡ଼ିଶାବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମିଶନ ଶକ୍ତିର ମା’ ମାନେ ଏହା ତିଆରି କରି ଲୋକମାନଙ୍କୁ ବଣ୍ଟନ କରିବେ ।
ଜାତୀୟ ପତାକା ତିଆରି ଓ ବଣ୍ଟନ ଦାୟିତ୍ୱ ପାଇଥିବା ରାଜ୍ୟର ମିଶନ ଶକ୍ତି ମା’ ମାନେ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି ।
ସୂଚନାଥାଉକି, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା’ ଅଭିଯାନ ପାଇଁ ଆହ୍ୱାନ ଦେଇଛନ୍ତି । ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ୩ ଦିନ ଧରି ପ୍ରତ୍ୟେକ ଭାରତୀୟ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି ହୋଇଥିବାରୁ ତ୍ରିରଙ୍ଗା ପତାକା ବିକ୍ରୀକୁ କିଛି ଅନୁଷ୍ଠାନ ଲାଭଜନକ ବେପାର ବୋଲି ଧରିନେଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ପୋଷ୍ଟ ଅଫିସ୍ ରେ ଜାତୀୟ ପତାକା ବିକ୍ରୀ ଆରମ୍ଭ କରିଛନ୍ତି ।