ଡ. ଜ୍ୟୋତି ପ୍ରକାଶ ମହାପାତ୍ର
ମଇ ମାସ । ପାଖାାପାଖି ୨୦ ବର୍ଷ ତଳର ଘଟଣା । ମୁଁ ପ୍ରି-ଡିଗ୍ରୀ ପଢୁଥାଏ । ସେ ବର୍ଷ ବହୁତ ଖରା ଓ ତାତି ନୂଆ କରି ମାଡ଼ି ଆସିଥାଏ ଓଡ଼ିଶାକୁ । ଖରା ଛୁଟି- ତେଣୁ ଗାଁରେ ସାଙ୍ଗମାନଙ୍କ ସହ ତାସ୍ କି କ୍ରିକେଟରେ କଟୁଥାଏ ସମୟ । ପୁଣି ଗାଧୁଆ ବେଳେ (ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଇଲାକାର ଲୋକେ ମଧ୍ୟାହ୍ନ ସମୟକୁ ଗାଧୁଆ ବେଳ ବୋଲି କହନ୍ତି । ଯେଉଁ ସମୟରେ ବିଲରେ କାମ କରୁଥିବା ମଣିଷ ଘରକୁ ଫେରି ଗାଧୋଇ ଯାଏ ।) ପାଖ ନଈରେ ମନ ଇଚ୍ଛା ଡୁବକି ।
ଏଇ ସମୟରେ ମାଟ୍ରିକ ପରୀକ୍ଷା ଫଳ ବାହାରିବ ବୋଲି ଘୋଷଣା ହେଲା । ଆମ ଗାଁ କ୍ଲବ୍ ପିଲା କେନ୍ଦ୍ରାପଡ଼ା କି ଯାଜପୁର ଯାଇ ସେଇଠୁ ମାଟ୍ରିକ ଫଳ ବହି ଆଣି ଗାଁ ପିଲାଙ୍କୁ ରେଜଲ୍ଟ ଶୁଣାନ୍ତି । ଫାଷ୍ଟକ୍ଲାସ୍ ପାଇଲେ ଦଶ ଟଙ୍କା । ସେକେଣ୍ଡ ଓ ଥାର୍ଡ଼ କ୍ଲାସ୍ ସମାନ । ୫ ଟଙ୍କା । ଫେଲ୍ ହେଲେ ମାଗଣା । ଯାହା କିଛି ଶହେ କି ଦି’ ଶହ ରୋଜଗାର ହୁଏ, ସେଥିରେ ରାତିରେ ଗାଁ ସ୍କୁଲରେ ଭୋଜି ହୁଏ । ସେଇ ସମୟରେ ତ ଆଉ ଇଂଟରନେଟ୍ ନଥିଲା କି ମୋବାଇଲ୍ ବି । ତେଣୁ ପରୀକ୍ଷାଫଳ ପୁସ୍ତିକା ଉପରେ ନିର୍ଭର କରୁଥିଲେ ସମସ୍ତେ । ଗାଁ ଦାଣ୍ଡ ଚଉରାରେ କ୍ଲବ୍ ପିଲାଙ୍କ ସାମ୍ନାରେ ରେଜଲ୍ଟ ପାଇଁ ଧାଡ଼ି ଲାଗିଥିବ । ଫେରିଲା ବେଳେ କାହା ମୁହଁରେ ଶୀତୁଆ ସକାଳର କଅଁଳ ଖରା ପରି ହସ ତ କାହା ମୁହଁରେ ଖରା ଦିନର ଡହଡହ ଅପରାହ୍ଣର ଉଦାସପଣ ଆଉ କାହା ଆଖିରେ ଗରମ ଟୋପା ଲୁହ ।
ସେ ବର୍ଷ କିନ୍ତୁ ବକୁ ଅଲଗା ପ୍ଲାନ୍ କରିଥିଲା । ସେ କ୍ଲବ୍ ପିଲାଙ୍କ ସାଙ୍ଗରେ ନ ମିଶି ଏକା ଏକା ଗୋଟେ ବହି ଆଣିବାକୁ ଚିନ୍ତା କରିଥିଲା ଓ ସେଥିପାଇଁ ମତେ ସାଥୀ ବନେଇ ଥିଲା । ମତେ ସାଥୀ ବନେଇବାର କାରଣ ହେଉଛି- ଆମ ଘରେ ଥିବା ପୁରୁଣା ବଜାଜ୍ ସ୍କୁଟର୍ ।
ଏଥର ବକୁ ବିଷୟରେ ଟିକେ କହିଦିଏ । ବକୁ ମୋ କ୍ଲାସ୍ମେଟ୍ । ଆମ ଗାଁରେ ଆମେ ୩୨ ଜଣ କ୍ଲାସମେଟ୍ ଥିଲୁ । ସେଇ ସମୟରେ ବକୁ ଗାଁ ପାଖ କଲେଜରେ ବି ପ୍ରି-ଡିଗ୍ରୀ ପଢୁଥିଲା । ଏବେ ଟ୍ରକ ବେପାର କରି ସେ କୋଟିପତି । ବକୁ ରେଜଲ୍ଟ ପାଇଁ କ୍ଲବ୍ ପିଲାଙ୍କଠାରୁ ଆଡ଼େଇ ଯିବାର କାରଣ ଥିଲା