ଭୁୁବନେଶ୍ୱର: ଓଡ଼ିଶାର ୪ଟି ଆସନ ସମେତ ୧୦ଟି ରାଜ୍ୟର ୩୭ ରାଜ୍ୟସଭା ଆସନ ଲାଗି ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ । କାର୍ଯ୍ୟସୂଚୀ ଅନୁଯାୟୀ, ଫେବ୍ରୁଆରି ୨୬ରେ ନିର୍ବାଚନ ବିଜ୍ଞପ୍ତି ଜାରି ହେବ । ମାର୍ଚ୍ଚ ୫ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଏବଂ ମାର୍ଚ୍ଚ ୬ ତାରିଖରେ ଯାଞ୍ଚ ହେବ । ମାର୍ଚ୍ଚ ୯ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବ । ଭୋଟ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ସେଦିନ ଅପରାହ୍ନ ୫ଟାରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ।
ଓଡ଼ିଶାରୁ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ, ମୁଜିବୁଲ୍ଲା(ମୁନା) ଖାଁ, ସୁଜିତ୍ କୁମାର ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୪ ରେ ସରୁଥିବାରୁ ଏହି ୪ ଆସନ ଲାଗି ନିର୍ବାଚନ ହେବ । ଏହି ଆସନ କାହା ପାଖକୁ ଯିବ ତାକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି । ବିଧାନସଭାରେ ବିଜେପିର ସଂଖ୍ୟା ୭୯ ଥିଲା ବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କର ସମର୍ଥନ ଅଛି । ସେହି ହିସାବରେ ବିଜେପିର ସଂଖ୍ୟା ୮୨ । ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର ନିଲମ୍ବିତ ହୋଇଥିବାରୁ ବିଜେଡିର ସଂଖ୍ୟା ହେଉଛି ୪୮ । ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନକୁ ମିଶାଇଲେ କଂଗ୍ରେସର ସଂଖ୍ୟା ୧୫ ।
ରାଜ୍ୟସଭା ସଂଖ୍ୟା ଗଣିତରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୦ ଭୋଟ୍ ର ଆବଶ୍ୟକ ରହିଛି । ଅତଏବ ବିଜେପିକୁ ପ୍ରଥମ ଦୁଇଟି ଏବଂ ବିଜେଡିକୁ ତୃତୀୟ ଆସନ ନିଶ୍ଚିତ ଯିବ । ବାକି ରହିଲା ଚତୁର୍ଥ ଆସନ । ଏହି ଆସନ ପାଇଁ କାହା ପାଖରେ ଆବଶ୍ୟକ ୩୦ ଭୋଟ ନାହିଁ । କାରଣ ଦୁଇଟି ଆସନ ଗଲା ପରେ ବିଜେପି ପାଖରେ ୨୮ ବଳକା ଭୋଟ୍ ରହୁଛି । ବିଜେଡି ପାଖରେ ୧୮ ଏବଂ କଂଗ୍ରେସ ପାଖରେ ୧୫ ଭୋଟ ରହୁଛି । ସୁତରାଂ ଚତୁର୍ଥ ଆସନ ପାଇବାକୁ ହେଲେ ବିଜେପିକୁ ବିଜେଡିର ସମର୍ଥନ ନେବାକୁ ପଡ଼ିବ କିମ୍ବା କ୍ରସ୍ ଭୋଟିଂ କରାଇ ବିଜେଡିରୁ ଭୋଟ କିଣିବାକୁ ପଡ଼ିବ । ଅନ୍ୟପକ୍ଷରେ, କଂଗ୍ରେସ ସହ ବୁଝାମଣା କରି ବିଜେଡି ଚତୁର୍ଥ ଆସନ ପାଇବାର ସୁଯୋଗ ରହିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରସ୍ତାବ ଦେଇଥିବାରୁ ଏହି ସୁଯୋଗ ସୃଷ୍ଟି ହୋଇଛି । ମାତ୍ର ରାଜନୈତିକ ସମୀକରଣରେ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଏଠି ବୁଝାମଣା ସମ୍ଭବ ହୋଇ ନ ପାରେ । ଗୋଟିଏ ସମୀକରଣ ଯାହା ସମସ୍ତଙ୍କୁ ହୃଦବୋଧ ହେଉଛି ତାହା ହେଲା ବିଜେପି ଏବଂ ବିଜେଡି ମଧ୍ୟରେ ଚତୁର୍ଥ ଆସନ ଲାଗି ବୁଝାମଣା ।
ସୁତରାଂ ଅତୀତରେ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ଦୁଇ ଦଳ ମିଶି ଚତୁର୍ଥ ଆସନ ପୂରଣ କରିବାର ଅଧିକ ସମ୍ଭାବନା ସୃଷ୍ଟି ହୋଇଛି । ଯଦି ସେମିତି ହୁଏ ସେହି ପ୍ରାର୍ଥୀ ଜଣଙ୍କ କିଏ ତାହା ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଛି । ଉଭୟ ଦଳର ରାଜନୈତିକ ସ୍ୱାର୍ଥରକ୍ଷା ଏବଂ ସୁହାଇଲା ଭଳି ଜଣେ ନିର୍ବିବାଦୀୟ ବ୍ୟକ୍ତି ଚତୁର୍ଥ ଆସନ ଲାଗି ବାଜି ମାରିବେ ବୋଲି କୁହାଯାଉଛି ।