ଭୁବନେଶ୍ୱର: ବିଜେଡିର ପରାଜୟ ପାଇଁ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଦାୟୀ ଏଥିରେ କାହାରି ଦ୍ୱିମତ ନାହିଁ । ତାଙ୍କର ଅତି ବିଶ୍ୱସ୍ତ ଭି କେ ପାଣ୍ଡିଆନଙ୍କୁ ସେ ଉତ୍ତରାଧିକାରୀ କରିବେ ବୋଲି କଥା ଦେଇଥିଲେ ନା ନାହିଁ ତାହା କେହି ନ ଜାଣିଲେ ମଧ୍ୟ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ଏହା ସ୍ପଷ୍ଟ କରୁଥିଲା । ତାଙ୍କ ବିରୋଧରେ ଜନମତର ଆଭାସକୁ ଭ୍ରୃକ୍ଷେପ ନକରି ପାଣ୍ଡିଆନ୍ ନିଜ ପ୍ରଚାରରେ ମାତିଗଲେ । ଲୋକଙ୍କ ଭାବାବେଗକୁ ଖାତିର କଲେ ନାହିଁ । ଯାହା ସାଧାରଣ ଜନତାଙ୍କୁ ବିଜେଡି ବିରୋଧରେ ଯିବାକୁ ବାଧ୍ୟ କଲା । ତେବେ ବିଜେଡି ସରକାରର ପତ୍ତନ ଅଧ୍ୟାୟରେ ନବୀନଙ୍କ ସେନାପତି ଭାବେ ଏକା ପାଣ୍ଡିଆନ୍ ନୁହଁନ୍ତି, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ଭୂମିକା କିଛି କମ୍ ନାହିଁ । ଦଳର ସାମୁହିକ ସ୍ୱାର୍ଥରେ ସେ ତାଙ୍କ କ୍ଷମତାକୁ ଉପଯୋଗ ନ କରି ଦଳରେ କାହାରି ପତ୍ତା କାଟିବେ ସେଇ କାମରେ ଅଧିକ ଧ୍ୟାନ ଦେଇ କଳ ବଳ କୌଶଳ ଖଟେଇଲେ । ଅନେକ ଜାଗାରେ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଦଳୀୟ ପାଣ୍ଠିକୁ ସେହି ପ୍ରାର୍ଥୀଙ୍କୁ ହରାଇବା କାମରେ ଲଗେଇଲେ । ସିଧା ସିଧା କହିଲେ, ଦଳରେ ବିଭୀଷଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବବି ଦାସ । ଦଳ ପରାଜୟର ଅନ୍ୟତମ କାରଣ ହୋଇଥିବା ସେଇ ବବି ଏବେ ନିର୍ବାଚନ ପରାଜୟର କାରଣ ଖୋଜାର ନେତୃତ୍ୱ ନେବାକୁ ଆଗଭର ହୋଇଛନ୍ତି । ନିର୍ବାଚନ ପର ଦୃଶ୍ୟପଟରୁ ପାଣ୍ଡିଆନ୍ ନିଜ ଆଡୁ ଅପସରି ଗଲା ବେଳେ ବବି ତାଙ୍କ ମାମଲତିକୁ ଜାବୁଡି ଧରିଛନ୍ତି ।
ନିର୍ବାଚନ ଫଳାଫଳ ବାହାରିବା ପରଠୁଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡାକୁଛନ୍ତି । ଜଣ ଜଣ କରି ଭଲ ମନ୍ଦ ପଚାରୁଛନ୍ତି । ୧୦ ଦିନ ତଳେ ଯେଉଁ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଭେଟିବା ଦଳୀୟ ନେତାଙ୍କ ପାଇଁ ଅସମ୍ଭବ ଥିଲା, ସେହି ନବୀନ ପଟ୍ଟନାୟକ ଏବେ ସେହି ଦଳୀୟ ନେତାମାନଙ୍କୁ ନବୀନ ନିବାସକୁ ଡକାଇ ଘଣ୍ଟା ଘଣ୍ଟା ଧରି କଥା ହେଉଛନ୍ତି । ପରାଜୟର ନିର୍ଦ୍ଦିଷ୍ଟ କାରଣ ପଚାରୁଛନ୍ତି । ନବୀନଙ୍କ ସହ ଖୋଲାମାନରେ ଆଲୋଚନାର ସୁଯୋଗରେ ଦଳର ଅନେକ ପରାଜିତ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ଭାବେ ବବି ଦାସଙ୍କ ଭୂମିକା ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ପାଣ୍ଠି ଅଭାବରୁ ସେମାନେ ନିର୍ବାଚନ ଲଢ଼ିବା କଷ୍ଟ ହୋଇପଡ଼ିଲା ବୋଲି ଅଭିଯୋଗ କରି ସେଥିପାଇଁ ପାଣ୍ଠି ବଣ୍ଟନ ଦାୟିତ୍ୱରେ ଥିବା ବବିଙ୍କୁ ଦାୟୀ କରିଛନ୍ତି ।
ନବୀନ ଏହି ଅଭିଯୋଗ ସଂକ୍ରାନ୍ତରେ ବବିଙ୍କୁ ପଚାରିବାରୁ ସେ ପ୍ରାର୍ଥୀଙ୍କ ପାଖରେ ଟଙ୍କା ପହଞ୍ଚାଇବାରେ ଟ୍ରାନସପୋର୍ଟିଂ ବାଧକ ହୋଇଥିବା ସଫେଇ ଦେଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଥିବା କିଛି ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ଆଉ କିଛି ପରାଜିତ ପ୍ରାର୍ଥୀ ଅତି ସାଂଘାତିକ ଅଭିଯୋଗ ଆଣିଛନ୍ତି । ବବି ସେମାନଙ୍କୁ ହରାଇବା ପାଇଁ ବିରୋଧୀ ପ୍ରାର୍ଥୀଙ୍କ ପିଛା ଟଙ୍କା ଖଟାଇଥିବାର ପୁଳା ପୁଳା ପ୍ରମାଣ ରଖିଛନ୍ତି । ବବିଙ୍କର ଏହି କାରନାମାର ତଦନ୍ତ କରାଯାଇ ସତ୍ୟାସତ୍ୟ ବାହାର କରିବାକୁ ସେମାନେ ଦାବି କରିଛନ୍ତି ।
ଦଳର କିଛି ବରିଷ୍ଠ ନେତା ବବିଙ୍କ କାରନାମା ସାମନାକୁ ଆଣିଛନ୍ତି । ସେମାନଙ୍କ କହିବାନୁଯାୟୀ, ୧୯୯୫ ରେ ବିଜୁ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜୟ ମହାପାତ୍ର ଯେଉଁଭଳି ଗୋଟିଚାଳନା କରିଥିଲେ ଏବେ ୨୦୨୪ ରେ ନବୀନ ପଟ୍ଟନାୟକଙ୍କୁ ଗାଦିଚୁ୍ୟତ କରିବା ପାଇଁ ବବି ଦାସ ସେଇ ଭୂମିକା ନେଇଥିଲେ । ସେଥିପାଇଁ ପ୍ରଥମରୁ ପ୍ରାର୍ଥୀ ଚୟନରେ ପ୍ରବଳ ଭୁଲ୍ ଭଟକା ହୋଇଥିଲା । ବଡ଼ଚଣା, କୋରେଇଠାରୁ ଆରମ୍ଭ କରି କଣ୍ଟାବାଂଜୀ ପର୍ଯ୍ୟନ୍ତ ସବୁଠି ତାଙ୍କର ମନମାନି ଚାଲିଲା । ବିପଦପୂର୍ଣ୍ଣ କଣ୍ଟାବାଂଜୀ ଆସନରେ ନବୀନ ବାବୁଙ୍କୁ ଛିଡ଼ା କରାଇବାର ନିଷ୍ପତ୍ତି ସିଏ ହିଁ ନେଇଥିଲେ ।
ସେହିଭଳି ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ସଠିକ୍ ନିର୍ବାଚନ ପରିଚାଳନା ହେଲା ନାହିଁ । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ସମନ୍ୱୟ ରହିଲା ନାହିଁ । କୌଣସି ସାଂସଦ ପ୍ରାର୍ଥୀଙ୍କ ପାଖରେ ଦଳୀୟ ପାଣ୍ଠି ପହଞ୍ଚି ଲାନି । ସାଂଗଠନିକ ଦୃଷ୍ଟିରୁ ବିଜେଡି ଭଳି ଏକ ଶକ୍ତିଶାଳୀ ଦଳ ଯେ ସତରେ ନିର୍ବାଚନ ଲଢ଼ୁଛି ସେହି ଅନୁଭବ ପ୍ରାର୍ଥୀଙ୍କର ବି ନ ଥିଲା ।
ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବବି ଦାସ ଏବେ ନିଜକୁ ସାଧୁ ଦେଖାଇବା ପାଇଁ ନବୀନ ବାବୁଙ୍କ ପଛରେ ଘୂରି ବୁଲୁଛନ୍ତି । ଦଳର ପରାଜୟ ପାଇଁ ନିଜ ଉପରକୁ ଉତ୍ତର ଦାୟିତ୍ୱ ନେଇ ସାଂଗଠନିକ ସମ୍ପାଦକ ପଦରୁ ଅବ୍ୟାହତି ନେଇନାହାନ୍ତି କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ, ବିଜେଡିର ବିପର୍ଯ୍ୟୟ ପାଇଁ ସବୁରି ମୁହଁରେ ପାଣ୍ଡିଆନଙ୍କୁ ଦାୟୀ କରାଯାଉଛି । ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବା କଥା, ପାଣ୍ଡିଆନ ତାଙ୍କର ଉତ୍ତରାଧିକାରା ବୋଲି ଲୋକଙ୍କ ମୁଣ୍ଡରେ ସେଇ ନବୀନ ବାବୁ ହିଁ ଯଥେଷ୍ଟ ଆଗରୁ ପୂରାଇ ସାରିଛନ୍ତି । ନବୀନ ବାବୁଙ୍କ ବଳରେ ପାଣ୍ଡିଆନ ନିଜକୁ ବଳୀୟାନ୍ କରିଦେଲେ । ନବୀନ ବାବୁଙ୍କ ଷ୍ଟାଇଲ୍ ଆପଣାଇଲେ । ସ୍ଥାନୀୟ ପ୍ରାର୍ଥୀଙ୍କୁ ବି ପାଖରେ ଛିଡ଼ା କରାଇଲେନି । ନିର୍ବାଚନ ପରିଚାଳନାରେ ଦଳର ବରିଷ୍ଠ ନେତାଙ୍କୁ ସାମିଲ କରାଗଲା ନାହିଁ । ଲୋକ ତାଙ୍କୁ ଗ୍ରହଣ କରୁନାହାନ୍ତି ଏବଂ ତାଙ୍କର ପ୍ରଚାର ଶୈଳୀ ବିଜେଡି ବିରୋଧରେ ଜନମତ ସୃଷ୍ଟି କରୁଛି ବୋଲି ପାଣ୍ଡିଆନ୍ ଜାଣି ସୁଦ୍ଧା ବନ୍ଦ ହେଲେନି । ତାଙ୍କ ସହ ଯୋଡ଼ି ହୋଇଥିବା ଦଳର ଏକମାତ୍ର ରଣନୀତିକାର ବବି ଦାସ ଲୋକଙ୍କ ସହ ସିଧାସଳଖ ଯୋଡି ହୋଇ ତାଙ୍କର ଭାବାବେଗ ଜାଣିଥିଲେ ମଧ୍ୟ ପାଣ୍ଡିଆନଙ୍କୁ ପ୍ରଚାରରୁ ନିବୃତ କଲେ ନାହିଁ । ଏହି ସୁଯୋଗରେ ବିଜେପିର ଓଡ଼ିଆ ଅସ୍ମିତା କଥା ଲୋକଙ୍କ ମନକୁ ବଢ଼ିଆ ଛୁଇଁଲା । ଯାହାର ମୁକାବିଲା କରିବାକୁ ବିଜେଡି ସମର୍ଥ ହେଲା ନାହିଁ ।
ରୋଚକ କଥା ହେଉଛି, ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯିବା ଦୁର୍ଭାଗ୍ୟଜନକ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ସେ ତାଙ୍କୁ ସୁରକ୍ଷା ଦେଇଛନ୍ତି । ପାଣ୍ଡିଆନ୍ ଜଣେ ଦକ୍ଷ ଅଫିସର ବୋଲି ସେ ବର୍ଣ୍ଣନା କରିବା ସହ ବିଜେଡି ନେତା ଭାବେ ତାଙ୍କର କାର୍ଯ୍ୟକୁ ପ୍ରଂଶସା କରିଛନ୍ତି । ଓଡ଼ିଶାବାସୀଙ୍କ ମତକୁ ନବୀନ ବାବୁ ସମ୍ମାନ ଜଣାଇବା ସହ ଆଗକୁ ଦଳର କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ।