ଅଲଗା । ତା’ ଭାଉଜଙ୍କ ଭଉଣୀ (ନାଁ ବଦଳେଇବା ପାଇଁ ଆପଣ ଯେ କୌଣସି ନାଁ ବ୍ୟବହାର କରି ପାରନ୍ତି, ଯେମିତି ସିଲି) ସହ ତା’ର ଚକ୍କର ଚାଲିଥିଲା । ସିଲି ଦଶମ ଶ୍ରେଣୀ ପରୀକ୍ଷା ଦେଇଥାଏ । ତେଣୁ ତା’କୁ ଆଗ ରେଜଲ୍ଟ ଦେଖାଇ କେମିତି ଟିକେ ଅଧିକ ଫସେଇ ହେବ, ସେ ଚକ୍ରାନ୍ତରେ ଥାଏ ବକୁ । କଲେଜ ସମୟରେ ଏଇ ଚକ୍କରଟା ଟିକେ ଅଧିକ ଘାରେ । ପିଲା ଖରାତରା, ନଈନାଳ କିଛି ମାନେନି ।
ଆଜିକାଲିକା ପରି ଚକ୍କର ତ ସେ ସମୟରେ ନଥିଲା । ଯେଉଁଠି ଉଭୟ ନିଜ ଘରେ ବସିଲେ ଆଉ ଫେସବୁକ୍ କି ହ୍ୱାଟସ୍ ଆପ୍ ରେ ଚାଟ୍ କଲେ । ସେତେବେଳେ ନଈକୂଳ, ଗାଁ ଟିୱେଲ କି ମନ୍ଦିର ଥିଲା ଦେଖା ସାକ୍ଷାତର ସ୍ଥାନ । ଆମ ଗାଁରେ ଗୋଟେ ଟିୱେଲ୍ (ନଳକୂଅ) ଥିଲା । ଯେଉଁଠୁ ସମସ୍ତେ ପାଣି ନିଅନ୍ତି । ଯାହାର ଚକ୍କର ଚାଲି ଥାଏ, ସେ ଟୋକା ସେଇଠିକୁ ଗାଧୋଇବାକୁ ଆସିବ । ଆଉ ଝିଅ ଆସିବ ମେଂଚାଏ କପଡ଼ା ଧରି ସଫା କରିବାକୁ । ମଣିଷଙ୍କ ଯା’ଆସ ଓ ପବନରେ ଉଡ଼ି ଯାଉଥିବା ଶବ୍ଦ ଭିତରେ ଯାହା ଦି’ ଚାରି ପଦ କଥା । ମନ ଦିଆନିଆ ।
ଯୋଉ ଦିନ ରେଜଲ୍ଟ ବାହାରିଲା କ୍ଲବ୍ ପିଲାଙ୍କୁ ଛାଡ଼ି ବକୁ ଓ ମୁଁ ଭୋର ଚାରିଟା ବେଳୁ କେନ୍ଦ୍ରାପଡ଼ା ବାହାରିଲୁ । ବାଟରେ ତିନି ତିନିଟା ନଈ । ଡଙ୍ଗାରେ ପାର ହେବାକୁ ପଡ଼ିବ । ସ୍କୁଟର ସହ । ସାତଟା ବେଳେ ନିର୍ଦ୍ଧୁମ ଭିଡ଼ କେନ୍ଦ୍ରାପଡ଼ା ସ୍କୁଲ ସାମ୍ନାରେ । ବକୁ ରେଜଲ୍ଟ ବହି ପାଇଲା ବେଳକୁ ୮ଟା ଟପିଲାଣି । ବହି ଧରି ସ୍କୁଟରରେ ତିନି ନମ୍ବର ଗିଅର୍ ପକେଇ ବାହାରିଲୁ । ମତେ ଭୋକ ଲାଗିଲା କିଛି ବାଟ ପରେ । ବକୁର ପରୋକ୍ଷ ବାରଣ ସତ୍ୱେ ତିନିମୁହାଣି ଛକରେ ଆମେ ଖାଇଲୁ ବରା, ଗୁଲୁଗୁଲା, ଘୁଗୁନି । ସେଇଠି ଦେଖିଲା ବେଳକୁ କାବୁଲା ବସିଛି । କାବୁଲା ବି ଆମ ଗାଁ ଛୁଆ । କ୍ଲବ୍ ପିଲା ରେଜଲ୍ଟ ବହି ଆଣିବେନି ଜାଣି ସେ ଏକା ଆସିଥାଏ, ବହି ନେବାକୁ କେନ୍ଦ୍ରାପଡ଼ା । କିନ୍ତୁ ତା’କୁ ବହି ମିଳି ନଥାଏ । ଆମେ ଖାଇଲା ବେଳେ କାବୁଲା ବହି ନେଇ ଦେଖିଲା । ଖାଇ ସାରି ଚାହିଁଲା ବେଳକୁ କାବୁଲା ପାର୍ । ବହି ବି ଗାଏବ୍ । ବକୁ ମୁଣ୍ଡ ଗରମ ହୋଇଗଲା ।
କହିଲା- ତୁ ସ୍କୁଟର୍ ଛାଡ଼ । ମତେ ଦେ । ଶଳା କେତେ ବାଟ ଯିବ ମୁଁ ଦେଖିବି ?
