ଭୁବନେଶ୍ୱର: ବିଜେପିର ସର୍ବେସର୍ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗରେ ପତିଆରା ଦେଖାଇବାକୁ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ତେବେ ଏଥିରେ ସମସ୍ତଙ୍କୁ ପଛରେ ପକାଇବାକୁ ଉଦ୍ୟମ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟ ସଂଗଠନ ଓ ଦଳୀୟ ନେତାଙ୍କଠାରୁ ପୃଥକ୍ ରହୁଥିବା ଅପରାଜିତା ନିଜର ସମର୍ଥକଙ୍କୁ ଧରି ଶକ୍ତି ଦେଖାଇଥିଲେ । ଅଧାରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଶାହଙ୍କୁ ସ୍ୱାଗତ କରିବାଠାରୁ ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପର୍ଯ୍ୟନ୍ତ ଅପରାଜିତାଙ୍କ ପତିଆରା ସୋ’ ବିଜେପି ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ରବିବାର ରାତି ୧୧ଟାରେ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର ଥିଲା । ତେବେ ଦିଲ୍ଲୀରେ କାମ ନ ସରିବାରୁ ସେମାନଙ୍କ ଆସିବାରେ ବିଳମ୍ବ ହୋଇଥିଲା । ରାତି ୧.୪୫ ମିନିଟ୍ ରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଶାହଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ସଂଧ୍ୟାବେଳୁ ନେତା ଓ କର୍ମୀଙ୍କ ଭିଡ଼ ହୋଇଥିଲା । ଏହି ଗହଳିରେ ସବୁଠାରୁ ବେଶୀ ଉତ୍ସାହିତ ହୋଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶାହଙ୍କ ସ୍ୱାଗତ ପର୍ବରେ ସେ ଦଳୀୟ କର୍ମୀଙ୍କୁ କିନ୍ତୁ ସାମିଲ କରି ନ ଥିଲେ । ନିଜର ସମର୍ଥକଙ୍କୁ ସାଙ୍ଗରେ ନେଇଥିଲେ । ଟିଭି କ୍ୟାମେରା ଆଗରେ ସେମାନଙ୍କ ମେଳରେ ନାଚିଥିଲେ ।
ବେଶ ସୁନ୍ଦର କରିଥିଲେ ଶାହଙ୍କ ପାଇଁ ସ୍ୱାଗତ ହୋର୍ଡିଂକୁ । ସମର୍ଥକଙ୍କ ହାତରେ ଧରାଇ ଦେଇଥିଲେ ଗଣ୍ଡା ଗଣ୍ଡା ପୋଷ୍ଟର, ହୋର୍ଡିଂ । ହୋର୍ଡିଂରେ ଅମିତ ଶାହାଙ୍କ ଫଟୋ ସାଙ୍ଗରେ କେବଳ ଅପରାଜିତାଙ୍କ ଫଟୋ ଶୋଭା ପାଉଥିଲା । ଆଉ କାହାର ନ ଥିଲା । ତାଙ୍କର କାର୍ଯ୍ୟକଳାପରେ ସେ ନିଜର ପତିଆରା ଦେଖାଇବାକୁ ଭରପୂର ଉଦ୍ୟମ କରୁଥିବା ବାରି ହୋଇପଡୁଥିଲା । ସତେ ଯେମିତି ରାଜ୍ୟ ବିଜେପିର ସେ ହେଉଛନ୍ତି ସର୍ବେସର୍ବା ।
ବିମାନବନ୍ଦରରେ ନିଜ ସମର୍ଥକଙ୍କୁ ଧରି ଅପରାଜିତା ସ୍ୱାଗତ ପର୍ବର ଆୟୋଜନ କରୁଥିବା ବେଳେ ଭୁବନେଶ୍ୱର ବିଜେପିର କିଛି କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଦଳର ଶୃଙ୍ଖଳା ଭାଙ୍ଗି ଏବଂ ଦଳ ବାହାରେ ରହି ଅପରାଜିତାଙ୍କ ମନମାନିକୁ ସେହି କର୍ମୀମାନେ ସହ୍ୟ କରି ନ ଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା ।
ସେହିଭଳି ସକାଳେ ଶାହଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ ବେଳେ ଅପରାଜିତା ତାଙ୍କ ପାଖେ ପାଖେ ରହିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ମନ୍ଦିର ଦର୍ଶନ ସାରି ଅମିତ ଶାହ ଫେରୁଥିବା ବେଳେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗହଳି ଭିତରେ ଶାହଙ୍କ ସହ ଅପରାଜିତାଙ୍କୁ ଗୋଟିଏ ଫ୍ରେମ୍ ରେ ରଖି ଫଟୋ ଉଠାଉଥିବା ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱରଙ୍କୁ ଜନୈକ ବିଜେପି ନେତା ଧକ୍କା ମାରୁଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।
ଲିଙ୍ଗରାଜ ମନ୍ଦିର ଦର୍ଶନ ସାରି ଅମିତ ଶାହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଜଳଖିଆ କରିବାକୁ ଯାଇଥିଲେ । ସେଠି ଶାହଙ୍କ ସାନ୍ନିଧ୍ୟ ପାଇବା ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଏହି ରେସ୍ ରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଅବଶ୍ୟ ସେଠାରେ ଅପରାଜିତାଙ୍କୁ ଦେଖିବାକୁ ମିଳି ନ ଥିଲା ।







