କୋରାପୁଟର କଫି ଚାଷୀଙ୍କ ସମୃଦ୍ଧି ପାଇଁ ଏକ ନୂଆ ଆଶାର କିରଣ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏଣିକି ଦେଶର କୋଣ ଅନୁକୋଣରେ ମହକିବ ଆମ ‘କୋରାପୁଟ କଫି’ । କୋରାପୁଟ ଜିଲ୍ଲାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ଏହି କଫି ସାରା ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି । କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି।

‘ଟାଟା କଫି’ ର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିଛନ୍ତି । କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ଏହା ସହାୟକ ହେବ। କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ଵ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ‘କୋରାପୁଟ କଫି’ର ଚାହିଦା ପୂରଣରେ ତାଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ।”