ସ୍କୁଟର ଚାଲିଲା ୭୦ ଉପର ସ୍ପିଡ୍ ରେ ।
ମୁଁ କହିଲି- ରହ ବ୍ୟସ୍ତ ହଅନି ।
ବକୁ ଶୁଣିବାକୁ କିଛି ପ୍ରସ୍ତୁତ ନଥିଲା ।
– ରହିବି ? ପାଗଳ କି ତୁ? ସିଲି ଆଗରେ ମୋ ଇଜ୍ଜତ ରହିବ ଟି?
କାବୁଲା ବିଚରା ବି ଯାଇ ଥାଆନ୍ତା କୁଆଡ଼େ । ବାଟରେ ତିନି ତିନିଟା ନଈ । ଘାଟ ଡଙ୍ଗା । ବ୍ରାହ୍ମଣୀ କୂଳରେ ସେ ଦେଖାହେଲା । ବକୁ ତା’ ମୁହଁରେ ଦି’ ଚାରିଟା ନାଦିଦେଲା ଆଗ । ମାଡ଼ି ବସି ତା’ ଛାତି ଉପରେ ତା’ ଜାମା ଚିରି ଦେଲା । ଜାମା ଭିତରୁ ବହି କାଢି ଆଣି, ସ୍କୁଟର ଷ୍ଟାର୍ଟ ମାରିଲା । କହିଲା- ବସ । ଡେରି କରନି ।
ଏଥର ସ୍କୁଟର ସିଧା ଗଲା ସିଲି ଘର ଗାଁକୁ । ଆଉ ୧୫ କିଲୋମିଟର ଧୂଳିଉଡ଼ା ରାସ୍ତା । ପହଂଚିଲା ବେଳକୁ ଦିନ ତିନିଟା ପାଖାପାଖି ।
ନିଜ ଭାଉଜଙ୍କ ଘରେ ପହଂଚି ବକୁ ଗୁରୁଜନଙ୍କୁ ମୁଣ୍ଡିଆ ମାରିବା ବି ଭୁଲି ଗଲା । କହିଲା- ସିଲିକୁ ଡାକ ।
ସିଲି ଆସିି ଠିଆ ହେଲା । ବକୁ ଖୋଲି ଦେଲା ରେଜଲ୍ଟ ବହି ।
ହେଲେ ରେଜଲ୍ଟ କାହିଁ ? ସିଲିର ପରୀକ୍ଷା କେନ୍ଦ୍ର ଫଳ ଉପରେ ଧଳା କାଗଜ ମରା ହୋଇଛି । ଅର୍ଥାତ୍ ପରୀକ୍ଷାକେନ୍ଦ୍ର ସ୍କ୍ରାଚ୍ । ଫଳ ବାତିଲ୍ ।
ପଦୁଟେ କଥା ନା ବକୁ କହିଚି । ନା ସିଲି ।
ଏବେ ବକୁ ଅଲଗା ଜାଗାରେ ବାହା ହୋଇ ତା’ ଝିଅ ସ୍କୁଲ ଗଲାଣି । ମୁଁ ହିଁ ଯାଇଥିଲି ଏ ଝିଅ ଦେଖିବାକୁ ।
(ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଦୀର୍ଘ ବର୍ଷର ସକ୍ରିୟ ସାମ୍ବାଦିକତା ପରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରକୁ ଆସିଥିଲେ । ଢ଼େଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନରେ ସେ ସହକାରୀ ପ୍ରଫେସର ଭାବେ ଏବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ jpm.iimc@gmail.com ରେ ଯୋଗାଯୋଗ କରିହେବ)