ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଡାକ୍ତର ମୋତିଲାଲ ଗୌଡ଼ଙ୍କ ବଡ଼ବାପା ଥିଲେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ । ମୋତିଲାଲଙ୍କ ଜାଲିଆତି ଓ ଉତ୍ଥାନ ପଛରେ ପୁଷ୍ପେନ୍ଦ୍ର ଥିଲେ ଅନ୍ୟତମ ପୃଷ୍ଠପୋଷକ । ଆଜି ପର୍ଯ୍ୟନ୍ତ ଗୋପନ ରହିଥିବା ଏହି ଦୁହିଁଙ୍କ ସମ୍ପର୍କର ରୋଚକ ତଥ୍ୟ ଲାଗିଛି “ମିଡ-ଡେ ଓଡ଼ିଶା’ ହାତରେ । ସେଥିରେ ମୋତିଲାଲଙ୍କୁ ବଢ଼େଇ ପୋଷି ହୀରୋ ବନାଇବାରେ କେବଳ ମନ୍ତ୍ରୀ ଅରୁଣ ସାହୁ ଏବଂ ବିଧାୟକ ବାପି ରାୟ ନୁହଁନ୍ତି ମନ୍ତ୍ରୀ ପୁଷ୍ପେନ୍ଦ୍ର ବି ଥିଲେ କାର୍ପଟଦାର ତାହା ସ୍ପଷ୍ଟ ହୋଇଛି ।
ସ୍ୱାସ୍ଥ୍ୟ ବିଭାଗରୁ ବେଆଇନ ନିଖୋଜ ହୋଇଯାଇଥିବା ମୋତିଲାଲ ସରକାରଙ୍କ ଆଖିରେ ଧୂଳି ଦେଇ ୨୦୧୦ ମସିହାରେ ଶ୍ରମ ବିଭାଗ ଅଧୀନସ୍ଥ ଇଏସ୍ଆଇରେ ଚାକିରି ପାଇଥିଲେ । ୨୦୧୨ ମସିହାରେ ଫ୍ୟାକ୍ଟରୀ ଆଣ୍ଡ ବଏଲର୍ସକୁ ଡେପୁଟେସନ୍ରେ ଆସିଥିଲେ ଆସିଷ୍ଟାଣ୍ଟ ଡାଇରେକ୍ଟର ହୋଇ । ତେବେ ତାଙ୍କର ଏଭଳି ପ୍ରମୋସନ୍ ଡେପୁଟେସନ୍ ପଛର କାହାଣୀ ଯେତିକି ରୋମାଞ୍ଚକର ସେତିକି ସାଂଘାତିକ । ୨୦୧୨ ମସିହାରେ ଫ୍ୟାକ୍ଟରୀ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ପଦବୀ ପାଇଁ ରାଜ୍ୟ ସରକାର ଡାକ୍ତର ଘଡ଼େଇଙ୍କ ନାଁ ଚୂଡ଼ାନ୍ତ କରିଥିଲେ । ମାତ୍ର କାର୍ଯ୍ୟରେ ଯୋଗଦେବା ପୂର୍ବରୁ ତାଙ୍କର ଆକସ୍ମିକ ନିଧନ ହୋଇଥିଲା । ସେହି ଜାଗାରେ ଡାକ୍ତର ଜଗତ୍ ଜୀବନ ପତିଙ୍କ ନାଁ ସରକାର ଚୂଡ଼ାନ୍ତ କରିସାରିଥିଲେ । ତତ୍କାଳୀନ ଶ୍ରମ ସଚିବ ସୁଶ୍ରୀ ସି.ଟି.ଏସ୍. ସୁଗୁଣା ଓ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସେହି ଫାଇଲ୍କୁ ଅନୁମୋଦନ କରିଥିଲେ । ମାତ୍ର ହଠାତ୍ ଫାଇଲ୍ଟିକୁ ଓଲଟାଇ ଦେଲେ ତତ୍କାଳୀନ ଶ୍ରମ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ । ଡାକ୍ତର ପତିଙ୍କ ଜାଗାରେ ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ନିଯୁକ୍ତି ଦେବାକୁ ସେ ଫାଇଲ୍ରେ ହାତ କାଟି ଲେଖିଦେଲେ । ସେଦିନ ଥିଲା ୨୦୧୨ ଏପ୍ରିଲ୍ ୧୧ । ଆଉ ନିଜେ ସେହି ଫାଇଲ୍ ଧରି ଏପ୍ରିଲ୍ ୧୮ରେ ମୁଖ୍ୟମନ୍ତ୍ରୀଙ୍କ ମୋହର ଆଣିବାକୁ ସମର୍ଥ ହୋଇଥିଲେ ପୁଷ୍ପେନ୍ଦ୍ର । ରାତାରାତି ଡାକ୍ତର ମୋତିଲାଲ ବସିଲେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ଆସିଷ୍ଟାଣ୍ଟ ଡାଇରେକ୍ଟର ପଦବୀରେ ।
ମୋତିଲାଲ ସ୍ୱାସ୍ଥ୍ୟ ବିଭାଗର ଜଣେ ଫେରାର ଡାକ୍ତର ବୋଲି ପୁଷ୍ପେନ୍ଦ୍ର ଭଲ ଭାବେ ଅବଗତ ଥିଲେ । ସ୍ୱାସ୍ଥ୍ୟ ବିଭାଗକୁ ଚିତାକାଟି ସେ ଶ୍ରମ ବିଭାଗର ଏମ୍ପଲୟଜ୍ ଷ୍ଟେଟ୍ ଇନସ୍ୟୁରାନ୍ସ କର୍ପୋରେସନରେ ଚାକିରି କରିଥିବା ବି ଜାଣିଥିଲେ । ଆଉ ସମୟକ୍ରମେ ସରକାରୀ ଦଳର ତତ୍କାଳୀନ ଉପମୁଖ୍ୟ ସଚେତକ ଅରୁଣ ସାହୁଙ୍କ ସହ ପୁଷ୍ପେନ୍ଦ୍ର ମିଶି ମୋତିଲାଲଙ୍କ ଚେର ଟାଣ କରିଦେଲେ । ସରକାରଙ୍କ ଏହି ଦୁଇ ପ୍ରଭାବଶାଳୀଙ୍କ ସହଯୋଗ ଓ ଆର୍ଶିବାଦରେ ମୋତିଲାଲ ଅସମ୍ଭବ ଜିନିଷ ସମ୍ଭବ କଲେ । ଇଏସ୍ଆଇ ନିଯୁକ୍ତିଠାରୁ ଆରମ୍ଭ କରି ନିଜ ଓ ପତ୍ନୀଙ୍କ ନାଁରେ ଘରୋଇ କ୍ଲିନିକ୍//ପାଥୋଲୋଜି ରେଜିଷ୍ଟ୍ରି ସବୁ ହେଲା ସମ୍ଭବ । କ୍ରାଇମବ୍ରାଞ୍ଚ ଏହାର ଖୋଳତାଡ଼ କଲେ ଅନେକ ଗୁମର ଖୋଲିପାରନ୍ତା । ମାତ୍ର କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ ନୀରବ ବସିଥିବା ବେଳେ ସରକାରୀକଳ ବଦନାମରୁ ରକ୍ଷା ପାଇବା ପାଇଁ ମୋତିଲାଲ ସମ୍ପର୍କିତ ଫାଇଲ୍ ରଫାଦଫା କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଏଥିପାଇଁ ଗୋପନରେ ଚାଲିଛି ଘନ ଘନ ବିଭାଗୀୟ ବୈଠକ ।







