ଭୁବନେଶ୍ୱର: ବିଜେଡିରେ ନୂଆ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ଜାରି ହୋଇଛି । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବଭଳି ୬ ଜଣ ବରିଷ୍ଠ ନେତାଙ୍କ ହାତରେ ୩୦ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ତାଲିକା ପ୍ରକାଶ କରିଛନ୍ତି । ପୂର୍ବ ତାଲିକାରୁ ସୌମ୍ୟରଂଜନ ପଟ୍ଟନାୟକ ଏବଂ ବିକ୍ରମ କେଶରୀ ଆରୁଖ ବାଦ୍ ପଡ଼ିଛନ୍ତି । ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ନିର୍ବାଚିତ ହେବା ପରିପ୍ରେକ୍ଷୀରେ ସଂଗଠନ ଦାୟିତ୍ୱରୁ ହଟିଥିବା ବେଳେ ସୌମ୍ୟ କିନ୍ତୁ ସାଂଗଠନିକ କାର୍ଯ୍ୟରେ ନବୀନଙ୍କ ଆସ୍ଥାଭାଜନ ହୋଇପାରିନାହାନ୍ତି ।
ସୌମ୍ୟଙ୍କ ଦାୟିତ୍ୱରେ ଥିବା ୭ ଟି ଜିଲ୍ଲାକୁ ପ୍ରତାପ ଜେନାଙ୍କୁ ନ୍ୟସ୍ତ କରାଯାଇଛି । ସେହିଭଳି ବିକ୍ରମ ଆରୁଖଙ୍କ ପାଖରେ ଥିବା ୫ ଟି ଜିଲ୍ଲାକୁ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଦାୟିତ୍ୱରେ ଛଡ଼ାଯାଇଛି । ପୁରୁଣା ତାଲିକାରେ ଥିବା ନିରଞ୍ଜନ ପୂଜାରୀ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତିଙ୍କୁ ନୂଆ ତାଲିକାରେ ସେମାନଙ୍କ ପୂର୍ବ ଜିଲ୍ଲାର ଦାୟିତ୍ୱ ସହ ସ୍ଥାନ ମିଳିଛି ।
ସୂଚନାଥାଉକି, ୨୦୨୧ ଜୁନ ୨୬ ତାରିଖରେ ବିଜେଡି ସୁପ୍ରିମୋ ୩୦ ଜିଲ୍ଲା ପାଇଁ ୨୬ ପର୍ଯ୍ୟବେକ୍ଷକଙ୍କ ସହ ପ୍ରଥମ ଥର ପାଇଁ ୬ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ସର୍ବାଧିକ ୭ ଟି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେଓଗଡ଼, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା । ଏହି ୬ ଜଣିଆ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରେ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ୫ ଟି ଜିଲ୍ଲା, ନିରଞ୍ଜନ ପୂଜାରୀଙ୍କୁ ୪ ଟି ଜିଲ୍ଲା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ ଟି ଜିଲ୍ଲା ଏବଂ ମହେଶ୍ୱର ମହାନ୍ତିଙ୍କୁ ୨ ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା ।
ବରିଷ୍ଠ ପର୍ଯ୍ୟବେକ୍ଷକ ନୂଆ ତାଲିକା
ନିରଞ୍ଜନ ପୂଜାରୀ- ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼
ପ୍ରସନ୍ନ ଆଚାର୍ଯ୍ୟ- କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର
ପ୍ରମିଳା ମଲ୍ଲିକ- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି
ଦେବୀ ପ୍ରସାଦ ମିଶ୍ର- ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ବୌଦ୍ଧ
ମହେଶ୍ୱର ମହାନ୍ତି- ମୟୁରଭଞ୍ଜ, କେନ୍ଦୁଝର
ପ୍ରତାପ ଜେନା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେଓଗଡ଼, ଅନୁଗୁଳ, ଢ଼େଙ୍କାନାଳ








