ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପ୍ରଭାବଶାଳୀ ମନ୍ତ୍ରୀ ଓ ବିଧାୟକଙ୍କ ଛତ୍ରଛାୟା ତଳେ ଥିବା ଡାକ୍ତର ମୋତିଲାଲ ଗୌଡ କିଭଳି ସାଂଘାତିକ କାରସାଦି କରିଛନ୍ତି ତାହାର ଗୁମର ଖୋଲୁଛି । କାରଖାନା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଆଳରେ ମୋତିଲାଲ ଜାଲ୍ ବିଜ୍ଞପ୍ତି କରି କୋଟିଏ ଚଳୁ କରିବାଠାରୁ ବଡ଼ ଅପରାଧ ହେଉଛି ତାଙ୍କର ନିଯୁକ୍ତି ଜାଲିଆତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଡାକ୍ତର ଚାକିରିରୁ ଗାଏବ ହୋଇଯାଇଥିବା ମୋତିଲାଲ ସେହି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗରେ କିଭଳି ନିଯୁକ୍ତି ପାଇଥିଲେ ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ।
୨୦୦୯ ମସିହାରେ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ନିଯୁକ୍ତି ପାଇଥିଲେ ମୋତିଲାଲ । ମାତ୍ର କିଛି ମାସ କାର୍ଯ୍ୟ କରିବା ପରେ ବିନା ନୋଟିସ୍ରେ ହଠାତ୍ ଗାଏବ ହୋଇଗଲେ । ଆଶ୍ଚର୍ଯ୍ୟଜନକଭାବେ, ୨୦୧୦ ରେ ଶ୍ରମ ବିଭାଗ ଅଧୀନସ୍ଥ ଇଏସ୍ଆଇ ହସ୍ପିଟାଲ୍ରେ ହାତେଇନେଲେ ଦ୍ୱିତୀୟ ଚାକିରୀ । ସରକାରଙ୍କ ଗୋଟିଏ ବିଭାଗକୁ ପଟି ମାରି ଆଉ ଗୋଟିଏ ବିଭାଗରେ ନିଯୁକ୍ତି କେମିତି ହାତେଇଲେ ତାହା ଏବେ ସମସ୍ତଙ୍କୁ ଚକିତ୍ କରିଛି । ଖାଲି ସେତିକି ନୁହେଁ, ୨୦୧୨ ମସିହାରେ ସେ ପଦୋନ୍ନତି ପାଇ ଡେପୁଟେସନରେ ଆସିଥିଲେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟକୁ । ଆସିଷ୍ଟାଣ୍ଟ ଡାଇରେକ୍ଟର ପଦ ମିଳିଥିଲା ତାଙ୍କୁ । ଶ୍ରମ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଡାକ୍ତର ମୋତିଲାଲ ସେତେବେଳକୁ କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ନିଖୋଜ ଡାକ୍ତର ତାଲିକାରେ ଥିଲେ । ଗତ ୧.୬.୨୦୧୫ ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ୬୧୩ ଜଣିଆ ନିଖୋଜ ଡାକ୍ତର ତାଲିକାର ୩୫୫ କ୍ରମିକ ନମ୍ବରରେ ଥିଲେ ଡାକ୍ତର ମୋତିଲାଲ । ନିଖୋଜ ଡାକ୍ତରଙ୍କ ଖୋଜଖବର ନ ମିଳିବାରୁ ୧୭.୧୧.୨୦୧୫ ରେ ସ୍ୱାସ୍ଥ୍ୟ ବିଭାଗ ୪୦୮ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିଥିଲେ । ବହିଷ୍କୃତ ତାଲିକାରେ ଥିଲେ ଡାକ୍ତର ମୋତିଲାଲ । ସରକାରଙ୍କ ଗୋଟିଏ ବିଭାଗରୁ ନିଖୋଜ ଓ ବହିଷ୍କୃତ ଡାକ୍ତର ମୋତିଲାଲ ସେହି ସରକାରଙ୍କ ଆଉ ଏକ ବିଭାଗରେ ସହକାରୀ ନିର୍ଦ୍ଦେଶକ ଆସନରେ ବସି ଅୟସ କରୁଥିଲେ । ଅଫିସ୍ ନ ଯାଇ ମନ୍ତ୍ରୀ, ବିଧାୟକଙ୍କ ସହ ଦେଶ ବିଦେଶ ବୁଲି ମସ୍ତି କରୁଥିଲେ ସେ ।
