ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶୁକ୍ରବାର ସଂଧ୍ୟା ୬ ଟା ସୁଦ୍ଧା ଗୋପାଳପୁରଠାରୁ ୫୦ କିଲୋମିଟର ଦୂରରେ ରହିଛି ଘୂର୍ଣ୍ଣିଝଡ଼ ରୁଆନୁ । ଘଣ୍ଟା ପ୍ରତି ୨୫ କିମି ବେଗରେ ଏହା ଉତ୍ତର-ପୂର୍ବ ଦିଗରେ ମାଡି ଆସୁଛି । ସାଇକ୍ଲୋନିକ ଷ୍ଟର୍ମ ଉତ୍ତର-ପୂର୍ବ ମୁହାଁ ହୋଇଥିବାରୁ ସିଧାସଳଖ ଓଡ଼ିଶା ଉପରେ ବେଶୀ ବିପଦ ନାହିଁ । ତେବେ ଏଥିଯୋଗୁଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ଆଗାମୀ କେଇ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ୨୧ ତାରିଖ ମଧ୍ୟରାତ୍ରି କିମ୍ବା ୨୨ ତାରିଖ ସକାଳେ ଏହା ବାଲାଂଦେଶ ଛୁଇଁ ଖେପୁପଡ଼ା ଓ କକ୍ସବଜାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।
ରୁଆନୁକୁ ଆଖିରେ ରଖି ସାରା ରାଜ୍ୟରେ ଆଲର୍ଟ ଜାରି ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖି ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାରୀକଳକୁ ନିର୍ଦେଶ ଦେଇଛନ୍ତି । ଗତକାଲି ୧୨ ଟି ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେନ୍ସିଂ କରି ସ୍ଥିତିର ସମୀକ୍ଷା କରିବା ସହ ବାତ୍ୟା ମୁକାବିଲାର ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ସଜାଗ କରିଥିଲେ । ରାଜସ୍ୱ ବିଭାଗ ଓ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗଞ୍ଜାମ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ସମେତ ବିଭିନ୍ନ ସ୍ପର୍ଶକାତର ଅଞ୍ଚଳରେ ଓଡ୍ରାଫ୍ ଟିମ୍ କୁ ସଜାଗ ରଖାଯାଇଛି ।







