ଭୁବନେଶ୍ୱର: ବର୍ଷ ୨୦୨୫ ଆଜି ବିଦାୟ ନେଉଛି । କାଲି ସକାଳର ସୂର୍ଯୟୋଦୟ ଏକ ନୂଆବର୍ଷର ଆଗମନକୁ ସ୍ୱାଗତ କରିବ । ଓଡ଼ିଶା ରାଜନୀତି ପାଇଁ ଏହି ବିଦାୟୀ ବର୍ଷ ଅନେକ ଘଟଣାର ମୁଖସାକ୍ଷୀ ହୋଇଛି । ତେବେ ବିଭିନ୍ନ ଦୃଷ୍ଟିକୋଣରୁ ରାଜ୍ୟର ତିନି ପ୍ରମୁଖ ଦଳ ପାଇଁ ଏହି ବର୍ଷଟି ଉଜ୍ଜଳ ଭବିଷ୍ୟତ ପାଇଁ ସହାୟକ ହୋଇପାରିନି । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସରେ ଅନ୍ତଃକନ୍ଦଳ ସାମଗ୍ରିକ ଭାବେ ଦଳର ନେତା ଓ କର୍ମୀଙ୍କୁ ନିରୁତ୍ସାହିତ କରିଛି ।
୨୦୨୪ ଜୁନ୍ ମାସରେ ଓଡ଼ିଶାରେ ବିଜେପି ଶାସନ କ୍ଷମତାକୁ ଆସିଥିଲା । ୨୦୨୫ ପୂରା ବର୍ଷଟି ବିତିଗଲା । ମାତ୍ର ସରକାରଙ୍କ ଧାରାବାହିକ କାର୍ଯ୍ୟକ୍ରମ, ଯୋଜନା ଘୋଷଣା ବ୍ୟତିରକେ ଅନ୍ୟ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟକି ରହିଲା । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରିଲାନି । ୬ ଖାଲି ଜାଗା ସେମିତି ରହିଲା । ନିଗମ, ବୋର୍ଡ ନିଯୁକ୍ତି ହୋଇପାରିଲାନି । ଯୋଜନା ବୋର୍ଡ ଗଠନ ହେଲାନି । ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲାନି । ମୋଟାମୋଟି ଭାବେ ଥଇଥାନ ପଦବୀଗୁଡ଼ିକକୁ ପୂରଣ କରିନାହାନ୍ତି ମୋହନ ସରକାର । ଏହାର ମୁଳ କାରଣ ଦଳୀୟ ଅନ୍ତଃକନ୍ଦଳ ବୋଲି ସବୁଆଡ଼େ ଚର୍ଚ୍ଚା । ଏହି ଅନ୍ତଃକନ୍ଦଳ ଯୋଗୁଁ ଭାଗ ଛିଣ୍ଡିପାରୁ ନ ଥିବା କୁହାଯାଉଛି । ଏଥିପାଇଁ ଆଶାୟୀମାନେ ନିରାଶ ହୋଇଛନ୍ତି । ୨୦୨୫ ନିଶ୍ଚିତ ସେମାନଙ୍କ ସ୍ୱପ୍ନ ପୂରଣ କରିବ ବୋଲି ଆଶା ବାନ୍ଧିଥିଲେ । ମାତ୍ର ସେହି ଆଶା ଆଶାରେ ରହିଗଲା । ଅବଶ୍ୟ ଦଳ ପାଇଁ ଆଶ୍ୱାସନା ଥିଲା ନୂଆପଡ଼ା ଉପନିର୍ବାଚନ ଫଳାଫଳ ।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡିର ଅବସ୍ଥା ବି ସୁଧୁରିଲାନି । ନିର୍ବାଚନ ବିପର୍ଯ୍ୟୟରୁ ଶିକ୍ଷାଲାଭ କରି ଦଳ ଆଗକୁ ବଢ଼ିବ ବୋଲି ରାଜ୍ୟବାସୀ ଆଶା ରଖିଥିଲେ । ମାତ୍ର ସେହି ଆଶା ବ୍ୟର୍ଥ ହୋଇଛି । ଦୀର୍ଘ ୨୪ ବର୍ଷ ଧରି କ୍ଷମତାର ମଜା ନେଇଥିବା ଏହି ଦଳ ପ୍ରଥମ ଥର ନିର୍ବାଚନ ହାରିବା ପରଠୁ ଦଳର ସ୍ଥିତି ଦୋହଲିଯାଇଛି । ବିପର୍ଯ୍ୟୟର କାରଣ ଖୋଜାଗଲାନି କି ଭୁଲ୍ ସଂଶୋଧନ ହେଲା ନାହିଁ । ତେଣୁକରି ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଦଳର ଭବିଷ୍ୟତକୁ ନେଇ ନେତା ଓ କର୍ମୀମାନଙ୍କ ମଧ୍ୟରେ ଛନକା ପଶିଥିବାରୁ ସାଂଗଠନିକ କାର୍ଯ୍ୟକ୍ରମ ଧିମେଇ ଯାଇଛି । ଦିଶାହୀନ ନେତୃତ୍ୱ ଓ ନୂଆପଡ଼ା ଉପନିର୍ବାଚନରେ ତିନି ନମ୍ବର ଜାଗାକୁ ଖସିବା କର୍ମୀଙ୍କ ମନୋବଳକୁ ଆହୁରି ଦୁର୍ବଳ କରିଛି । ଏବେ ବିଜେଡିର ଉତ୍ତରାଧିକାରୀ ପ୍ରସଙ୍ଗଙ୍କୁ ନେଇ ଦଳ ବସ୍ତୁତଃ ଦୁଇଭାଗ ହୋଇଯାଇଛି ।
ଦୁର୍ବଳ ଅବସ୍ଥାରେ ଥିବା କଂଗ୍ରେସର ସାଂଗଠନିକ ସ୍ତରରେ ମଧ୍ୟ କୌଣସିସି ଉନ୍ନତି ଆସିନାହିଁ । ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପିସିସି ଶକ୍ତିଶାଳୀ ହେବ ବୋଲି ଯେଉଁ ଅନୁମାନ କରାଯାଉଥିଲା ତାହା ଏ ପର୍ଯ୍ୟନ୍ତ ସାଧିତ ହୋଇପାରିନାହିଁ । ବରଂ ଦଳରେ ଗୋଷ୍ଠୀ ବିବାଦ ସେମିତି ରହିଛି । ଭକ୍ତ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାରେ ସମର୍ଥ ହୋଇନାହାନ୍ତି । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିଲେ ମଧ୍ୟ ଏହା ପ୍ରାର୍ଥୀଙ୍କର ବ୍ୟକ୍ତିଗତ ବିଜୟ ବୋଲି କୁହାଯାଉଛି । ନେତୃତ୍ୱ କାର୍ଯ୍ୟକଳାପରେ ବରିଷ୍ଠ ନେତାମାନେ ସନ୍ତୁଷ୍ଟ ନାହାନ୍ତି । ଭକ୍ତଙ୍କୁ ଖୋଲା ଚାଲେଂଜ ଦେଇ ଦଳରୁ ବହିଷ୍କୃତ ମହମ୍ମଦ ମୋକିମ୍ ଅସନ୍ତୁଷ୍ଟମାନଙ୍କୁ ଧରି ମେଳି କରୁଛନ୍ତି । ଏହା କଂଗ୍ରେସ ପାଇଁ ଶୁଭଙ୍କର ନୁହେଁ ବୋଲି କୁହାଯାଉଛି ।