ମୋତିଲାଲଙ୍କ ଏଭଳି ଡବଲ ଜାଲିଆତି ପଛରେ କାହାର ଅଛି ଆର୍ଶିବାଦ ? କାହାର ପୃଷ୍ଠପୋଷକତାରେ ମୋତିଲାଲ ସରକାରଙ୍କୁ ଚକମା ଦେଇ ନିଯୁକ୍ତି ହାତେଇଲେ ଏବଂ ଜାଲ୍ ବିଜ୍ଞପ୍ତି ଛାଡ଼ି କୋଟି କୋଟି ଟଙ୍କା ଚଳୁ କରିବାକୁ ସାହାସ କଲେ ? କ୍ରାଇମ୍ ବ୍ରାଞ୍ଚ ମାମଲାର ସବୁ ଦିଗକୁ ତଦନ୍ତ କରୁଛି ଏବଂ ଆଜି ଭୁବନେଶ୍ୱରର ୟୁନିଟ୍-୨ ସ୍ଥିତ ମୋତିଲାଲଙ୍କ ସରକାରୀ ବାସଭବନ ଉପରେ ରେଡ୍ କରିଛି । ରେଡ୍ରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଆପତ୍ତିଜନକ ଫଟୋ ମିଳିଥିବା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ଏହିସବୁ ଫଟୋରେ ମୋତିଲାଲ ଓ ଓଗେରଙ୍କ କୁତ୍ସିତ କାରନାମାର ଅନେକ ଚାଞ୍ଚଲ୍ୟକର ସୁରାକ୍ ଛପି ରହିଥିବା ସୂଚନା ମିଳିଛି ।
କେଉଁ ପରିସ୍ଥିତିରେ ମୋତିଲାଲଙ୍କ ଭଳି ଜାଲ୍ ମାଷ୍ଟର ଶାସକ ଦଳର ପ୍ରଭାବଶାଳୀ ଗ୍ରୁପ୍ର ହାର୍ଟ ଜିତିଲେ ତାହା କ୍ରାଇମବ୍ରାଞ୍ଚ ପାଇଁ ଚାଲେଞ୍ଜର ବିଷୟ ହୋଇଛି । ପ୍ରଭାବଶାଳୀ ଗ୍ରୁପ୍ର ଆର୍ଶିବାଦ ଓ ପ୍ରୋତ୍ସାହନରେ ସେ ଦୁଇ ଦୁଇଟି ସାଂଘାତିକ ଜାଲିଆତି କରିଛନ୍ତି ନା ଜାଲିଆତିରେ ଷ୍ଟାର୍ ବନିବା ପରେ ମନ୍ତ୍ରୀ, ବିଧାୟକ ଗୋଷ୍ଠୀର ମନ କିଣିଛନ୍ତି ତାହା ଅନୁସନ୍ଧାନ ସାପେକ୍ଷ । କ୍ରାଇମବ୍ରାଞ୍ଚ ସବୁ ଦିଗର ଖୋଳତାଡ଼ କରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଆଜି ୫ଟି ପାଥଲାବ୍ ଉପରେ କ୍ରାଇମ୍ବ୍ରାଞ୍ଚ ଚଢ଼ାଉ କରି ୩ ଜଣଙ୍କୁ ଅଟକ ରଖିଲା ପରେ ସହଯୋଗୀ ନେତାଙ୍କ ଛାତି ଧଡ଼କନ ଆରମ୍ଭ ହୋଇଛି । ସେପଟେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ନିଦେ୍ର୍ଦଶକ ପୂର୍ଣ୍ଣଚନ୍ଦ୍ର ଦାସ ଡାକ୍ତର ମୋତିଲାଲଙ୍କ ସରକାରୀ ବିଜ୍ଞପ୍ତି ଜାଲିଆତିକୁ କନଫର୍ମ କରିଛନ୍ତି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋଠାରୁ ମୋତିଲାଲ ୬୩ ଲକ୍ଷ ଟଙ୍କାର ଟେଣ୍ଡର ହାତେଇଥିବା ସେ କହିଛନ୍ତି ।







