ଭୁବନେଶ୍ୱର: ଦୁଇଟି ଆସନ ପାଇଁ ରାଜ୍ୟସଭା ପ୍ରାର୍ଥା ଘୋଷଣା କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ତୃତୀୟ ଆସନ ଲାଗି ଡ. ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା ହୋଇଥିବା ବେଳେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସାଧାରଣ ପ୍ରାର୍ଥୀ ଘୋଷଣା କରାଯାଇଛି । ଆଜି ନବୀନ ନିବାସରେ ବିଧାୟକମାନଙ୍କର ବୈଠକ ଶେଷରେ ନବୀନ ଏହି ଦୁଇଜଣଙ୍କ ନାଁ ଘୋଷଣା କରିଛନ୍ତି । ସଂତୃପ୍ତଙ୍କୁ ସେ ବିଜେଡି ପ୍ରାର୍ଥୀ ଏବଂ ଦତ୍ତେଶ୍ୱରଙ୍କୁ କମନ୍ କ୍ୟାଣ୍ଡିଡେଟ୍ ବୋଲି କହିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନ ରଖିଥିବା ଦତ୍ତେଶ୍ୱରଙ୍କୁ ସବୁ ଦଳ ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି । ନବୀନଙ୍କର ଏହା ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି ।
ଚତୁର୍ଥ ଆସନ ଲାଗି ଡାକ୍ତର ଦତ୍ତେଶ୍ୱରଙ୍କୁ ପ୍ରାର୍ଥୀ କରିବାକୁ ପୂର୍ବରୁ କଂଗ୍ରେସ ଯୋଜନା କରିଥିଲା । ତାଙ୍କୁ ମିଶାଇ ଏକ ୫ ଜଣିଆ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଯାଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେଠାରେ ଗୋଟିଏ ନାଁ ଚୂଡ଼ାନ୍ତ ହେବ ବୋଲି ଗତକାଲି ସେ ସାମ୍ବାଦିକମାନଙ୍କୁ କହି ଯାଇଛନ୍ତି ।
ଅନ୍ୟପକ୍ଷରେ ଚତୁର୍ଥ ଆସନରେ ଲଢ଼ିବା ନେଇ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିନାହିଁ । କିନ୍ତୁ ଏତିକି ସ୍ପଷ୍ଟ ଯେ ଚତୁର୍ଥ ଆସନ ପାଇଁ ବିଜେପି ସହ ବିଜେଡି ଆଉ ବୁଝାମଣା କରିବାର ନାହିଁ । ନବୀନ ବାବୁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହା ପୂର୍ବରୁ କଂଗ୍ରେସ ତାଙ୍କର ନାଁ ପ୍ରସ୍ତାବ ରଖିଥିବାରୁ ଏବେ ସମର୍ଥନ କରିବାକୁ ବାଧ୍ୟ ହୋଇପାରେ । ସୁତରାଂ ପରୋକ୍ଷରେ ବିଜେଡି ଏବଂ କଂଗ୍ରେସର ମିଳିତ ପ୍ରାର୍ଥୀ ହେବେ ଡାକ୍ତର ଦତ୍ତେଶ୍ୱର ହୋତା । ଦୁଇ ଦଳର ସଂଖ୍ୟା ଦୃଷ୍ଟିରୁ ତାଙ୍କର ବିଜୟ ମଧ୍ୟ ସୁନିଶ୍ଚିତ ।
ବିଜେଡିରୁ ଡ. ସଂତୃପ୍ତ ମିଶ୍ର ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା । କର୍ପୋରେଟ ଜଗତରୁ ଆସିଥିବା ସଂତୃପ୍ତ ଗତ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିଥିଲେ । ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କଠାରୁ ୫୭ ହଜାର ଭୋଟ ବ୍ୟବଧାନରେ ହାରିଥିଲେ । ନବୀନ ପଟ୍ଟନାୟକଙ୍କର ରାଜନୈତିକ ସଚିବ ଭାବେ ଏବେ ସେ କାର୍ଯ୍ୟ କରୁଛନ୍ତି ।
ଡାକ୍ତର ଦତ୍ତେଶ୍ୱର ହୋତା ଓଡ଼ିଶାର ଜଣେ ଜଣାଶୁଣା ଡାକ୍ତର । ୟୁରୋଲୋଜି କ୍ଷେତ୍ରରେ ତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ଅଛି । ଏସସିିବି ମେଡିକାଲ କଲେଜର ୟୁରୋଲୋଜି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ କଲେଜର ଡିନ୍ ଏବଂ ଅଧ୍ୟକ୍ଷ ଥିଲେ । ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ସେ ପ୍ରଥମ କୁଳପତି ଥିଲେ । କିଡନି ଟ୍ରାନସପ୍ଲାଣ୍ଟ, ଲିଭର ଟ୍ରାନସପ୍ଲାଣ୍ଟ ୟୁନିଟ୍ ପ୍ରତିଷ୍ଠାରେ ତାଙ୍କର ଅବଦାନ ଅଛି ।
Continue Reading







