ଭୁବନେଶ୍ୱର: ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ । ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ତାଙ୍କ ପ୍ରତି ବିପୁଳ ସମର୍ଥନ ଦୃଷ୍ଟିରୁ ସେ ସୁବିଧାଜନକ ସ୍ଥିତିରେ ଅଛନ୍ତି । ତେବେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଦ୍ରୌପଦୀଙ୍କ ବିଜୟ ପାଇଁ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ସମୂହ ପ୍ରାର୍ଥନା ଏବଂ ମନ୍ଦିରରେ ହୋମଯଜ୍ଞ ଅନୁଷ୍ଠିତ ହୋଇଛି । ତାଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଦ୍ରୌପଦୀଙ୍କ ପାଇଁ ହୋମଯଜ୍ଞ ହୋଇଥିଲା ବେଳେ ରାଜ୍ୟର ବିଭିନ୍ନ ମନ୍ଦିରରେ ବିଜେପି ପକ୍ଷରୁ ପୂଜାର୍ଚ୍ଚନା, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା ।
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ବିଜେପି ପକ୍ଷରୁ ଦୀପ ପ୍ରଜ୍ୱଳନ କରାଯାଇଥିଲା । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହାର ନେତୃତ୍ୱ ନଇଥିଲେ । ପରେ ଭୁବନେଶ୍ୱର ବିଜେପି ଶାଖା ପକ୍ଷରୁ ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବିଭୀଷଣେଶ୍ୱର ମନ୍ଦିରରେ ହୋମଯଜ୍ଞ କରାଯାଇଥିଲା ।
ପୁରୀରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜଗନ୍ନାଥଙ୍କ ମନ୍ଦିରରେ ଦୀପ ପ୍ରଜ୍ୱଳନ ଏବଂ ପ୍ରାର୍ଥନା କରାଯାଇଥିଲା । ସେହିଭଳି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, ଜଗତସିଂହପୁର ଶାରଳା ମନ୍ଦିର, ରାଉରକେଲାରେ ସେକ୍ଟର-୩ ମଙ୍ଗଳା ମନ୍ଦିର ପ୍ରଭୃତି ସ୍ଥାନରେ ବିଜେପି ପକ୍ଷରୁ ଦ୍ରୌପଦୀଙ୍କ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା ।
ଆସନ୍ତାକାଲି ରାଷ୍ଟ୍ରପତି ଭୋଟ ପାଇଁ ବିଜେଡି ମହଲରେ ମଧ୍ୟ ପ୍ରବଳ ଉତ୍ସୁକତା ଦେଖିବାକୁ ମିଳିଛି । ଓଡ଼ିଶାର ଝିଅକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରିବାକୁ ଗତକାଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ସାଂସଦମାନଙ୍କୁ ପୁଣି ଥରେ ଜଣାଇ ଦେଇଥିଲେ । ଏହା ଆମ ରାଜ୍ୟ ପାଇଁ ଗର୍ବ ଓ ସମ୍ମାନର କଥା ବୋଲି କହିଥିଲେ । ସେହିଭଳି ଆସନ୍ତାକାଲି ଭୋଟ ପାଇଁ ବିଧାନସଭାରେ ବିଜେଡିର ସବୁ ବିଧାୟକ ଉପସ୍ଥିତ ରହିବାକୁ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ହୁଇପ୍ ଜାରି କରିଛନ୍ତି । ଦଳର ସବୁ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଦେବେ ବୋଲି ସେ ଦଳ ପକ୍ଷରୁ ପୁନର୍ବାର ଘୋଷଣା କରିଛନ୍ତି ।