ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଡାକ୍ତର ମୋତିଲାଲ ଗୌଡ ଫେରାର । ସକାଳୁ ରାତି ଯାଏଁ ତାଙ୍କୁ ଆଉ ମନ୍ତ୍ରୀ ଛାଇ ତଳେ ଦେଖିବାକୁ ମିଳୁନି । ଶାସକ ଦଳର ପାୱାରଫୁଲ୍ ଯୁବ ସହଯୋଗୀଙ୍କ ସହ ମେଳି କି ଗମାତ୍ ହୋଇପାରୁନି । ଯେଉଁ ସହଯୋଗୀଙ୍କ ସହଯୋଗରେ ସେ ଏତେବଡ଼ ଦୁଃସାହସିକ କୁକର୍ମ କରିଛନ୍ତି ଏବେ ସେହିମାନେ ନିଜକୁ ସତୀ ବୋଲାଉଛନ୍ତି । ଫେସବୁକ୍ ଆକାଉଣ୍ଟରେ ମୋତିଲାଲଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଗଦା ଗଦା ଫଟୋକୁ ରାତାରାତି ଗାଏବ କରି ଭଦ୍ର ହୋଇଯାଇଛନ୍ତି ଶାସକ ଦଳର ପାୱାରଫୁଲ୍ ଯୁବ ବାହିନୀ ।
ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ଆସିଷ୍ଟାଣ୍ଟ ଡାଇରେକ୍ଟର(ନିଲମ୍ବିତ) ହେଉଛନ୍ତି ଡାକ୍ତର ଗୌଡ । ଜନୈକ ଯୁବମନ୍ତ୍ରୀଙ୍କର ଖାସ୍ ଲୋକ । ସକାଳୁ ରାତି ଯାଏଁ ମନ୍ତ୍ରୀଙ୍କ ପାଖ ଛାଡ଼ନ୍ତିନି ସେ । ଖାଲି ସେତିକି ନୁହେଁ, ଛାତ୍ର ବିଜେଡ଼ି ସଭାପତି ବିଧାୟକ ବାପି ରାୟ ଏବଂ କେଉଁଝରର ଜୁନିୟର୍ ବଦ୍ରି ପାତ୍ର ବାପି ରାମ ହେଉଛନ୍ତି ମୋତିଲାଲଙ୍କ ଡାହାଣ ଓ ବାମ ହାତ । ଭୁବନେଶ୍ୱରରେ ନାମଜାଦା ଷ୍ଟାର ହୋଟେଲଠାରୁ ଆରମ୍ଭ କରି ଦିଲ୍ଲୀ, କୋଲକତା, ମୁମ୍ବାଇ, ବ୍ୟାଙ୍କକ୍ ଆଦି ଜାଗା୍ରେ ମଉଜମସ୍ତି କରିବାରେ ଭାରି ସଉକ ସେମାନଙ୍କର । କଳାକୁ ଧଳା ଓ ଧଳାକୁ କଳା କରିବାରେ ଗୋଷ୍ଠୀ ଓସ୍ତାଦ୍ । କ୍ଷମତା ଅଳିନ୍ଦରେ ନିଜକୁ ଶକ୍ତିମାନ କରିଥିବା ଡାକ୍ତର ଗୌଡ ଶେଷରେ ଜାଲ୍ ସରକାରୀ ଗେଜେଟ୍ ପ୍ରସ୍ତୁତ କରି ଧରା ପଡ଼ିଛନ୍ତି । ଅନ୍ତରଙ୍ଗ ଗୋଷ୍ଠୀର ବିନା ସହଯୋଗରେ ଯେ ସେ ଏଭଳି କାଣ୍ଡ କରିଛନ୍ତି ତାହା ଭାବିବା ମୁର୍ଖାମୀ । ତେବେ ଗୌଡଙ୍କ ଜାଲିଆତି ଧରାପଡ଼ିଯିବା ପରେ ନିଜକୁ ଭଦ୍ର ସଜାଇ ଦେଇଛନ୍ତି ଶାସକ ଦଳର ଅନ୍ତରଙ୍ଗ ସହଯୋଗୀମାନେ ।
ଧଳସାମନ୍ତ ବ୍ରଦର୍ସ ଲିଙ୍କ୍କୁ ଗାଲୁ ମାରି ଚାଲିଥିବା ଛାତ୍ର ବିଜେଡ଼ି ସଭାପତି ବାପି ରାୟ ଅନୁରୂପ ଢ଼ଙ୍ଗରେ ମୋତିଲାଲଙ୍କ ସହ ସମ୍ପର୍କରୁ ନିଜକୁ ଲୋକ ଦେଖାଣିଆ ଦୂରେଇ ନେଇଛନ୍ତି । ଅବଶ୍ୟ ବିଜେଡ଼ିର ଗୋଟିଏ ଗୋଷ୍ଠୀ ମୋତିଲାଲଙ୍କ ପାୱାରଫୁଲ୍ ଯୁବ କରିଡର ସମ୍ପର୍କକୁ କ୍ରାଇମବ୍ରାଞ୍ଜ ଡିଜି ବିଜୟ ଶର୍ମାଙ୍କ ନଜରକୁ ନେଇଛନ୍ତି । ସରକାରଙ୍କ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ପ୍ଲାଟଫର୍ମ ତଳେ ଜାଲ୍ ଗେଜେଟ୍ ପ୍ରସ୍ତୁତ କରି ପାଖାପାଖି କୋଟିଏ ଟଙ୍କା ଆଦାୟ କରିଥିବା ମୋତିଲାଲଙ୍କ ପ୍ରଚ୍ଛଦପଟରେ ଶାସକଦଳର ଏହି ଶକ୍ତିଶାଳୀ ଯୁବଗୋଷ୍ଠୀଙ୍କ ସିଧାସଳଖ ସଂପୃକ୍ତି ଥିବା ସେମାନେ ଅଭିଯୋଗ କରିଛନ୍ତି । ମାମଲାର ନିରପେକ୍ଷ ତଦନ୍ତ ହେଲେ ଏହି କଳା କାରସାଦିର ଖୁଲାସା ହୋଇପାରିବ ବୋଲି ବିଜେଡ଼ିର ଜନୈକ ଯୁବନେତା କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ବିଭିନ୍ନ କାରଖାନା ଓ ଶିଳ୍ପସଂସ୍ଥାରେ ଚାକିରି ପାଉଥିବା ଯୁବକମାନଙ୍କ ନିଯୁକ୍ତି ପୂର୍ବ ସ୍ୱାସ୍ଥ୍ୟ ଯାଞ୍ଚକୁ ବାଧ୍ୟତାମୂଳକ କରି ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ଆସିଷ୍ଟାଣ୍ଟ ଡାଇରେକ୍ଟର ଡାକ୍ତର ମୋତିଲାଲ ଗତ ଅକ୍ଟୋବରରେ ଏକ ଜାଲ୍ ସରକାରୀ ଗେଜେଟ୍ ପ୍ରସ୍ତୁତ କରିଥିଲେ । ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସେଥିରେ ତାଲିକାଭୁକ୍ତ ହୋଇଥିଲା ୫ ଟି ପାଥୋଲୋଜିକାଲ୍ ଲାବ୍ ଆଣ୍ଡ କ୍ଲିନିକ୍ । ଗୌଡ ଏହି ଜାଲ୍ ଗେଜେଟ୍ କୁ ୫୮୦ କାରଖାନା ଓ ଶିଳ୍ପସଂସ୍ଥାକୁ ପଠାଇଥିଲେ । ତଦନୁଯାୟୀ ବିଭିନ୍ନ ଶିଳ୍ପସଂସ୍ଥା ଲକ୍ଷ ଲକ୍ଷ ଟଙ୍କାର ୱାର୍କ ଅର୍ଡର ଦେଇଥିଲେ । ଏକ ନିର୍ଦ୍ଦିଷ୍ଟ କେନ୍ଦ୍ରୀୟ ପିଏସ୍ୟୁ ଏହି ୫ ଟି ତାଲିକାଭୁକ୍ତ ଥୋଲୋଜିକାଲ୍ ଲାବ୍ ଓ କ୍ଲିନିକ୍ ଫେଭର୍ରେ ୬୩ ଲକ୍ଷ ଟଙ୍କାର ୱାର୍କ ଅର୍ଡର ଦେଇଥିଲେ ।
ତେବେ ସରକାରଙ୍କ ନାକ ନିଶ ତଳେ ଗୌଡଙ୍କ ଏହି ସାଂଘାତିକ କଳା କାରନାମା ବେଶୀ ଦିନ ଚାଲିପାରି ନ ଥିଲା । କାରନାମା ଧରାପଡ଼ିଯିବା ପରେ ଗତ ମେ ୨୯ ତାରିଖରେ ଗୌଡ ଚାକିରିରୁ ସସ୍ପେଣ୍ଡ ହୋଇଥିଲେ । ଜୁନ୍ ୬ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସରକାର ତାଙ୍କୁ ଚାକିରିରୁ ସସ୍ପେଣ୍ଡ କରିଛନ୍ତି । ଗିରଫ ଭୟରେ ମୋତିଲାଲ ସେବେଠୁ ଫେରାର ହୋଇଯାଇଛନ୍ତି । ସରକାରଙ୍କ ନିଦେ୍ର୍ଦଶରେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ଏହି ଜାଲିଆତି ପଛରେ ଏକ ବଡ଼ ରାକେଟ୍ର ସୁରାକ୍ ପାଇଛି କ୍ରାଇମବ୍ରାଞ୍ଚ । ସେଥିରେ ନେତା ଓ ଅଫିସରଙ୍କ ଚେରର ସୁରାକ୍ ମିଳିଥିବା ଜଣେ କ୍ରାଇବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମାମଲାକୁ ରଫାଦଫା କରିବା ପାଇଁ ଶାସକ ଦଳର ପ୍ରଭାବଶାଳୀ ଭାଗିଦାର ଯୁବଗୋଷ୍ଠୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।







