ଭୁୁବନେଶ୍ୱର: ଜୀବନର ଜଟିଳତା ଭୁଲି ଅନ୍ୟମାନଙ୍କୁ ଖୁସିରେ ବଞ୍ଚିବାର ପ୍ରେରଣା ଦେଉଥିବା ମଣିଷଟି କେଉଁ ପରିସ୍ଥିତିରେ ନିଜେ ହାରିଯାଏ? କମ ବୟସରେ ସଫଳତାର ଶୀର୍ଷ ଛୁଉଁଥିବା ମଣିଷ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନିଏ କାହିଁକି? ଆଜି ପୁଣି ଏହି ଅସମାହିତ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଛି । ଭୁବନେଶ୍ୱରର ଯୁବ ସ୍ୱେଚ୍ଛାସେବୀ ତଥା ପ୍ରେରଣାଦାୟୀ ବକ୍ତା(ମୋଟିଭେସନାଲ୍ ସ୍ପିକର୍) ଆଦିତ୍ୟ ଦାଶଙ୍କ ଆତ୍ମହତ୍ୟା ଖବର ତାଙ୍କର ଅଗଣିତ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି । ଆଦିତ୍ୟଙ୍କ ଭଳି ଜଣେ ପ୍ରତିଭାବାନ୍ ଯୁବକଙ୍କ ଆତ୍ମହତ୍ୟା ଖବରରେ ସମସ୍ତେ ବିବ୍ରତ ।

ଆଜି ସକାଳୁ ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍ ର ଅନତି ଦୂର ରେଳ ଲାଇନ୍ ରୁ ମିଳିଥିଲା ଆଦିତ୍ୟଙ୍କ କ୍ଷତାକ୍ତ ଶରୀର । ପାରିପାଶ୍ୱିର୍କ ଅବସ୍ଥାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡୁଥିଲା । ଆଦିତ୍ୟଙ୍କ ଆତ୍ମହତ୍ୟା ଖବରକୁ କେହି ବିଶ୍ୱାସ କରିପାରୁନାହାନ୍ତି । ମୃତ୍ୟୁ ପଛରେ ଅନ୍ୟ କିଛି ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ।
ଗତକାଲି ଦିନ ତମାମ ସୁନ୍ଦରପଦା ଘରେ ନବ ବିବାହିତା ପତ୍ନୀଙ୍କ ସହ ହସଖୁସିରେ ସମୟ ବିତାଇଥିଲେ ଆଦିତ୍ୟ । ଶ୍ରାବଣ ମାସର ପ୍ରଥମ ସୋମବାର ଥିବାରୁ ପତ୍ନୀଙ୍କୁ ମନ୍ଦିର ନେଇଥିଲେ । ଦିନ ତମାମ ଘରେ ରହି ପ୍ରଚୁର ମଜାଖୁସି କରିଥିଲେ । ପତ୍ନୀ ବିଦ୍ୟାଶ୍ରୀଙ୍କ କହିବାନୁଯାୟୀ, ଗତକାଲି ଆଦିତ୍ୟ କାହିଁକି କେଜାଣି ତାଙ୍କୁ ଅଧିକ ସ୍ନେହ ଦେଇଥିଲେ । ତାଙ୍କୁ ମୂହୂର୍ତ୍ତେ ବି ଛାଡ଼ୁ ନ ଥିଲେ । ନିଜର ପ୍ରେମର ପରିପ୍ରକାଶ କରିବା ସହ ଅତ୍ୟଧିକ ଭାବବିହ୍ୱଳ ହେଉଥିଲେ । ତେବେ ସଂଧ୍ୟାରେ ତାଙ୍କର ଆଚରଣ ବଦଳିଯାଇଥିଲା । ଯାହା କହିଲେ ଭୀଷଣ ରାଗି ଯାଉଥିଲେ । ଏପରିକି, ‘ତମ ଘରକୁ ପଳାଅ ବୋଲି ମତେ ରାଗିକି କହିଥିଲେ । ତାଙ୍କର ଏଭଳି ମତିଗତିର ଗଭୀରତା ମୁଁ ବୁଝିପାରି ନ ଥିଲି । ତାଙ୍କ ରାଗ କମାଇବା ପାଇଁ ଘରୁ ବାହାରି ଆସିଥିଲି’ ବୋଲି କହିଛନ୍ତି ପତ୍ନୀ ।
ବୋଧହୁଏ ଏଭଳି ସୁଯୋଗକୁ ଡାକି ଆଣିବାରେ ଆଦିତ୍ୟ ସଫଳ ହେବା ପରେ ଘରେ ତାଲା ପକାଇ ବାହାରି ଯାଇଥିଲେ । ଭିତରେ ତାଙ୍କର ଦୁଇଟି ଯାକ ମୋବାଇଲ୍ ଓ ଘରର ଚାବିକାନ୍ଥି ରଖି ଯାଇଥିଲେ । ସକାଳୁ ରେଳ ଲାଇନ୍ ଉପରୁ ମିଳିଲା ତାଙ୍କର ଖଣ୍ଡ ବିଖଣ୍ଡିତ ଶରୀର ।
ସଂଧ୍ୟା ୭.୧୪ ମିନିଟ୍ ରେ ଆଦିତ୍ୟ ତାଙ୍କ ଫେସବୁକ୍ ଏକ ଲେଖା ପୋଷ୍ଟ କରିଥିଲେ । ଲେଖିଥିଲେ.. ମୃତ୍ୟୁ ଯେତେବେଳେ ଆସେ ବହୁତ୍ ଧୀରେ ଧୀରେ ଆସେ କେହି ଜାଣି ପାରନ୍ତି ନାହିଁ । ଅର୍ଥାତ୍ ଜୀବନକୁ ଶେଷ କରି ଦେବା ଭଳି ନିଷ୍ପତ୍ତି ହୁଏତ ବହୁପୂର୍ବରୁ ନେଇସାରିଥିଲେ ଆଦିତ୍ୟ ।
ଆଦିତ୍ୟଙ୍କ ଭଳି ଜଣେ ଦୃଢ଼ମନା ମଣିଷ ଆତ୍ମହତ୍ୟା କରିବା କଥାକୁ ତାଙ୍କ ପତ୍ନୀ, ପରିବାର ଓ ପ୍ରଶଂସକ ଗ୍ରହଣ କରିପାରିନାହାନ୍ତି । ଏହା ପଛରେ ଆଉ କିଛି ଷଡ଼ଯନ୍ତ୍ର(ଗୁଣିଗାରେଡ଼ି) ଥାଇପାରେ ବୋଲି ପରିବାରର ବିଶ୍ୱାସ । ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି, ଗତ କିଛି ଦିନ ହେଲାଣି ତାଙ୍କଠାରେ ମାନସିକ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲି । ଲମ୍ବା ଚୁଟି ରଖୁଥିବା ଆଦିତ୍ୟ ୩ ଦିନ ତଳେ ହଠାତ ଲଣ୍ଡା ହୋଇ ଘରକୁ ଫେରିଥିଲେ । କାହିଁକି ଲଣ୍ଡା ହେଲ ବୋଲି ପଚାରିବାରୁ ନୂଆ ଏକ୍ସପେରିମେଣ୍ଟ ବୋଲି କହିଥିଲେ । କିଛି ଦିନ ହେଲାଣି ଅଜଣା ଭୟରେ ଭୟଭୀତ ରହୁଥିଲେ । ଏମିତି କି ରାତିରେ ଏକା ବାଥରୁମ୍ ଯିବାକୁ ଏବଂ ଘର ଗେଟ୍ ଦେବାକୁ ଡରୁଥିଲେ ।







