ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବ୍ଲକ୍ ପାଇଁ ୭୭୦ କୋଟି ଟଙ୍କାର ବୃହତ୍ତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବରରେ କାର୍ଯ୍ୟକ୍ଷମ ହେବ । ସେହିଭଳି ୨୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଚଳିତ ମାସରେ କାର୍ଯ୍ୟକ୍ଷମ ହେବ । ୫-ଟି ଅଧୀନରେ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଏବଂ ଡିଗ୍ରୀ କଲେଜର ରୂପାନ୍ତରଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାବାସୀଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଆଜି ଦିନ ତମାମ ଜିଲ୍ଲା ଗସ୍ତ କାଳରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ବିରୋଧୀ ଦଳର କର୍ମୀମାନେ କଳା ପତାକା ଦେଖାଇ ତାଙ୍କୁ ବିରୋଧ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା । ଓଲଟି ୫-ଟି ସଚିବଙ୍କ ସବୁ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା ।
ଜିଲ୍ଲାବାସୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ଶ୍ରୀ ପାଣ୍ଡିଆନ୍ । ୭୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ତିନୋଟି ଯାକ ବ୍ଲକ୍ ର ୧ ଲକ୍ଷ ୬ ହଜାର ୩୯୯ ପରିବାର ଉପକୃତ ହେବେ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା କଣ୍ଟାମାଳ ଏବଂ ବୌଦ୍ଧ ଜିଲ୍ଲାରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ହରଭଙ୍ଗା ବ୍ଲକ୍ କୁ ଆସନ୍ତାବର୍ଷ ଜୁନ୍ ମାସ ସୁଦ୍ଧା ପାଇପ୍ ଦ୍ୱାରା ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରହିଛି । ଏହାକୁ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।
ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଥିଲେ । ୨୪୭ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କାର୍ଯ୍ୟର ନିର୍ମାଣ ଶେଷ ପର୍ଯ୍ୟାୟରେ ଅଛି । ଚଳିତ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ତିନୋଟି ଯାକ ବ୍ଲକ୍ ର ୮୫୭୦ ହେକ୍ଟର ଜମିକୁ ଏହା ପାଣି ଯୋଗାଇବ ।

ଶ୍ରୀ ପାଣ୍ଡିଆନ୍ ୫-ଟି ରୂପାନ୍ତରରେ ଅନ୍ତର୍ଭୁକ୍ତ ଆମ୍ବଗାଁ ହାଇସ୍କୁଲ ପରିଦର୍ଶନ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ଭଲ ପାଠ ପଢ଼ି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ସାଧାରଣ ଜନତାଙ୍କଠାରୁ ସେମାନଙ୍କର ଆପତ୍ତି ଅଭିଯୋଗ ଶୁଣିଥିଲେ । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ବୌଦ୍ଧରେ ମିଶନ ଶକ୍ତି ମା’ ମାନଙ୍କ ସହ ଆଲୋଚନା କରିଥିଲେ ୫-ଟି ସଚିବ । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନର ସଦୁପଯୋଗ କରି ନିଜକୁ କ୍ଷୁଦ୍ର ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବିଜୁ ଆଦର୍ଶ କୃଷକ ବଜାରରେ ସେ ମିଶନ ଶକ୍ତି କେଫ୍ ବୁଲିଥିଲେ । ପରେ ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ ।
ଶ୍ରୀ ପାଣ୍ଡିଆନ୍ ଚନ୍ଦ୍ରଚୂଡ଼ ମନ୍ଦିର ଏବଂ ନବନିର୍ମିତ ‘ଆରତି ଘାଟ’ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଜନସାଧାରଣ ଏବଂ ପୂଜକମାନଙ୍କ ସହ ମନ୍ଦିର ଏବଂ ପର୍ଯ୍ୟଟନସ୍ଥଳୀର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସଂଗ୍ରାହଳୟକୁ ମଧ୍ୟ ସେ ବୁଲି ଦେଖିଥିଲେ । ଏହାର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତାର ପ୍ରତିଶ୍ରୁତି ଦେଇଥିଲେ । ସେଠାରେ ବିଭିନ୍ନ ସଂଗଠନ ଏବଂ ନାଗରିକ ସମାଜ ସହ ଆଲୋଚନା କରିଥିଲେ ।








