ଭୁୁବନେଶ୍ୱର: ଓଡ଼ିଶାରେ କରୋନା ଭୂତାଣୁକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇସେନ୍ସ(ଆଇଏଲଏସ୍) ନିଦେ୍ର୍ଦଶକ ଅଜୟ ପରିଡ଼ା । ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ୍ ଠାବ କରାଯାଇଛି । ସେଗୁଡ଼ିକ ହେଲା 19A,19B, 20A, 20B, 20C ଭାଇରସ୍ । ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ ସମେତ ୧୩ଟି ରାଜ୍ୟରୁ ଓଡ଼ିଶାର ୧୮ଟି ଜିଲ୍ଲାକୁ ଫେରିଥିବା ୨୨୫ ପ୍ରବାସୀଙ୍କ ସାମ୍ପଲ୍ ପରୀକ୍ଷା ହୋଇଥିଲା । ଜେନୋମିକ୍ ଷ୍ଟଡି ପରେ ଏହା ଜଣାପଡ଼ିଛି ।
ଶ୍ରୀ ପରିଡ଼ାଙ୍କ କହିବାନୁଯାୟୀ, 20A, 20B ଭାଇରସ୍ ସବୁଠାରୁ ଅଧିକ ଠାବ ହୋଇଛି । ତେବେ 20C ଭାଇରସ୍ କେବଳ ଓଡ଼ିଶାରୁ ଠାବ ହୋଇଛି । ଯାହା ଅନ୍ୟଠି ଦେଖିବାକୁ ମିଳିନାହିଁ । 19A ଭାଇରସ୍ ସହ ଚାଇନାର ଉହାନ୍ ଭାଇରସ୍ ର ବହୁ ସାମଞ୍ଜସ୍ୟ ରହିଛି ।
ଭାଇରସ୍ ପ୍ରକାର ଭିନ୍ନ ହୋଇଥିବାରୁ ଭ୍ୟାକସିନ୍ ପ୍ରକାର କ’ଣ ହେବ ତାହା ଏବେ ଚିନ୍ତାର ବିଷୟ ହେଲାଣି । ୫ ପ୍ରକାର ଭାଇରସ୍ ପାଇଁ ଗୋଟିଏ ଭ୍ୟାକସିନ୍ ହେବ ନା ଭିନ୍ନ ଭିନ୍ନ ଭ୍ୟାସିନ୍ ହେବ ତାହା ଦେଖିବାକୁ ପଡ଼ିବ ବୋଲି ଆଇଏଲଏସ୍ ନିଦେ୍ର୍ଦଶକ କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଉପରେ ଆଗକୁ ଆହୁରି ଷ୍ଟଡି ହେବ ବୋଲି ସେ କହିଛନ୍ତି ।