ଭୁବନେଶ୍ୱର: ଜେଏସ୍ଡବ୍ଲୁ ହାତ ଧରି ଓଡ଼ିଶାକୁ ଫେରୁଛି ଦକ୍ଷିଣ କୋରିଆର ଇସ୍ପାତ କମ୍ପାନୀ ପୋସ୍କୋ । ଏକ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ନେଇ କିଛି ଦିନ ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଏକ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା । ହେଲେ ଏହା କେଉଁଠି ହେବ ବୋଲି ଜଣାପଡ଼ି ନ ଥିଲା । ତେବେ ଏହା ଓଡ଼ିଶାର କେନ୍ଦୁଝରରେ ହେବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସ୍ପଷ୍ଟ କରିଛନ୍ତି । କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡିଶା ରୋଡ୍ ସୋ ବେଳେ ସେ ଏହି ଦୁଇ କମ୍ପାନୀ ସହ ଆଲୋଚନା କରିଥିଲେ । କେନ୍ଦୁଝରରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ସେମାନେ ରାଜି ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ଏମଓୟୁରେ କେନ୍ଦୁଝର ନାଁ ମେନସନ୍ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏମଓୟୁ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ପାଞ୍ଚ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ ହେବ । ପରବର୍ତ୍ତୀ ସମୟରେ ଏହାର କ୍ଷମତା ବୃଦ୍ଧି କରାଯିବ । ମୁମ୍ବାଇଠାରେ ଜେଏସଡବ୍ଲୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ୍ ହ୍ୱାଙ୍କ ମଧ୍ୟରେ ସେଥିଲାଗି ଏମଓୟୁ ସ୍ୱାକ୍ଷରିତ ହୋଇଛି । ନିର୍ଦ୍ଦିଷ୍ଟ ଭାବେ କେନ୍ଦୁଝର ଜିଲ୍ଲାର କେଉଁ ଜାଗାରେ ଏହି କାରଖାନା ସ୍ଥାପନ ହେବ ତାହା ଜଣାପଡ଼ି ନ ଥିଲେ ମଧ୍ୟ ଦୁଇଟି ସ୍ଥାନ ନିରୂପଣ ହୋଇଥିବା ଜଣାପଡ଼ିଛି । ଗୋଟିଏ ଜାଗା ପାଟଣା ବ୍ଲକ୍ ଏବଂ ଅନ୍ୟଟି ବାଂଶପାଳ ବ୍ଲକ୍ ରେ । ଖୁବ୍ ଶୀଘ୍ର ଜାଗା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଓଡ଼ିଶାରେ ମେଗା ଷ୍ଟିଲ୍ କାରଖାନା ପାଇଁ ୨୦୦୫ ଜୁନ୍ ରେ ପୋସ୍କୋ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା । ୫୨ ହଜାର କୋଟଇ ଟଙ୍କା ନିବେଶ ଲକ୍ଷ୍ୟ ରଖି କାମ ଆଗକୁ ବଢ଼ିଥିଲା । ଏଥିପାଇଁ ୨,୯୫୮ ଏକର ଜମି ଅଧିଗ୍ରହଣ ବି ହୋଇସାରିଥିଲା । ମାତ୍ର ବିଭିନ୍ନ ସମସ୍ୟା ଯୋଗୁଁ କମ୍ପାନୀ ୨୦୧୭ ମାର୍ଚ୍ଚରେ ଏହି ପ୍ରକଳ୍ପରୁ ଓହରି ଯାଇଥିଲା ।