ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସହ ତାଳ ଦେଇ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ନେଇଥିବା ୮୬ ଜୀବନ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରୁ ଗଲାଣି ୫୨ ରୋଗୀଙ୍କ ଜୀବନ । ସଂକ୍ରମଣକୁ ନିୟନ୍ତ୍ରଣ କରିବା ଏବେ ସରକାରଙ୍କ ପାଇଁ ଯେତିକି ଚାଲେଞ୍ଜ, କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବା ବି ଆହୁରି ବଡ଼ ଚାଲେଞ୍ଜ ହେଲାଣି ।
କୋଭିଡ୍ ମୃତ୍ୟୁ ରୋକିବା ଏବଂ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ରଣକୌଶଳ ହାତକୁ ନେଇଛନ୍ତି । ଜିଲ୍ଲାରେ ଭିତ୍ତିଭୂମି ସଂପ୍ରସାରଣ, ଟେଲି ମେଡ଼ିସିନ ଏବଂ ସଚେତନତା ସୃଷ୍ଟିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ଲୋକସେବା ଭବନରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହାର ରୂପରେଖ ଚୂଡ଼ାନ୍ତ କରାଯାଇଛି ।
– ବ୍ରହ୍ମପୁର ମେଡ଼ିକାଲ କଲେଜର ଏର୍ମଜେନ୍ସୀ ଏବଂ ଓପିଡି ତୁରନ୍ତ ଖୋଲାଯିବ । ଏହାକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯିବ । ମେଡିକାଲ୍ କଲେଜରେ ଜଣେ ଅତିରିକ୍ତ ସୁପରିଟେଣ୍ଡେଣ୍ଟ୍ ନିଯୁକ୍ତ କରାଯିବ । କୋଭିଡ୍ ପରିଚାଳନାରେ ସେ ସୁପରିଟେଣ୍ଡେଣ୍ଟ୍ ଙ୍କୁ ସହାୟତା କରିବେ ।
– ଏମକେସିଜିର ଶିଶୁରୋଗ ୱାର୍ଡକୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର୍ ସେଣ୍ଟରରେ ପରିଣତ କରାଯିବ । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ପରିଚାଳିତ ହେବ ।
– ବିଦ୍ୟୁତପୁର ଏବଂ ଶିଶୁମନ୍ଦିରରେ ୧୫୦ ଶଯ୍ୟା ବିଶିଷ୍ଟ ଲେଖାଏଁ କୋଭିଡ୍ କେୟାର୍ ସେଣ୍ଟର କରାଯିବ । ଏହା ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ପରିଚାଳିତ ହେବ ଏବଂ ସିଟି ହସ୍ପିଟାଲ୍ ଚିକିତ୍ସା ସୁବିଧା ଯୋଗାଇବ ।
– ଅକ୍ସିଜେନ୍ ସ୍ତର କମ୍ ଥାଇ ବିଳମ୍ବରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ପାଇଁ ପ୍ରତି ସିସିସି ଏବଂ ସିଏଚସିରେ ୧୦% ଶଯ୍ୟା ସଂରକ୍ଷିତ ରହିବ ।
– ପଜିଟିଭ୍ ରୋଗୀମାନଙ୍କ ଉକ୍ରଣ୍ଠା କମାଇବା ଏବଂ ସେମାନଙ୍କୁ ପରାମର୍ଶ ଦେବା ପାଇଁ ଜଣେ ସାଇକିଆଟ୍ରିଷ୍ଟ୍ ଙ୍କ ନେତୃତ୍ୱରେ ମନସ୍ୱାତ୍ୱିକ ପରାମର୍ଶଦାତା ରହିବେ । ସେମାନେ ଟେଲି କାଉନସେଲିଂ କରିବେ ।
– ସୁସ୍ଥ ହୋଇଥିବା କୋଭିଡ୍ ରୋଗୀମାନଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯିବ । କୋଭିଡ୍ ମନିଟର୍ ଭାବରେ ସେମାନେ ଅନ୍ତତଃ ୧୦ ଜଣ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଓ ସାହାସ ଦେବେ । ଏଥିପାଇଁ ସେମନଙ୍କୁ ୧୦୦୦ ଟଙ୍କା ଦିଆଯିବ ।
– ହୋମ୍ ଆଇସୋଲେସନ୍ ରେ ଥିବା ରୋଗୀମାନଙ୍କୁ ମେଡ଼ିସିନ୍ କିଟ୍ ଯୋଗାଇ ଦେବା ସହିତ ଓଡ଼ିଆରେ ଔଷଧ ଖାଇବା ସୂଚନା ଦିଆଯିବ । ଏହା କେୟାର୍ ଗିଭର୍ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ଉପଦେଶ ସହିତ ଆଇସି ମ୍ୟାଟେରିଆଲ୍ ମଧ୍ୟ ଯୋଗାଇ ଦିଆଯିବ ।
– ବ୍ରହ୍ମପୁର ଓ ଗୋପାଳପୁରରେ ଥିବା ହୋଟେଲ୍ ମାନଙ୍କୁ ଜିଲ୍ଲାପାଳ କୋଭିଡ୍ ଯୁଦ୍ଧର ଆଗଧାଡ଼ିରେ ଥିବା ଡାକ୍ତର ଓ ଅନ୍ୟମାନଙ୍କ ରହଣି ନିମନ୍ତେ ସଂରକ୍ଷିତ ରଖିବେ ।
– ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କ ସୁବିଧା ପାଇଁ ଭେଷଜ, ଶଲ୍ୟ, ମାନସିକ ରୋଗ ଏବଂ ଶିଶୁରୋଗମାନଙ୍କ ସେବା ଟେଲି ମେଡିସିନ୍ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ ।
– କୋଭିଡ୍ ପଜିଟିଭ୍ ରୋଗୀ ଓ ସୁସ୍ଥ ହୋଇଥିବା ରୋଗୀମାନଙ୍କୁ ମଧ୍ୟ ମାନସିକ ସୁସ୍ଥତା ପାଇଁ କଲ୍ ସେଣ୍ଟର୍ ଜରିଆରେ ଆବଶ୍ୟକ ପରାମର୍ଶ ଦିଆଯିବ ।
– କୋଭିଡ୍ ରୋଗ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଆଇଇସି ମ୍ୟାଟେରିଆଲ୍ ବଣ୍ଟନ ସହ ଏ ସମ୍ପର୍କରେ ବ୍ୟାପକ ପ୍ରଚାର ପାଇଁ ପଦକ୍ଷେପ ନିଆଯିବ ।