ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଆଜି ନୟାଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ଦୁଇଦିନିଆ ଗସ୍ତର ପ୍ରଥମ ଦିନରେ ପ୍ରବଳ ବର୍ଷା ସତ୍ତ୍ୱେ ସେ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଛନ୍ତି । ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ମା’ ମାନଙ୍କ ମଧ୍ୟରେ ୫-ଟି ସଚିବଙ୍କୁ ଭେଟିବା ପାଇଁ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ନୟାଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଜିଲ୍ଲାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେଶ ଦେଇଥିଲେ । ନୟାଗଡ଼ ଜିଲ୍ଲାରେ ନିର୍ମାଣ ହେଉଥିବା ବୃହତ୍ତ ପାଇପ୍ ଜଳ ପ୍ରକଳ୍ପ ଆସନ୍ତା ଡିସେମ୍ବର ମାସରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ୧୫୭୭ କୋଟି ଟଙ୍କା ବ୍ୟୟ କରାଯାଉଛି । ଏହାଦ୍ୱାରା ସମଗ୍ର ଜିଲ୍ଲାବାସୀ ଉପକୃତ ହେବେ ବୋଲି କହିଥିଲେ ।

ଶ୍ରୀ ପାଣ୍ଡିଆନ୍ ପ୍ରଥମେ ରଣପୁରର ପ୍ରସିଦ୍ଧ ତାଳ ମଣିନାଗ ମନ୍ଦିର ଏବଂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ପରେ ଦଶପଲ୍ଲାର ମହାବୀର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ଉନ୍ନତି ତଥା ଭକ୍ତଙ୍କ ସୁବିଧା ସକାଶେ କ’ଣ କରାଯାଇପାରିବ ସେ ନେଇ ମନ୍ଦିର ସେବାୟତ, ଟ୍ରଷ୍ଟି ସଦସ୍ୟ ଏବଂ ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ । ଏହି ମନ୍ଦିର ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ ।

ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଆମ ହସ୍ପିଟାଲ୍ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ନବନିର୍ମିତ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ଡାକ୍ତର, କର୍ମଚାରୀ, ରୋଗୀ ଏବଂ ସମ୍ପର୍କୀୟମାନଙ୍କ ସହ ଆଲୋଚନା କରିଥିଲେ ।
ନୟାଗଡ଼ ମାଛିପଡ଼ାରେ ୫-ଟି ସଚିବ କ୍ରିଷ୍ଣା ଛେନାପୋଡ଼ ପ୍ରଡ୍ୟୁସର ଗ୍ରୁପ୍ ସଦସ୍ୟଙ୍କ ସହ ଆଲୋଚନା କରି ଛେନାପଡ଼ା ବଜାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।








