ଭୁବନେଶ୍ୱର: ରାତି ପାଇଲେ ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ଦିଲ୍ଲୀପ ରାୟ ଏବଂ ବିଜେଡି-କଂଗ୍ରେସ ସମର୍ଥିତ କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ହେଉଛି ମୁକାବିଲା । କିନ୍ତୁ ଏବେକାର ସ୍ଥିତିରେ ଦିଲ୍ଲୀପ ରାୟଙ୍କ ବିଜୟ ସମ୍ଭାବନା ବହୁତ ବଢ଼ିଯାଇଛି । କାରଣ ବିଜେପିର ୨୨ ଟି ବଳକା ଭୋଟ ଛାଡ଼ିଲେ ତାଙ୍କ ବିଜୟ ପାଇଁ ଆଉ ଆବଶ୍ୟକ ୮ ଭୋଟ । ବିଜେଡିରୁ ନିଲମ୍ବିତ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କ ଭୋଟ ଦିଲ୍ଲୀପଙ୍କ ପାଖକୁ ଆସିବା ଥୟ । ଏଣୁ ଆଉ ଦରକାର ୬ । ବିଜେଡିର ଦୁଇ ବିଧାୟକ ଚକ୍ରଧର କହଁର ଏବଂ ନବ କିଶୋର ମଲ୍ଲିକ ସେପଟକୁ ପଳାଇ ଗଲେଣି । ତିନି ଦିନ ହେଲା ସେମାନଙ୍କୁ ଯୋଗାଯୋଗ ହୋଇ ନ ପାରିବାରୁ ଆଜି ଦଳ ପକ୍ଷରୁ ସୋ କଜ୍ ନୋଟିସ୍ ଜାରି ହୋଇଛି । ଏହି ଦୃଷ୍ଟିରୁ ସେମାନେ ଏବେ ଦିଲ୍ଲୀପଙ୍କ ଘୋଡ଼ା ବୋଲି କୁହାଯାଇପାରିବ । ସେମିତି କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ଘୋଡ଼ା ହୋଇ ଲୁଚିଛନ୍ତି ।
ଏହି ହିସାବରେ ଦିଲ୍ଲୀପଙ୍କ ବିଜୟ ପାଇଁ ଆଉ ଆବଶ୍ୟକ ୩ ଭୋଟ ।
ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ବାପାଙ୍କ ଅପମାନର ପ୍ରତିଶୋଧ ନେବେ । ସେଥିପାଇଁ ଦଳ ନିଷ୍ପତ୍ତିରେ ଭୋଟ ଦେବେନି । ପ୍ରଭାତ ବିଶ୍ୱାଳଙ୍କ ବୟାନରୁ ତାହା ସ୍ପଷ୍ଟ ହୋଇସାରିଛି । ସେହିଭଳି ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍ ବାପାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି । କଂଗ୍ରେସର ନିଷ୍ପତ୍ତିକୁ ସେ ଗ୍ରହଣ କରିନାହାନ୍ତି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବେ ନାହିଁ ବୋଲି କହିସାରିଛନ୍ତି ।
ସୁତରାଂ, ବିଜେଡିର ସୌଭିକ ବିଶ୍ୱାଳ ଏବଂ କଂଗ୍ରେସର ସୋଫିଆ ଫିରଦୋସ୍ ଙ୍କ ଭୋଟ ଡାକ୍ତର ଦତ୍ତେଶ୍ୱରଙ୍କ ପାଖକୁ ଆସିବନି । ଯିବ ଦିଲ୍ଲୀପ ରାୟଙ୍କୁ ।
ଏମାନଙ୍କ ପରେ ଦିଲ୍ଲୀପଙ୍କ ବିଜୟ ପାଇଁ ଆଉ ଦରକାର ଗୋଟିଏ ଭୋଟ ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ ତିର୍ତ୍ତୋଲର ବିଜେଡି ବିଧାୟକ ରମାକାନ୍ତ ଭୋଇ କାଲିଠାରୁ ସେପଟକୁ ଚାଲିଗଲେଣି । ସୋର ବିଧାୟକ ମାଧବ ଧଡ଼ାଙ୍କ ଗତିବିଧି ସନ୍ଦେହରେ । ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ଭୋଟ ଉପରେ କେହି ନିଶ୍ଚିତ ନୁହଁନ୍ତି । ଏହି ହିସାବରେ ଦେଖିଲେ, ରାଜ୍ୟସଭା ଖେଳ ଖତମ୍ ହୋଇସାରିଛି । କେବଳ ଫଳାଫଳକୁ ଅପେକ୍ଷା ରହିବ ।
