ମୁମ୍ବାଇ: ଲୋକପ୍ରିୟ ଗଜଲ ଗାୟକ ତଥା ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସ ଆଉ ନାହାନ୍ତି । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲ୍ ରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୭୨ ବର୍ଷ ହୋଇଥିଲା । ଏହି ଦୁଃଖଦ ଖବର ଆସିଲା ପରେ ସାରା ଦେଶର ସଙ୍ଗୀତପ୍ରେମୀ ବ୍ୟକ୍ତିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି ।
ହିନ୍ଦୀ ଫିଲ୍ମ ‘ନାମ୍’ ର ସେହି ଲୋକପ୍ରିୟ ଗୀତ ‘ଚିଠି ଆଇହେ..’ ସମେତ ଅନେକ ହିନ୍ଦୀ ଫିଲ୍ମ ଗୀତ ଏବଂ ଶତାଧିକ ଗଜଲ ଗାଇ କୋଟି କୋଟି ଭାରତୀୟଙ୍କ ହୃଦୟରେ ବସା ବାନ୍ଧିଥିବା ପଙ୍କଜ ଉଧାସ ଗୁଜୁରାଟର ଏକ ସଙ୍ଗୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ରାଜକୋଟ ସଙ୍ଗୀତ ଏକାଡେମୀରୁ ସଙ୍ଗୀତ ଶିକ୍ଷାଲାଭ ପରେ ଗୁଲାମ କାଦିର ଖାନ୍ ସାହେବଙ୍କଠାରୁ ହିନ୍ଦୁସ୍ଥାନ ଭୋକାଲ୍ କ୍ଲାସିକାଲ୍ ମ୍ୟୁଜିକ୍ ଶିଖିଥିଲେ । ପରବର୍ତ୍ତୀ ସମୟରେ ମୁମ୍ବାଇ ଆସି ୫୦ ରୁ ଅଧିକ ସଙ୍ଗୀତ ଆଲବମ୍ କରିଥିଲେ । ୧୯୭୨ ମସିହାରେ କେ ଚାଟାର୍ଜୀଙ୍କ ନିର୍ଦ୍ଦେଶିତ ‘କାମନା’ ଫିଲ୍ମରେ ସେ ପ୍ରଥମେ ଗାଇବାର ସୁଯୋଗ ପାଇଥିଲେ । ତାହାପରେ ସେ ଆଉ ପଛକୁ ଫେରିନାହାନ୍ତି । ସେ ଗାଇଥିବା ଲୋକପ୍ରିୟ ଫିଲ୍ମରେ ମଧ୍ୟରେ ଅଛି ନାମ, ସାଜନ୍ ଏବଂ ମୋହରା ।
୨୦୦୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ।
ସ୍ୱର୍ଗତ ପଙ୍କଜ ଉଧାସଙ୍କର ପତ୍ନୀ ଫରିଦା ଏବଂ ଦୁଇ ଝିଅ ନୟାବ ଏବଂ ରେବା । ତାଙ୍କର ଦୁଇ ଭାଇ ନିର୍ମଳ ଏବଂ ମନୋହର ଉଧାସ ମଧ୍ୟ ଜଣାଶୁଣା ଗାୟକ ।
ଆସନ୍ତାକାଲି ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।