ଭୁବନେଶ୍ୱର: କ୍ଷୀର ଆଉଟା ନୀତି କିଏ କରିବ ସେଥିରୁ ଆରମ୍ଭ ହେଲା ବିବାଦ । ବନ୍ଦ ହୋଇଗଲା ନୀତି । ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ସଂଧ୍ୟାଧୂପ ଲାଗିଲାନି । ରାତି ସାଢ଼େ ୯ଟାରେ ପହୁଡ଼ ପଡ଼ିଲା । ରାତିସାରା ଉପାସରେ ରହିଲେ ମହାପ୍ରଭୁ । ଆଜିଭଳି ପବିତ୍ର ମକର ସଂକ୍ରାନ୍ତିରେ ସ୍ୱତନ୍ତ୍ର ନୀତି ନ ହେବାରୁ ସେମିତି ଖାଡ଼ା ଉପାସରେ ରହିଛନ୍ତି ମହାପ୍ରଭୁ । ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦରୁ ଗତବର୍ଷ ଭଳି ଚଳିତବର୍ଷର ମକର ସଂକ୍ରାନ୍ତିରେ ଏଭଳି ଅଭାବନୀୟ ଘଟଣା ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ନିଜର ଜିଦ୍ ଓ ଅହଙ୍କାର ପାଇଁ ମହାପ୍ରଭୁଙ୍କୁ ବି ପାସଙ୍ଗରେ ନେଇ ନାହାନ୍ତି ସେବାୟତ ଗୋଷ୍ଠୀ ।
ମକର ସଂକ୍ରାନ୍ତି ପାଇଁ ଶ୍ରୀ ଲିଙ୍ଗରାଜଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅଛି । ଠାକୁରଙ୍କୁ ଶୀତ ହେଉଥିବାରୁ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ପର୍ଯ୍ୟନ୍ତ ଘୃତଲେପନ ଔଷଧିର ବିଧି ଥିବାରୁ ମକର ସଂକ୍ରାନ୍ତି ପୂର୍ବ ଦିନ କ୍ଷୀର ଆଉଟା ନୀତି ହୋଇଥାଏ । ସଂଧ୍ୟାଧୂପ ପରେ ଶ୍ରୀ ଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀ ବାସୁଦେବଙ୍କ ଚଳନ୍ତି ପ୍ରତିମା ମନ୍ଦିର ପରିସରରେ ଥିବା ଭୁବନେଶ୍ୱରରୀ ମନ୍ଦିରକୁ ଯାଇଥା’ନ୍ତି । ଏହିକ୍ରମରେ ଗତକାଲି ସଂଧ୍ୟାଧୂପ ପାଇଁ ବେଶ ସରିଥିଲା । ବ୍ରାହ୍ମଣ ନିଯୋଗ ସେବାୟତ ଭୋଗ ସରଞ୍ଜାମ(ଠା’) ସଜାଡ଼ିଥିଲେ । ମାତ୍ର କ୍ଷୀର ଆଉଟାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ମନ୍ଦିର ଅଧିକାରୀ ଆସିଲେ ଯାଇ ନୀତି ଆଗେଇବ ବୋଲି ଚର୍ଚେଇତ ସେବାୟତ କହିଥିଲେ । ଏହାପରେ ଠା’ ଅଟକିଥିଲା । ସଂଧ୍ୟାଧୂପ ଲାଗିପାରିଲାନି । ରାତି ସାଢ଼େ ୯ଟାରେ ବଡୁ ସେବାୟତ ମନ୍ଦିର ପହୁଡ଼ ପକାଇ ଦେଲେ । ଫଳରେ ନୀତି ଆଉ ହୋଇପାରିଲାନି । ବିବାଦର ସମାଧାନ ହୋଇ ନ ପାରିବାରୁ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି ଏବଂ କାଲି ରାତିରୁ ଆଜି ମକର ସଂକ୍ରାନ୍ତି ଦିନସାରା ଠାକୁର ଖାଡ଼ା ଉପାସରେ ଅଛନ୍ତି ।
ବିଭିନ୍ନ ସମୟରେ ବଡୁ ଏବଂ ସୁଆର ନିଯୋଗ ମଧ୍ୟରେ ବିବାଦ ସମସ୍ତଙ୍କୁ ଜଣା । ମାତ୍ର ପବିତ୍ର ମକର ସଂକ୍ରାନ୍ତିରେ ସମସ୍ତ ନୀତିକାନ୍ତି ବନ୍ଦ କରି ଠାକୁରଙ୍କୁ ଉପାସରେ ରଖାଇଦେବା ଭକ୍ତଙ୍କୁ ଅସହ୍ୟ ହୋଇଛି । ଗତବର୍ଷ ନବାଙ୍କ ବେଢ଼ା ବେଳେ କ୍ଷୀର ଆଉଟା ନୀତିକୁ ନେଇ ଏହି ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ କାରଣରୁ ନୀତି ବନ୍ଦ ହୋଇଯାଇଥିଲା । ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ବିବାଦର ସମାଧାନ ପାଇଁ ଏକ ନିଦେ୍ର୍ଦଶନାମା ଜାରି କରିଥିଲେ । ଏହି ଅନୁଯାୟୀ, ମକର ସଂକ୍ରାନ୍ତି ଅବସରରେ ହେବାକୁ ଥିବା କ୍ଷୀର ଆଉଟା ନୀତି ପାଇଁ ପରବ ଯାତ୍ରା ବିଶୋଇଙ୍କୁ ଜାଳେଣି ଯୋଗାଡ଼ ଏବଂ ଅସ୍ଥାୟୀ ଷ୍ଟୋଭ୍ ପ୍ରସ୍ତୁତି ପାଇଁ କୁହାଯାଇଥିଲା । ଘଣ୍ଟ ଏବଂ ମେଘଡମ୍ବରୁ ସେବାୟତଙ୍କୁ ଘୃତକମଳ ନୀତି ସମ୍ପାଦନ ପାଇଁ ନିର୍ଦ୍ଦେଶ ଥିଲା ।
ମାତ୍ର ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଜିଲ୍ଲାପାଳଙ୍କ ଆଦେଶକୁ ଚାଲେଞ୍ଜ କରିଥିଲେ । ଏହାକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନବାଙ୍କ ବେଢ଼ା ନୀତି ସମ୍ପାଦନା ଉପରେ ସ୍ଥଗିତାଦେଶ ଜାରି କରିଥିଲେ । ଏହାର ଫଳସ୍ୱରୂପ ଗତକାଲି ସଂଧ୍ୟାରୁ ନବାଙ୍କ ବେଢ଼ା ନୀତି ବନ୍ଦ ରହିଥିବା ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର କହିଛନ୍ତି ।