ଭୁୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଭୋଟ ଦେଇଥିବା ସମସ୍ତଙ୍କୁ ଜଣା । ଭୋଟ ଦିନ ଭୋଟ ଦେଇସାରି ଗଣମାଧ୍ୟମରେ ମୋକିମ୍ ନିଜେ ଏହା ଖୋଲି କହିଥିଲେ । ପାର୍ଟି ଅପେକ୍ଷା ମାଟିର ଆକର୍ଷଣରେ ସେ କୁଆଡ଼େ ଟାଣି ହୋଇଗଲେ ଏବଂ ଓଡ଼ିଆ ଝିଅକୁ ଭୋଟ ଦେଇ ନିଜକୁ ଗୌରବାନ୍ୱିତ ମଣିଲେ । ତେବେ ମୋକିମ୍ ଙ୍କ ଛଡ଼ା ଆଉ ଜଣେ କଂଗ୍ରେସ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଦାବି ହେଲାଣି । ଦାବି କରିଛନ୍ତି ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।
ସେପଟେ ମୋହନ ମାଝୀଙ୍କ ଏହି ବୟାନର ଜବାବରେ କଂଗ୍ରେସ ମୁଖ୍ୟ ସଚେତକ ତାରା ବାହିନୀପତି କହିଛନ୍ତି କି ବିଜେପିର ଦୁଇ ବିଧାୟକ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି । ଆସନ୍ତାକାଲି ଭୋଟଗଣତି ପରେ ଆପଣମାନେ ଏହା ଜାଣିପାରିବେ ବୋଲି ସେ କହିଛନ୍ତି ।
ରାଷ୍ଟ୍ରପତି ଭୋଟର ଦୁଇଦିନ ପରେ ମୋହନ ମାଝୀ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ତାହା ବୁଝିବାକୁ ପଡ଼ିବ । ବିଧାନସଭାରେ ଏକ ପ୍ରସଙ୍ଗରେ ଆଲୋଚନା ବେଳେ ତାରା ବାହିନୀପତି ଉଭୟ ବିଜେପି ଏବଂ ବିଜେଡିକୁ କଟାକ୍ଷ କରିଥିଲେ । କହିଥିଲେ ବିଜେପି-ବିଜେଡ଼ି ଏଠି ଭାଇ ଭାଇ । ବିଧାନସଭାରେ ତାରାଙ୍କ ଏହି ମନ୍ତବ୍ୟ ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ବିଧାନସଭା ବାହାରେ ମୋହନ ମାଝୀଙ୍କଠାରୁ ପ୍ରତିକ୍ରିୟା ଲୋଡ଼ିଥିଲେ । କଂଗ୍ରେସରୁ ଦୁଇ ଜଣ ବିଧାୟକ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଶ୍ରୀ ମାଝୀ ଦୃଢ଼ତାର ସହ କହିଥିଲେ । ଆଉ ତା’ର ପ୍ରତିକ୍ରିୟାରେ ତାରା କହିଥିଲେ ତମର ଦୁଇ ଆମ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ।
ଏହି ଦୁଇ ସଚେତକ ତଥ୍ୟ ପ୍ରମାଣ ସହ ଏଭଳି କହିଛନ୍ତି ନା ନିଜକୁ ଚର୍ଚ୍ଚାରେ ରଖିବାକୁ ପବନ ଉଡ଼ାଇଛନ୍ତି ତାହା ଆସନ୍ତାକାଲି ହିଁ ସ୍ପଷ୍ଟ ହୋଇଯିବ । ତେବେ ଉଭୟ ପକ୍ଷର ବୟାନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଛି । ଦ୍ରୌପଦୀ ମୁର୍ମୁଙ୍କୁ ଯଦି ସତରେ କଂଗ୍ରେସର ଆଉ ଜଣେ ବିଧାୟକ ଭୋଟ ଦେଇଛନ୍ତି ସେ କିଏ ତାହାକୁ ନେଇ ମଧ୍ୟ ଯଥେଷ୍ଟ ଗୁଲିଗପ ହୋଇଛି ।
କିଛି ଗଣମାଧ୍ୟମ ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କୁ ସନ୍ଦେହ କରି ତାଙ୍କର ପ୍ରତିକ୍ରିୟା ଆଣିଛନ୍ତି । ଆଉ ତାଙ୍କ ଉପରେ ଏହି ସନେ୍ଦହକୁ ନେଇ ଏହି ବରିଷ୍ଠ ନେତା ଭୀଷଣ ବିଗିଡ଼ିଛନ୍ତି । କହିଛନ୍ତି, ଯଦି ସୂର୍ଯ୍ୟ ଚନ୍ଦ୍ର ଚାହିଁଥାନ୍ତେ ବି ତାଙ୍କ ଭୋଟ ଏପଟ ସେପଟ ହୋଇ ନ ଥାନ୍ତା । ଦ୍ୱିତୀୟ ନମ୍ବରରେ ଥିବା ଯଶୋବନ୍ତ ସିହ୍ନାଙ୍କୁ ହିଁ ସେ ଭୋଟ ଦେଇଛନ୍ତି..ଦେଇଛନ୍ତି..ଦେଇଛନ୍ତି ।
ସୂଚନାଥାଉକି କି ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ହେବା, ବିଜେଡି ତାଙ୍କୁ ସମର୍ଥନ କରିବା, ଦ୍ରୌପଦୀଙ୍କୁ ସମର୍ଥନ ଦେବା ପାଇଁ କଂଗ୍ରେସ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ ଘଟଣାକ୍ରମରେ ଓଡ଼ିଶା କଂଗ୍ରେସ ଦ୍ୱନ୍ଦରେ ପଡ଼ିଯାଇଥିଲା । ଆଗ ମାଟି ବୋଲି ସୁର ରାଉତରାୟ ତାଙ୍କ ଅନ୍ତର ଭିତରୁ ଆଗ କହିଦେଇଥିଲେ । ଅବଶ୍ୟ ପରେ ତାଙ୍କର ମତ ପରିବର୍ତ୍ତନ କରିଥିଲେ ।