ଭୁୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସକାଳେ ଲିଙ୍ଗରାଜ ମନ୍ଦିର ଆସି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ଶ୍ରାବଣ ମାସର ଶେଷ ସୋମବାର ଭଳି ପବିତ୍ର ଦିନରେ ଶ୍ରୀ ଶାହ ପ୍ରଭୁଙ୍କ ପାଖରେ ଜଳାଭିଷେକ କରିବା ସହ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଶ୍ରୀ ଶାହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପୁରୁଣା ଭୁବନେଶ୍ୱରସ୍ଥିତ ବାସଭବନ ଆସି ସକାଳ ଜଳଖିଆ କରିଥିଲେ । ଧର୍ମେନ୍ଦ୍ରଙ୍କ ସମେତ ରାଜ୍ୟର ବରିଷ୍ଠ ନେତୃବର୍ଗ ତାଙ୍କ ସାଙ୍ଗରେ ଥିଲେ ।

ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ବିଳମ୍ବରେ ଶ୍ରୀ ଶାହ ଗତକାଲି ରାତି ୧.୪୫ ମିନିଟ୍ ରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ତାଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ବି ଆସିଥିଲେ । ଶ୍ରୀ ଶାହଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ସଂଧ୍ୟାବେଳୁ ଦଳୀୟ ନେତା ଓ କର୍ମୀଙ୍କ ଗହଳି ଲାଗିଥିଲା । ବହୁ ବିଳମ୍ବ ସତ୍ତ୍ୱେ ସେମାନଙ୍କର ଉତ୍ସାହ କମି ନ ଥିଲା । ଶ୍ରୀ ଶାହ ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସେ ସିଧା ମେ ଫେୟାର ହୋଟେଲକୁ ଯାଇଥିଲେ ।








