ଭୁବନେଶ୍ୱର: ଏକ ଭଲ ହୃଦୟ ଜଣେ ଭଲ ମଣିଷ ତିଆରି କରେ ବୋଲି କହିଛନ୍ତି ବିଶିଷ୍ଟ ବୌଦ୍ଧ ଧର୍ମ ଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତୃଲ୍ ଜିଗ୍ମେ ରିନ୍ପୋଚେ । ସୋମବାର କିସ୍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ରିନ୍ପୋଚେ କହିଲେ, କିସ୍ ଛାତ୍ରଛାତ୍ରୀଙ୍କ ସଫଳତାର ପଛରେ ଅନେକ ଲୋକଙ୍କ ଅବଦାନ ରହିଛି । ଆଗାମୀ ଦିନରେ ସେହିମାନଙ୍କ ପ୍ରତି କୃତଜ୍ଞ ରହିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ମାନସିକ ବିକାଶ ସହ ଆମକୁ ଆମ ହୃଦୟର ବିକାଶ କରିବାକୁ ପଡ଼ିବ । ଅନ୍ୟକୁ ସାହାଯ୍ୟ କରିବା ହେଉଛି ପ୍ରକୃତ ଶିକ୍ଷା । ସହନଶୀଳତା, ସହହୃଦୟତା, ଦୟା, କରୁଣା ଓ ଏକାତ୍ମବୋଧ ହେଉଛି ଆମ ସଭ୍ୟତାର ମୂଳ ମନ୍ତ୍ର । ଜ୍ଞାନ ଆହରଣ ସହ ଏ ଏସବୁ ମାନବୀୟ ଗୁଣ ସମସ୍ତଙ୍କ ନିକଟରେ ରହିବା ଆବଶ୍ୟକ ବୋଲି ସେ କହିଥିଲେ । ପରିବେଶ ଠାରୁ ଅର୍ଥନୀତି ଯାଏଁ ପ୍ରକୃତ ଜୀବନ ହେଉଛି ଚ୍ୟାଲେଞ୍ଜପୂର୍ଣ୍ଣ । ବିବିଧତାକୁ ଗ୍ରହଣ କରି ଆମେ ଏହି ସବୁ ଚ୍ୟାଲେଞ୍ଜର ମୁକାବିଲା କରି ଜୀବନରେ ସଫଳ ହେଇପାରିବା ବୋଲି ରିନ୍ପୋଚେ କହିଥିଲେ । ଛାତ୍ରଛାତ୍ରୀମାନେ ସମାଜର ଉନ୍ନତି ପାଇଁ ସବୁବେଳେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଆଜି ବିଶ୍ୱ ଯେଉଁସବୁ ସମସ୍ୟାର ସମାଧାନ ହେଉଛି ସେସବୁର ସମାଧାନ ଦିଗରେ ସୌହାର୍ଦ୍ଦ୍ୟ ହେଉଛି ଚାବିକାଠି ବୋଲି ସେ କହିଥିଲେ ।

ଏହି ଅବସରରେ ପୁନେସ୍ଥିତ ଗୋଖଲେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ୍ ଆଣ୍ଡ ଇକୋନୋମିକ୍ସ୍ର କୁଳାଧିପତି ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡ଼. ରାଜୀବ କୁମାର, ୟୁଏନଇପିର ଗୁଡ଼୍ୱିଲ୍ ଆମ୍ବାସାଡ଼ାର ତଥା ସୁଇଜରଲ୍ୟାଣ୍ଡସ୍ଥିତ ଜିଆଇଏସ୍ଟି ଆଡ଼ଭାଇଜରିର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ଶୁଖ୍ଦେବ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାରତୀୟ ସଂଗୀତକାର ଡ଼. ରିକି. ଜି. କେଜ୍ ଓ ଗ୍ରୀନ୍ ବେଲ୍ଟ ଏବଂ ରୋଡ଼୍ ଇନ୍ଷ୍ଟିଚ୍ୟୁଟ୍ର ସଭାପତି ଏରିକ୍ ସୋଲେମ୍ଙ୍କୁ ସମ୍ମାନସୂଚକ ଡ଼କ୍ଟରେଟ୍ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା ।
ସମ୍ମାନସୂଚକ ଡ଼କ୍ଟରେଟ୍ ଡ଼ିଗ୍ରୀ ଗ୍ରହଣ କରି ଡ଼. ରାଜୀବ କୁମାର କହିଲେ ଜନଜାତି ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ ଥିବା ମେଧା ଶକ୍ତି ଓ ସମ୍ଭାବନାକୁ ପରିପ୍ରକାଶ କରିବାରେ କିସ୍ର ପ୍ରୟାସ ପ୍ରଶଂସନୀୟ । ଦେଶରେ ପରିବର୍ତ୍ତନ ଆଣିବା ପାଇଁ କିସ୍ର କ୍ଷମତା ରହିଛି ବୋଲି ସେ କହିଥିଲେ ।
ବର୍ତ୍ତମାନ ସମୟରେ ମାନବ ସମ୍ବଳ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ପବନ ଶୁଖ୍ଦେବ କହିଥିଲେ । ଦେଶର ଅଭିବୃଦ୍ଧି ସହ ଆମକୁ ମାନବ ସମ୍ବଳ, ପ୍ରାକୃତିକ ସମ୍ବଳ ଏବଂ ସାମାଜିକ ସମ୍ବଳ ଉପରେ ଦୃଷ୍ଟି ଦେବାକୁ ହେବ । ମାନବ ସମ୍ବଳ ବିକାଶ କ୍ଷେତ୍ରରେ କିସ୍ର ଭୂମିକାକୁ ସେ ଭୂୟସୀ ପ୍ରଶଂସା କରିଥିଲେ ।
ଡ଼. କେଜ୍ କହିଲେ ଏବେ ବିଶ୍ୱ ଭୟଙ୍କର ପରିବେଶ ସମସ୍ୟାର ସମ୍ମୁଖୀନ ହେଉଛି । ଏଥିରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ଆମେ ନିଜେ ପରିବର୍ତ୍ତନ ହେବାକୁ ପଡ଼ିବ । ବିଶ୍ୱ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା କ୍ଷତି ଏବଂ ପ୍ରଦୂଷଣ ଭଳି ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ସେ କହିଥିଲେ । ଏହି ସବୁ ସମସ୍ୟାର ମୁକାବିଲା ନିମନ୍ତେ କିସ୍ର ଏକ ପ୍ରମୁଖ ଭୂମିକା ରହିଛି ବୋଲି ରିକି କହିଥିଲେ ।
ଭର୍ଚୁଆଲ୍ରେ ଯୋଗଦେଇ ସୋଲେମ୍ କହିଲେ ମୁଁ ପୂର୍ବରୁ କିସ୍ ପରିଦର୍ଶନ କରିଛି । କିସ୍ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଆଖିରେ ମୁଁ ମୋର ମାଆଙ୍କୁ ଦେଖିପାରିଥିଲି ବୋଲି ସେ କହିଥିଲେ ।








