ବେଙ୍ଗାଲୁରୁ: କରୋନାକୁ ଏକ ସାମାନ୍ୟ ଥଣ୍ଡା ରୋଗ ବୋଲି କହିଛନ୍ତି କରୋନାକୁ ଜିତିଥିବା କର୍ଣ୍ଣାଟକର ଜଣେ ଶତାୟୁ ମହିଳା । କରୋନାରେ ଆକ୍ରାନ୍ତ ହୋଇ ୭ ଦିନ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ତାଙ୍କର ପୁଅ, ବୋହୁ ଓ ନାତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।
କର୍ଣ୍ଣାଟକ ବେଲାରି ଜିଲ୍ଲା ହଦାଗଲି ଅଞ୍ଚଳର ଏହି ୧୦୦ ବର୍ଷୀୟା ବୃଦ୍ଧାଙ୍କ ନାମ ହାଲାମା । ତାଙ୍କ ପୁଅ ବ୍ୟାଙ୍କରେ ଚାକିରି କରନ୍ତି । ବ୍ୟାଙ୍କରେ କାର୍ଯ୍ୟରତ ଥିବା ବେଳେ ଗତ ଜୁଲାଇ ୩ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କଠାରୁ ପରିବାରର ସବୁ ସଦସ୍ୟ ସଂକ୍ରମିତ ହୋଇଥିଲେ । ଗତ ୧୬ ତାରିଖରେ ବୃଦ୍ଧା ମା ଙ୍କର ପଜିଟିଭ୍ ବାହାରିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ୨୨ ତାରିଖରେ ତାଙ୍କୁ ହସ୍ପିଟାଲ୍ ରୁ ଡିସଚାର୍ଜ କରାଯାଇଛି ।
କରୋନାରେ ଆକ୍ରାନ୍ତ ହେବା ଜାଣିବା ପରେ ଏହି ବୃଦ୍ଧା ଆଦୌ ବିଚଳିତ ହୋଇ ନ ଥିଲେ । ବରଂ ଚିକିତ୍ସାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଆରୋଗ୍ୟ ହୋଇ ହସ୍ପିଟାଲ୍ ରୁ ଆସିବା ପରେ ଶତାୟୁ ବୃଦ୍ଧାଙ୍କ ଆତ୍ମବିଶ୍ୱାସ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । କରୋନା ରୋଗ ଏବଂ ଚିକିତ୍ସା ସମ୍ପର୍କରେ ସେ କହିଛନ୍ତି, ଏହା ଏକ ସାମାନ୍ୟ ଥଣ୍ଡା ରୋଗ । ଡାକ୍ତରମାନେ ମତେ ଭଲରେ ଚିକିତ୍ସା କଲେ । ମୋତେ ନିୟମିତ ଖାଦ୍ୟ ସାଙ୍ଗକୁ ପ୍ରତିଦିନ ଗୋଟାଏ ଲେଖାଏଁ ସେଓ ଖାଇବାକୁ ଦେଉଥିଲେ । ଟାବଲେଟ୍ ଓ ଇଂଜେକ୍ସନ୍ ଦେଉଥିଲେ ।
ଏହାପୂର୍ବରୁ ଗତ ମାସରେ ସେହି କର୍ଣ୍ଣାଟକର ବେଙ୍ଗାଲୁରୁର ଜଣେ ୯୯ ବର୍ଷୀୟା ବୃଦ୍ଧା କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିଲେ । ୯୯ ତମ ଜନ୍ମଦିନରେ ହିଁ ଗତ ଜୁନ୍ ୧୮ ତାରିଖରେ ସେ କରୋନାରେ ସଂକ୍ରମିତ ହୋଇ ଭିକ୍ଟୋରିଆ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କର ହାଇପର୍ ଟେନସନ୍ ଥିଲା । ମାତ୍ର ଦୃଢ଼ ଆତ୍ମବିଶ୍ୱାସର ସହ କରୋନାକୁ ସାମନା କରି ଜିତିଥିଲେ ।

୪ ଦିନ ତଳେ ଓଡ଼ିଶାର ଜଣେ ୯୫ ବର୍ଷୀୟ ବୃଦ୍ଧ ଉଦୟନାଥ ବିଶୋୟୀ କରୋନାକୁ ଜିତିପାରିଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅଞ୍ଚଳର ଏହି ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଟାଟା କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଗତ ୧୮ ତାରିଖରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିଲେ । ନିଜର ଦୃଢ଼ ଆତ୍ମବିଶ୍ୱାସ ଓ ଡାକ୍ତରମାନଙ୍କ ଉଦ୍ୟମରୁ ସେ ୯୫ ବର୍ଷରେ ବି କରୋନାକୁ ହରାଇପାରିଛନ୍ତି ।








