ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହେଲା ପରେ ବି ଦାମୋଦର ରାଉତଙ୍କ ମୁହଁତୋଡ଼ ଭାଙ୍ଗିନି । କହିଛନ୍ତି, କିଛି ପରୱା ନାହିଁ । ଯାହା ହେଲା ହେଲା, ସେଥିରେ ଅସୁବିଧା କ’ଣ ହେଲା ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟି ପଚାରିଛନ୍ତି । ସେ କହିଛନ୍ତି ‘ମୁଁ ଇସ୍ତଫା ଦେଲିନି ବୋଲି ମୁଖ୍ୟମନ୍ତ୍ରୀ ବହିଷ୍କାର କଲେ । ମତେ ମୁଖ୍ୟମନ୍ତ୍ରୀ ଫୋନ୍ କରିଥିଲେ । ହେଲେ ମୁଁ ବାହାରେ ଥିବାରୁ କିଛି ଶୁଭିଲା ନାହିଁ । ତାପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରିନସିପାଲ୍ ସେକ୍ରୋଟରୀ ଫୋନ୍ କରିଥିଲେ । ଘଣ୍ଟାଏ ଭିତରେ ଇସ୍ତଫା ଦେବାକୁ କହିଲେ । ମୁଁ କହିଲି ବାହାରେ ଅଛି । ଯଦି ଅର୍ଜେଣ୍ଟ ଅଛି ମୋତେ ଡିସମିସ୍ କର ।’
ଶୁକ୍ରବାର ସଂଧ୍ୟା ପାଖାପାଖି ସାଢ଼େ ୭ଟା । ସ୍ଥାନ ସଚିବାଳୟ । ଦାମ ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଘୋଷଣା କରିଥିଲେ । ସେତେବେଳକୁ ଦାମ ନିଜ ନିର୍ବାଚନମଣ୍ଡଳୀର ବୋରିକ ହାଇସ୍କୁଲ ବନ୍ଧୁମିଳନ ଉତ୍ସବରେ ଉପସ୍ଥିତ ଥିଲେ । ସାମ୍ବାଦିକମାନଙ୍କଠାରୁ ବହିଷ୍କାର ଖବର ଶୁଣିଲା ପରେ ଦାମ ଚିହିଁକି ଉଠିଥିଲେ । ‘ମୋ ପାଖରେ ସେ ଖବର ନାହିଁ । ମୁଁ କିଛି ଜାଣିନି’ ବୋଲି କହିଥିଲେ । ଖାଲି ସେତିକି ନୁହେଁ । ବ୍ରାହ୍ମଣଙ୍କ ପ୍ରତି ସେ କୌଣସି ଜାତିଆଣ ଆକ୍ଷେପ କରିନାହାନ୍ତି ବୋଲି ପୁଣି ଦମ୍ଭ ମାରିଥିଲେ । ସେ କ’ଣ କହିଛନ୍ତି ତାହା ଦୁନିଆ ଜାଣିଛି । ସେ କେଉଁଠି ସେଭଳି କିଛି ଆକ୍ଷେପ କରିଛନ୍ତି ତାହା କିଏ ଦେଖାଇପାରିବେ କି ବୋଲି ଦାମ ପ୍ରଶ୍ନ କରିଥିଲେ ।
ଦାମ ତାଙ୍କ ତୁଣ୍ଡରେ ଦମ୍ଭ ଦେଖାଇଥିଲେ ମଧ୍ୟ ମନ ତାଙ୍କର ରାଗ ଓ ଦୁଃଖରେ ଭାଙ୍ଗିପଡ଼ିଥିଲା । ଖୁବ ବିଚଳିତ ଦେଖାଯାଉଥିଲେ ଯେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବେ କି ବୋଲି ପ୍ରଶ୍ନରେ କହିଥିଲେ ମୁଁ କାହିଁକି ତାଙ୍କୁ ଦେଖା କରିବି ? ତାଙ୍କର ମୋ ଉପରୁ ଆସ୍ଥା ତୁଟିଗଲା । ତେଣୁ ମନ୍ତ୍ରୀମଣ୍ଡଳରୁ ବାହାର କଲେ । ତେବେ ମୂଳରୁ ମୁଁ ବିଜୁବାବୁଙ୍କ ସହ ଥିଲି । ବିଜୁ ଜନତା ଦଳ ଛାଡ଼ି କୁଆଡ଼େ ଯିବି ନାହିଁ । ଆଗାମୀ ୨୬ ତାରିଖ ପୁରୀରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ୨୦୦ ସମର୍ଥକଙ୍କୁ ଧରି ଯୋଗଦେବି ବୋଲି ଦାମ କହିଥିଲେ ।
ଖଣ୍ଡେୟିତ ଘର ପୁଅଟି ବାତ୍ ମେ ଦମ ହେ କୋଇ ପରୱା ନେହିଁ