ଭୁବନେଶ୍ୱର: ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ। ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ସାଧାରଣସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି ଓଡ଼ିଆ ଜାତି ଏକ ସମୃଦ୍ଧ ରାଜ୍ୟ ଭାବରେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ହୋଇ ବିଶ୍ବ ପଟଳରେ ଭାରତର ମର୍ୟ୍ୟାଦାକୁ ବୃଦ୍ଧି କରିବ। ସାଧାରଣ ଦିଶୁଥିବା ଏକ ସ୍ଥାନରେ ଜନ୍ମହୋଇ, ସବୁ ସାଧାରଣ ସାମଗ୍ରୀ ବ୍ୟବହାର କରି, ନିଜର କର୍ମବଳରେ ଜଣେ ବ୍ୟକ୍ତି କିପରି ଇଶ୍ବରତୁଲ୍ୟ ହୋଇପାରେ କହି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଣ୍ଡିତ ଗୋପବନ୍ଧୁଙ୍କୁ ସମଗ୍ର ଭାରତବର୍ଷ ପାଇଁ ଏକ ଉଦାହରଣ ବୋଲି କହିବା ସହିତ ଗୋପବନ୍ଧୁଙ୍କ ଦୁଃଖ, କଷ୍ଟ ଓ ତ୍ୟାଗ ଆଜି ଓଡ଼ିଆ ଜାତିର ଭାଗ୍ୟକୁ ବଦଳାଇ ଦେଇଛି ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ୟ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଏହି ଅବସରରେ ସତ୍ୟବାଦୀ ମହୋତ୍ସବ ସମୟରେ ସେ କରିଥିବା ଘୋଷଣା ବିଷୟରେ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ।
ସତ୍ୟବାଦୀ ବନ ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୫୮୫ କୋଟି ଟଙ୍କାର ପ୍ରକଳ୍ପ କାର୍ୟ୍ୟକାରୀ କରିବେ । ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ । ଐତିହାସିକ ବକୁଳବନର ପୁନରୁତ୍ଥାନ ଓ ବିକାଶ ପାଇଁ ପ୍ରାୟ ୯୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହାକୁ ଏକ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଇ ଏହାର ଐତିହାସିକ ପରିଚୟକୁ ସୁରକ୍ଷିତ କରାଯିବ । ଏହା ସହିତ ୪୯୫ କୋଟି ଟଙ୍କାରେ ସତ୍ୟବାଦୀ ଅଞ୍ଚଳର ପୁନର୍ବିକାଶ କରାଯିବ । ଏଠାରେ ହେରିଟେଜ କରିଡର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମହାପ୍ରଭୁଙ୍କ ମହିମାର ପ୍ରସାର ପାଇଁ ପୁରୀଠାରେ ଏକ ହଜାର କୋଟି ଟଙ୍କା ବ୍ୟୟରେ ଏକ ବିଶ୍ବସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ପ୍ରତିଷ୍ଠା କରାଯିବା ସହିତ ଗୁଣ୍ଡିଚା ମନ୍ଦିର, ଏମାର ମଠ ଓ ରଘୁନନ୍ଦନ ଲାଇବ୍ରେରୀ ଭଳି ଐତିହାସିକ ଓ ଆଧ୍ୟାତ୍ମିକ ପୀଠର ଗୌରବର ପୁନଃଉଦ୍ଧାର କରାଯିବ। ପୁରୀକୁ ଅତ୍ୟାଧୁନିକ ପର୍ୟ୍ୟଟନସ୍ଥଳରେ ପରିଣତ କରିବା ପାଇଁ ଆମ ସରକାର ୧୫୦୦ ଏକର ପରିମିତ ଅଞ୍ଚଳରେ ଶାମୁକା ପ୍ରକଳ୍ପ କାର୍ଯ୍ୟକାରୀ କରିବେ । ଏହି ପ୍ରକଳ୍ପ ନୈସର୍ଗିକ ବେଳାଭୂମି ଓ ଅତ୍ୟାଧୁନିକ ଭିତ୍ତିଭୂମିର ସମନ୍ବୟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ୟ୍ୟଟନ କେନ୍ଦ୍ରରେ ପରିଣତ ହେବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ପ୍ରାୟ ୮୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ କାମ ଜାରି ରହିଛି । ଆମ ସରକାର ମଧ୍ୟ ତିନୋଟି ଗୁରୁତ୍ବପୂର୍ଣ୍ଣ ସଡକ ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି । ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ୨୮୭ କିଲୋମିଟର ବିଶ୍ବସ୍ତରୀୟ ସଡକ ୯ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ପାରଳାଖେମୁଣ୍ଡିରୁ ବରଗଡର ଅମ୍ବାଭନା ପର୍ୟ୍ୟନ୍ତ ନମୋ-ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ । ଏହାସହିତ ଦକ୍ଷିଣରୁ ଉତ୍ତରକୁ ଯୋଡି ମାଲକାନଗିରିର ମୋଟୁ ଠାରୁ ମୟୂରଭଞ୍ଜର ତିରିଙ୍ଗି ପର୍ୟ୍ୟନ୍ତ ୯୬୯ ଦୀର୍ଘ ଅଟଳ ଏକ୍ସପ୍ରେସ୍ ୱେ ମଧ୍ୟ ନିର୍ମାଣ କରାଯିବ ବୋଲି ସେ କହିଥିଲେ ।
ପୁରୀରେ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ସହିତ ଆହୁରି ୭ଟି ଏୟାରପୋର୍ଟ ନିର୍ମାଣ ପାଇଁ ଯୋଜନା କରାଯାଉଛି । ପ୍ରାୟ ୧୫ଟି ଜିଲ୍ଲାରେ ଗୋଟିଏ ଗୋଟିଏ ହେଲିପୋର୍ଟ ମଧ୍ୟ କରାଯିବ । ସାମୁଦ୍ରିକ ବାଣିଜ୍ୟ ଓ ଯୋଗାଯୋଗ ପାଇଁ କେନ୍ଦ୍ରାପଡା ଠାରେ ପ୍ରାୟ ୨୫ ହଜାର କୋଟି ଟଙ୍କା ବିନିଯୋଗରେ ଏକ ମେଗା ସିପ୍ ବିଲ୍ଡିଙ୍ଗ କ୍ଲଷ୍ଟର ନିର୍ମାଣ କରାଯିବ । ଗଞ୍ଜାମର ବାହୁଦା ଠାରେ ପ୍ରାୟ ୨୨ ହଜାର ଟଙ୍କା ବିନିଯୋଗରେ ଏକ ସାଟେଲାଇଟ୍ ପୋର୍ଟ ସହିତ ଅନେକ ଛୋଟ ଛୋଟ ବନ୍ଦର ନିର୍ମାଣର ପ୍ରକ୍ରିୟା ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।