ସୂଚନାଥାଉକି, ଦିଲ୍ଲୀପ ରାୟଙ୍କ ବିଜୟ ନେଇ ବିଜେପି ଶିବିର ଶତ ପ୍ରତିଶତ ନିଶ୍ଚିତ ଥିବା ବେଳେ ବାଡ଼ରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମରେ ଅଛନ୍ତି ବିଜେଡି ଓ କଂଗ୍ରେସ । ନବୀନ ନିବାସରେ ବିଜେଡି ବିଧାୟକମାନଙ୍କୁ ଏକାଠି କରି ଘନ ଘନ ବୈଠକ କରୁଛନ୍ତି ନବୀନ ପଟ୍ଟନାୟକ । ସିଆଡ଼େ ବେଙ୍ଗାଲୁରୁର ଏକ ହୋଟେଲରେ ତିନି ଦିନ ହେଲା ନଜରବନ୍ଦୀରେ ଅଛନ୍ତି ୮ ଜଣିଆ କଂଗ୍ରେସ ବିଧାୟକ ଦଳ । ହେଲେ ବିଜେପି ବିଧାୟକମାନେ ବିନ୍ଦାସରେ । ଗତ ରାତିରୁ ପାରାଦ୍ୱୀପର ହୋଟେଲ ମେ’ ଫେୟାରରେ ଖାଇପିଇ ନିଶ୍ଚିତରେ ଅଛନ୍ତି ।
ଇତିମଧ୍ୟରେ ବେଙ୍ଗାଲୁରୁ ହୋଟେଲରେ ରହୁଥିବା ଓଡ଼ିଶାର କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ ପାଇଁ ଉଦ୍ୟମ ସଂକ୍ରାନ୍ତରେ ଆଜି ସାଂଘାତିକ ଅଭିଯୋଗ ଆସିଛି । ପୁଲିସ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ବ୍ଲାଙ୍କ ଚେକ୍ ଜବତ କରିଛି । ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ନିଜେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବେଙ୍ଗାଲୁରୁରେ ରହୁଥିବା ଓଡ଼ିଶାର କଂଗ୍ରେସ ବିଧାୟକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ହୋଇଥିଲା । ଓଡ଼ିଶାରୁ ଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଦୁଇ ଜଣ ଖସି ପଳାଇଛନ୍ତି । ରାଜ୍ୟସଭା ଭୋଟ ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ନେଇ ସେମାନେ ଆସିଥିଲେ । ଜେରା ବେଳେ ସେମାନେ ଏହା ମାନିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗିରଫ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହେଉଛନ୍ତି ବୀରେନ୍ଦ୍ର ପ୍ରସାଦ । ସେ ଦିଲ୍ଲୀପ ରାୟଙ୍କ ଅତି ପାଖଲୋକ ବୋଲି କୁହାଯାଉଛି । ଏହି ଘଟଣାରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ବେଙ୍ଗାଲୁୁରୁ ହୋଟେଲରେ ଥିବା ଆମ ବିଧାୟକଙ୍କୁ ଟ୍ରାପ୍ କରିବାକୁ ୫ କୋଟି ଅଫର୍ କରାଯାଉଛି । ଓଡ଼ିଶାରୁ ୪ ଜଣ ଲୋକ ଆସିଥିଲେ । ଦିଲ୍ଲୀପ ରାୟ ସେମାନଙ୍କୁ ପଠାଇଛନ୍ତି । ତେବେ ସେଠି ୮ ଭୋଟ୍ ଓ ଭୁବନେଶ୍ୱରରେ ଆଉ ୬ ଭୋଟ୍ ସୁରକ୍ଷିତ ଥିବା ସେ ଦାବି କରିଛନ୍ତି । କଂଗ୍ରେସର ଏହି ଅଭିଯୋଗ ଉପରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପ୍ରତିକ୍ରିୟା ମିଳିନାହିଁ ।
ଶେଷ ଖବର ଅନୁଯାୟୀ, ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କୁ ଟଙ୍କା ମାଧ୍ୟମରେ ପ୍ରଲୋଭିତ କରିବାକୁ ଯାଇଥିବା ଆଉ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ହୋଇଥଇବା ବ୍ୟକ୍ତିମାନେ ହେଲେ କର୍ଣ୍ଣାଟକର ଜଣେ ପ୍ରଭାବଶାଳୀ ବିଜେପି ନେତାଙ୍କ ପାଖଲୋକ ସୁରେଶ, ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଅଜିତ ସାହୁ, ରାଉରକେଲା ବାସିନ୍ଦା ବୀରେନ୍ଦ୍ର ପ୍ରସାଦ ଏବଂ ସୀମାଞ୍ଚଳ ମହାକୁଡ଼ ।